ଭୁବନେଶ୍ୱର : ରାଜ୍ୟର ୧୧୪ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟି ହୋଇଛି। ତେବେ ସେଥିମଧ୍ୟରୁ ୯୮ଟି ବ୍ଲକରେ ସ୍ଥିତି ଅତି ଗୁରୁତର। ଶୁଷ୍କ ତଥା ଆର୍ଦ୍ରତାହୀନ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମରୁଡି ସ୍ଥିତି ସଂପର୍କିତ ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ଏଭଳି ତଥ୍ୟ ଦେଇଛନ୍ତି। କେବଳ ସେତିକି ନୁହେଁ, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ବୋଲି କୁହାଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ମରୁଡି ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳ ରିପୋର୍ଟ ଦେବେ ଓ ଚଳିତମାସ ଶେଷ ସୁଦ୍ଧା ସରକାର ମରୁଡି ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।

Advertisment

ଆଜି ସଚିବାଳୟରେ ଅନୁଷ୍ଠିତ ବୈଠକରେ ପରିସ୍ଥିତିର ମୁକାବିଲା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭିନ୍ନ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ଶୁଷ୍କ ପରିସ୍ଥିତି ସୃଷ୍ଟି ହୋଇଥିବା ନଆପଡା, ବରଗଡ଼ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ନତନଭାବେ ସ୍ଥାପନ କରାଯାଇଥିବା ଉଠା ଜଳସେଚନ ପଏଣ୍ଟ୍‌ ଏବଂ ଡ଼ିପ୍‌ ବୋରଓ୍ଵଲ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଏବଂ ପୁରୁଣା ପଏଣ୍ଟ୍‌ ଗୁଡିକର ସ୍ଥିତି ତନଖି କରି ସେଗୁଡିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଉଠା ଜଳସେଚନ ବିଭାଗ ପରିଚାଳନା ନିର୍ଦ୍ଦେଶକଙ୍କୁ କହିଥିଲେ। ସମସ୍ତ ଜଳସେଚନ ପଏଣ୍ଟ୍‌ର ତାଲିକା ପ୍ରସ୍ତୁତ କରି ପ୍ରତି ସପ୍ତାହ ଭିତ୍ତିରେ ସେଗୁଡିକର କାର୍ଯ୍ୟକାରିତା ବିଷୟରେ ରିପୋର୍ଟ ଦେବା ପାଇଁ ଉନ୍ନୟନ କମିସନର ଆର୍‌.ବାଲାକ୍ରିଷ୍ଣନ୍‌ ଜଳସଂପଦ ବିଭାଗଙ୍କୁ ପରାମର୍ଶ ଦେଇଥିଲେ । ଉଭୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ରାଜସ୍ୱ ବିଭାଗର ଅଧିକାରୀମାନେ ବାସ୍ତବ କ୍ଷେତ୍ରର ପରିଦର୍ଶନ କରି ଯୁଗ୍ମ ରିପୋର୍ଟ ଦେବା ପାଇଁ କୁହାଯାଇଥିଲା।

ଶୁଷ୍କ ସ୍ଥିତି ସୃଷ୍ଟି ହୋଇଥିବା ବ୍ଲକ୍‌ ମାନଙ୍କରେ ଶ୍ରମ ଭିତ୍ତିକ ପ୍ରକଳ୍ପ ଆରମ୍ଭ କରିବା, ପାନୀୟ ଜଳ ଯୋଗାଣ ଏବଂ ଗୋଖାଦ୍ୟ ନିଶ୍ଚିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, କୃଷି ଓ ପଶୁ ସଂପଦ ବିକାଶ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସଚିବ ଦେଓରଂଜନ କୁମାର ସିଂ, ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।