୪ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ

ରାତି ତାପମାତ୍ରା କମିଲା; କୋରାପୁଟରେ ୧୪.୨ ଡିଗ୍ରି, ୧୫ ସହରର ରାତି ତାପମାତ୍ରା ୨୦ ଡିଗ୍ରି ତଳେ ରେକର୍ଡ

ଭୁବନେଶ୍ବର : ଆସନ୍ତା ୪ ଦିନ ଅର୍ଥାତ ୩୦ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ୩୧ ତାରିଖ ଆଡ଼କୁ ବଙ୍ଗୋପସାଗର ଅଞ୍ଚଳରୁ ବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଗୁରୁବାର ଦିନ ପୂରା ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଯାଇଛି। ଏଥିସହ ଗତକାଲି ରାତିରେ ରାଜ୍ୟର ୧୫ ସହରର ତାପମାତ୍ରା ୨୦ ଡିଗ୍ରି ତଳେ ରେକର୍ଡ ହୋଇଛି। କୋରାପୁଟରେ ସର୍ବନିମ୍ନ ରାତି ତାପମାତ୍ରା ୧୪.୨ ଡିଗ୍ରି ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୧୬ ଡିଗ୍ରି, ବୌଦ୍ଧ, ସୋନପୁର ଓ ଫୁଲବାଣୀରେ ୧୭ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଥିବା ବେଳେ ରାଜ୍ୟର ଅବଶିଷ୍ଟ ସ୍ଥାନରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଏଥିସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। କିନ୍ତୁ ରାତିର ସର୍ବନିମ୍ନ ତାପମାତ୍ରାରେ ଏଯାଏ ବିଶେ‌ଷ ପରିବର୍ତ୍ତନ ହୋଇନାହିଁ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର