୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ

ଭୁବନେଶ୍ବର : ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଥିବା ବେଳେ କେନ୍ଦୁଝର, ବରଗଡ଼ ଓ ମୟୂରଭଞ୍ଜ ସମେତ ଦକ୍ଷିଣ ଉପକୂଳ ଓଡ଼ିଶାର ଗଞ୍ଜାମ, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କିନ୍ତୁ ୨୬ ତାରିଖ ଆଡ଼କୁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତା ୩ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ଆହୁରି ୩ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କେନ୍ଦ୍ର କହିଛି।

ପାଣିପାଗ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ୨୬ ତାରିଖ ଅପରାହ୍ନ ଆଡ଼କୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ୨୭ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ତାପମାତ୍ରା କମିବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ସେ ଦିନ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଫଳରେ ତାପମାତ୍ରାରେ ସାମୟିକ ସମୟ ପାଇଁ ପରିବର୍ତ୍ତନ ଆସିବା ସହ ପରିବେଶ ଥଣ୍ଡା ଅନୁଭୂତ ହେବ।

ଆଜି ସକାଳେ ରାଜଧାନୀର ପାଗ ଆଂଶିକ ମେଘୁଆ ରହିଥିଲା। ଆସନ୍ତାକାଲି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେବ। ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩୯ ଡିଗ୍ରି ପାଖାପାଖି ରହିବ। ଅପରାହ୍ନ ଆଡ଼କୁ କାଳବୈଶାଖୀ ବର୍ଷା ହେବାର ବି ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର