କ୍ୟାପିଟାଲ ହସ୍ପିଟାଲ ସମେତ ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏ ରନ୍

ବଢ଼ି ଚାଲିଛି ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା

ଭୁବନେଶ୍ବର : ଆସନ୍ତା ୨ତାରିଖରେ ସବୁ ରାଜ୍ୟରେ କରୋନା ଟିକାକରଣ ନେଇ ଡ୍ରାଏ ରନ୍ କରାଯିବ ବୋଲି କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏହି ଭିତ୍ତିରେ ଓଡ଼ିଶା ମଧ୍ୟ ଡ୍ରାଏ ରନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।

ସାର୍ସ-କୋଭ୍‌-୨ ବା କୋଭିଡ୍‌-୧୯ର ଟିକାକରଣ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଡ୍ରାଏ ରନ୍ ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ୨୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ସାମିଲ କରାଯିବ। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ। ଡ୍ରାଏ ରନ୍ ସମୟରେ କୋଭିଡ୍‌-୧୯ର ସମସ୍ତ ପ୍ରୋଟୋକଲ ପାଳନ କରିବା ଲାଗି ନିର୍ଦେଶ ଦିଆଯାଇଛି।

ଅପରପକ୍ଷରେ ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ କେଉଁ ମାନଙ୍କୁ ଟିକା ଦିଆଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩.୨ଲକ୍ଷଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। ଆହୁରି ୫ହଜାର ସ୍ବାସ୍ଥ୍ୟକର୍ମୀ ଏହି ତାଲିକାରେ ସାମିଲ ହୋଇଛନ୍ତି। ଯାହାଫଳରେ ତାଲିକା ଏବେ ୩.୭ଲକ୍ଷକୁ ବୃଦ୍ଧି ପାଇଛି। ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କୁ ସ୍ବାସ୍ଥ୍ୟକର୍ମୀମାନଙ୍କ ତାଲିକା ପୁନର୍ବାର ପ୍ରଦାନ କରିବା ପାଇଁ ଚିଠି ଲେଖିଛନ୍ତି। ଯେଭଳି କୌଣସି ସ୍ବାସ୍ଥ୍ୟକର୍ମୀ ଏଥିରୁ ବାଦ୍ ପଡ଼ିବେ ନାହିଁ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ତେଣୁ ଟିକାକରଣ ଆରମ୍ଭ ହେବା ବେଳକୁ ରାଜ୍ୟରେ ଏହି ତାଲିକା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟରେ ଯେପରି କୌଣସି ସ୍ବାସ୍ଥ୍ୟକର୍ମୀ ଟିକାକରଣରୁ ବାଦ୍ ପଡ଼ିବେ ନାହିଁ ସେଥିପାଇଁ ଗୁରୁତ୍ବ ଦିଆଯାଉଛି। ଯେଉଁମାନଙ୍କର ନାଁ ପରବର୍ତୀ ସମୟରେ ସାମିଲ ହେବ ସେମାନଙ୍କର କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ କରାଯିବ। ଆସନ୍ତା ୨ ତାରିଖରେ ହେବାକୁ ଥିବା ଡ୍ରାଏ ରନ୍ ପାଇଁ ଆସନ୍ତାକାଲି ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ପୂର୍ବରୁ ଏଥିପାଇଁ ୨୧ଲକ୍ଷ ସିରିଞ୍ଜ ଓ ଆଇଏଲଆର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ତେବେ କେଉଁ କମ୍ପାନିର କରୋନା ଟିକା ଆସିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛି। ପୂର୍ବରୁ ଦେଶର ୪ଟି ରାଜ୍ୟରେ ଡ୍ରାଏ ରନ୍ ଶେଷ ହୋଇସାରିଛି।

ସମ୍ବନ୍ଧିତ ଖବର