ପୁରୀ: ରଥଯାତ୍ରାର ବିଧି ପରମ୍ପରାକୁ ଜଳାଞ୍ଜଳି ଦେଇ ମନମାନି ଚଳାଇଛି ଇସ୍କନ୍। ଏଥର ଅଦିନିଆ ରଥଯାତ୍ରା ନୁହେଁ, ରଥରେ ବିମାନ ଚକ ଲଗାଇ ଆଉ ଏକ ବିବାଦର ସୂତ୍ରପାତ କରିଛି। ଏନେଇ ଜଗନ୍ନାଥପ୍ରେମୀ କ୍ଷୋଭ ଝାଡ଼ିଛନ୍ତି। କୋଲକାତା ଇସ୍କନ୍ ରଥରେ କାଠ ନିର୍ମିତ ଚକ ପରିବର୍ତ୍ତେ ଋଷୀୟ ଲଢ଼ୁଆ ବିମାନ ସୁଖୋଇର ଟାୟାର ସଂଯୋଗ କରିଛି। ୪ ଫୁଟ ବ୍ୟାସ ବିଶିଷ୍ଟ ଏହି ଟାୟାରର ଓଜନ ପ୍ରାୟ ୧୧୦ କେଜି। ପୂର୍ବରୁ ଇସ୍କନ୍ ରଥରେ ବୋଇଂ ୭୪୭ର ଟାୟାର ଲଗାଉଥିବା ବେଳେ ଏବେ ସୁଖୋଇ ବିମାନ ଟାୟାର ଲଗାଇଛି। ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।
‘ରଥକୁ ବିକୃତ କରିବାର ଅଧିକାର କାହାର ନାହିଁ’
ମୂଳ ପୀଠ ଶ୍ରୀକ୍ଷେତ୍ରର ରଥଯାତ୍ରା ବିଧି ପରମ୍ପରାକୁ ଅନୁକରଣ ନକରି ନିଜ ସୁବିଧା ଅନୁସାରେ ଏବଂ ଚର୍ଚ୍ଚାକୁ ଆସିବା ଉଦ୍ଦେଶ୍ୟରେ ରଥରେ ବିମାନ ଟାୟାର ସଂଯୋଗ କରିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଇସ୍କନ୍ ମୂଳପୀଠକୁ ଅନୁସରଣ ନକରି ବାରମ୍ବାର ମନମାନି ଚଳାଇଛି। ଯଦି ମୂଳ ପୀଠକୁ ଅନୁକରଣ କରି ଯାତ୍ରା କରୁଛ, ତେବେ ମୂଳ ପୀଠର ବିଧି ବିଧାନକୁ ଅନୁସରଣ କରିବା ଉଚିତ। ରଥକୁ ବିକୃତ କରି ରଥଯାତ୍ରା ନାଁ ଦେଇ ଗଡ଼ାଇବା ଆଦୌ ଗ୍ରହଣୀୟ ନୁହେଁ। ବାରମ୍ବାର ଅତିଥିରେ ରଥଯାତ୍ରା କରୁଥିବା ନେଇ ଆମେ ଇସ୍କନ୍ର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରୁଛୁ, ବୁଝାଉଛୁ। କିନ୍ତୁ ବାରମ୍ବାର କିଛି ନା କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଇସ୍କନ୍ ଭୁଲି ଯାଉଛି ଯେ ସେମାନେ ପରଂବ୍ରହ୍ମଙ୍କ ସହ ଖେଳୁଛନ୍ତି, ଅର୍ଥାତ ନିଆଁ ସହ ଖେଳୁଛନ୍ତି। ଜଗନ୍ନାଥ ସଂସ୍କୃତିକୁ ବିକୃତ କରିବାର କି ମହାପ୍ରଭୁଙ୍କ ରଥକୁ ବିକୃତ କରିବାର ଅଧିକାର କାହାର ବି ନାହିଁ। ଏହା ଘୋର ନିନ୍ଦା ଓ ପରିତାପର ବିଷୟ ବୋଲି ସେ କହିଛନ୍ତି।