ଆଜିଠୁ ପାଗ ଶୁଖିଲା

ଭୁବନେଶ୍ୱର : ଗତ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷିବା ପରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି। ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ରହିବ ନାହିଁ। ଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟ ଏବ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇ ଝାଡଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଯଦିଓ ଏବେ ରାଜ୍ୟରେ ଲଘୁଚାପଜନିତ ବର୍ଷା ନାହିଁ। ଫଳରେ ଉପକୂଳ ଓଡ଼ିଶା ଉତ୍ତର-ପଶ୍ଚିମ ବଙ୍ଗୋପସା‌ଗର ତଟବର୍ତୀ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ଏଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

କେନ୍ଦ୍ରର ସୂଚନା କହୁଛି, ଗତ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝର ଜିଲ୍ଲା ତେଲକୋଇରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ୨୧୫ ମିମି ବର୍ଷା ରେକର୍ଡ ହୋଇଛି। ଝାରସୁଗୁଡ଼ା ଲାଇକେରାରେ ୨୧୫ ମିମି, ଝାରସୁଗୁଡ଼ା କିରମିରାରେ ୨୦୮ ମିମି, ଅନୁଗୁଳ ଆଠମଲ୍ଲିକରେ ୨୦୧ ମିମି, ଝାରସୁଗୁଡ଼ା କୋଲାବିରାରେ ୧୯୯.୩ ମିମି ବର୍ଷା ହୋଇଯାଇଛି। ଏଥିସହ ଗତକାଲି ରାଜ୍ୟର ୬ ଜିଲ୍ଲାରେ ହାରାହାରି ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଓ ବୌଦ୍ଧ। ରାଜ୍ୟର ହାରାହାରି ବର୍ଷାର ପରିମାଣକୁ ହିସାବକୁ ନେଲେ ଗତକାଲି ୫୭.୯ମିମି ବର୍ଷା ହୋଇଯାଇଛି।

୧ ଜୁନ୍‌ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଭାବେ ୮୮୧.୯ ମିମି ବର୍ଷା ହୋଇଥାଏ। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୬୭.୯ ମିମି ବର୍ଷା ହୋଇଯାଇଛି। ଅର୍ଥାତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦% ଅଧିକ ବର୍ଷା ହୋଇଥିବା ବେଳେ ଜୁଲାଇର ଅଭାବୀ ବର୍ଷା ପରିସ୍ଥିତି ଏବେ ଭରଣା ହୋଇପାରିଛି। ରାଜ୍ୟରେ ୧୦ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଅତିରିକ୍ତ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଅଭାବୀ ବ‌ର୍ଷା ଆଉ କୌଣସି ଜିଲ୍ଲାରେ ହୋଇନାହିଁ। ୧ ଅଗଷ୍ଟରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ୫୪% ଅତିରିକ୍ତ ବର୍ଷା ହୋଇଛି। ଗତ ଦୁଇ ଦିନରେ ରାଜ୍ୟରେ ଅତି ଅଧିକ ବର୍ଷା ହୋଇଯାଇଛି। କେବଳ ଗତ ଦୁଇ ଦିନରେ ରାଜ୍ୟରେ ହାରାହାରି ୧୨୭ ମିମି ବର୍ଷା ହୋଇଯାଇଛି।

ସମ୍ବନ୍ଧିତ ଖବର