ରାଜ୍ୟର ୧୧୦ଟି ସ୍ଥାନରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ

ଟିକା ନେବାରେ ସଙ୍କୋଚ ନ କରିବାକୁ ପରାମର୍ଶ ଦେଲେ ଡିଏମଇଟି

ଭୁବନେଶ୍ବର: ରାଜ୍ୟର ୧୧୦ଟି ସ୍ଥାନରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ କଲେଜ ସମେତ ୧୧ଟି ଘରୋଇ ହସ୍ପିଟାଲରେ ଡ୍ରାଏ ରନ୍ ଚାଲିଛି। ପ୍ରତି ସ୍ଥାନରେ ୨୫ ଜଣଙ୍କୁ ‘ଡମି’ ଟିକା ଦିଆଯିବ। ସହର ହେଉ କି ଗାଁ, ଟିକାକରଣରେ କି କି ଅସୁବିଧା ହୋଇପାରେ, ସେ ସବୁ ଆଜି ଜଣାପଡ଼ିବ। ଟିକା ନେବାର ୩୦ ମିନିଟ ଭିତରେ ଯଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଏ, ତାହେଲେ ତୁରନ୍ତ ଚିକିତ୍ସା କରିବା ପାଇଁ  ଟିକାଗ୍ରହୀତାଙ୍କୁ ନିରୀକ୍ଷଣ କକ୍ଷରେ ରଖାଯିବ। ସେଥିରେ ସମସ୍ତ ଜୀବନ ରକ୍ଷାକାରୀ ଔଷଧ ରଖାଯାଇଛି। କେନ୍ଦ୍ରରୁ ଖୁବ ଶୀଘ୍ର ଟିକା ଆସିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି।

ଏଣେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ସେ ଟିକା ନେବେ, କାରଣ ଟିକାର ଉଦ୍ଦେଶ୍ୟ ମହତ। ଗବେଷଣାରୁ ଜଣାପଡ଼ିଛି ଏହି ଟିକାର କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଏଣୁ ଟିକା ନେବାରେ ସଙ୍କୋଚ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

image source-outlook india

ଏହାଛଡ଼ା ଡିଏମଇଟି ଆହୁରି ମଧ୍ୟ କହିଛନ୍ତି ଯେ ସବୁ ଔଷଧ ଓ ଟିକାର କିଛି ପ୍ରତିକ୍ରିୟା ଥାଏ। ଜରୁରୀ ବ୍ୟବହାର ପାଇଁ କରୋନା ଟିକା ଖୁବ୍ କମ୍ ଦିନ ଭିତରେ ବାହାରିଛି। ଏହି ଟିକା କାମ କରିବ ଓ ଫଳପ୍ରଦ। ଟିକା ନ ନେଲେ ଆମେ ବିପଦରେ ରହିବା। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ କରୋନା ଟିକା ଦିଆଯିବ ଏବଂ ପ୍ରଥମ ପର୍ଯ୍ୟାୟ ପାଇଁ ୨୧ ଲକ୍ଷ ସିରିଞ୍ଜ ଯଥେଷ୍ଟ ବୋଲି ସେ ସୂଚନା ଦେଇଛନ୍ତି। ଟିକାକରଣ ସମୟରେ ଯେମିତି କିଛି ଅସୁବିଧା ନ ହେଉ, ସେଥିପାଇଁ ଦ୍ବିତୀୟ ଥର କୋଭିଡ ଟିକାର ଡ୍ରାଏ ରନ୍ କରାଯାଉଛି ବୋଲି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର