ଜଳେଶ୍ୱର: ଝାଡ଼ଖଣ୍ଡର ନାଗରୀ ଅଞ୍ଚଳରୁ ବାହାରି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ତାଳସାରୀଠାରେ ସମୁଦ୍ର ସହ ମିଶିଥିବା ସୁବର୍ଣ୍ଣରେଖା ଓଡ଼ିଶାର ଏକ ଚିରସ୍ରୋତା ନଦୀ ଭାବେ ଜଣାଶୁଣା। ହେଲେ, ବର୍ତ୍ତମାନ ଏହାର ଅସ୍ତିତ୍ବ ସଙ୍କଟରେ। ଇଂରାଜୀ ଜୁନ୍ ମାସ ଶେଷ ହେବାକୁ ବସିଥିବା ବେଳେ ଓଡ଼ିଆ ଆଷାଢ଼ ମାସ ଆସି ଅଧା ହେଲାଣି। ଏବେ ନଦୀରେ ଭରପୁର ପାଣି ରହିବା କଥା। କିନ୍ତୁ ଅଧିକାଂଶ ସ୍ଥାନରେ ପାଣି ବଦଳରେ କେବଳ ବାଲି ଦିଶୁଛି। ସୁବର୍ଣ୍ଣରେଖାର ଉପର ମୁଣ୍ଡରେ ଗତ କିଛି ମାସ ହେଲା ପ୍ରାୟ ବର୍ଷା ହୋଇନି କହିଲେ ଚଳେ। ଏହାଛଡ଼ା ନଦୀଶଯ୍ୟା ଜଳେଶ୍ୱର ବ୍ଲକ୍ର ରାଜନଗରଠାରୁ ଭୋଗରାଇର କୀର୍ତ୍ତନିଆ ଯାଏ ପ୍ରାୟ ୬୦ କିମି ପରିମିତ ଅଞ୍ଚଳରେ ମଧ୍ୟ ଆଖିଦୃଶିଆ ବର୍ଷା ହୋଇନାହିଁ। ଫଳରେ ନଦୀରେ ପାଣିର ଅଭାବ ଦେଖାଦେଇଛି। ଅଣଓସାରିଆ ପାଣି ଧାର ବୋହୁଥିବା ବେଳେ ଅଧିକାଂଶ ସ୍ଥାନରେ ବାଲି ଦୃଷ୍ଟିଗୋଚର ହେଉଛି। ନଦୀରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ଲୋକ ହାତବାନ୍ଧି ବସିଛନ୍ତି। କେବଳ ସେତିକି ନୁହେଁ, ନଦୀରେ ପାଣି ନରହିବା ଯୋଗୁଁ ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍ରେ ଭୂତଳ ଜଳପତ୍ତନ ହ୍ରାସ ପାଇଛି। ଯାହାଦ୍ୱାରା ପାନୀୟଜଳଠାରୁ ଆରମ୍ଭ କରି ଚାଷ ପାଇଁ ଆବଶ୍ୟକ ପାଣି ସମସ୍ୟା ବି ମୁଣ୍ଡ ଟେକିଲାଣି।
ସୁବର୍ଣ୍ଣରେଖାର ଏପରି ଅବସ୍ଥାକୁ ନେଇ ଜଳେଶ୍ୱର ବ୍ଲକ୍ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ମୁକୁନ୍ଦ ଜେନାଙ୍କ ସହ ଭୋଗରାଇ ବ୍ଲକ୍ ଉଲୁଡ଼ାର ପ୍ରଫୁଲ୍ଲ ଦଳେଇ, ବାଲିଆପାଳ ବ୍ଲକ୍ ଅସ୍ତି ପଞ୍ଚାୟତର ବଙ୍କିମ ଜେନା ଓ ଜଳେଶ୍ୱର ବ୍ଲକ୍ ବାଇଗଣବାଡ଼ିଆର କ୍ଷୀତିଶ ବାରିକ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି, ଆଷାଢ଼ ମାସରେ ସୁବର୍ଣ୍ଣରେଖା ନଦୀର ଏମିତି ଅବସ୍ଥା ସେମାନେ କେବେ ଦେଖିନାହାନ୍ତି। ନଦୀକୂଳିଆବାସୀଙ୍କ ପାଇଁ ଏହା ଏକ ଉଦ୍ବେଗଜନକ ସମସ୍ୟା। ସୁବର୍ଣ୍ଣରେଖାରେ ପାଣି ଅଭାବ ସାଧାରଣ ଲୋକଙ୍କୁ ଯେତିକି ଚିନ୍ତାରେ ପକାଇଛି, ପରିବେଶବିତ୍ଙ୍କୁ ବି ସେତିକି ବିବ୍ରତ କରିଛି। ବିଶେଷଜ୍ଞମାନେ ଏହାକୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କହୁଛନ୍ତି। ତେବେ ବେଳ ଥାଉ ଥାଉ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।