ଏଣିକି ପୁଲିସ ବିଭାଗରେ ଆଉ ରହିବେନି ଇନଚାର୍ଜ ଡିଏସପି

ସ୍ଥାୟୀ ଡିଏସପି ହେବେ ୧୫୧; ପୂରଣ ହେବ ୧୦୬ ଡିଏସପି ପଦବି

କଟକ : ଏଣିକି ପୁଲିସ ବିଭାଗରେ ଆଉ ରହିବେନି ଇନଚାର୍ଜ ଡିଏସପି। ରାଜ୍ୟ ସରକାରଙ୍କ ସଂରକ୍ଷଣ ପଦୋନ୍ନତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ପ୍ରତ୍ୟାହାର ହୋଇଛି। ନିଜେ ଅଭିଯୋଗକାରୀ ଏହି ମାମଲା ପ୍ରତ୍ୟାହାର କରିବା ପରେ ପୁଲିସ ବିଭାଗରେ ଇନଚାର୍ଜ ଡିଏସପି ବ୍ୟବସ୍ଥା ବନ୍ଦ ହେବାକୁ ଯାଉଛି। ଯେଉଁ ୧୫୧ ପୁଲିସ ଇନସ୍ପେକ୍ଟର ଗଲା ଦୁଇ ବର୍ଷ ହେବ ଇନଚାର୍ଜ ଡିଏସପି ଭାବେ କାର୍ଯ୍ୟ କରିଆସୁଥିଲେ ସେମାନେ ଏବେ ସ୍ଥାୟୀ ଡିଏସପି ହେବା ନେଇ ଆଶା ଦେଖା ଦେଇଛି। ଏହାବାଦ୍ ପୁଲିସ ବିଭାଗରେ ଖାଲି ପଡ଼ିଥିବା ୧୦୬ ଡିଏସପି ପଦବି ପୂରଣ କରିବା କ୍ଷେତ୍ରରେ ବିଭାଗ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କୋଟା ପଦୋନ୍ନତି ବିରୋଧ କରି ସୁପ୍ରିମକୋର୍ଟରରେ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି ହୋଇନପାରି ସ୍ଥଗିତ ରହିଥିଲା। ଯଦ୍ବାରା ଓଡ଼ିଶା ପୁଲିସ ବିଭାଗରେ ପୁଲିସ ବୋର୍ଡ ବସି ପାରୁନଥିଲା। କୋର୍ଟରେ ମାମଲା ବିଚାରାଧିନ ଥିବାରୁ ୨୦୧୭ ନଭେମ୍ବର ୨୯ ତାରିଖରେ ଶେଷ ଥର ପାଇଁ ୧୫୧ ଜଣ ପୁଲିସ ଇନସ୍ପେକ୍ଟର ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିଲେ। କିନ୍ତୁ ପଦୋନ୍ନତି ପାଇଥିବା ଏହି ଅଫିସରମାନେ ଇନଚାର୍ଜ ଡିଏସପି ଭାବେ କାର୍ଯ୍ୟ କରୁଥିଲେ। ଇନଚାର୍ଜ ଡିଏସପି ଭାବେ କାର୍ଯ୍ୟ କରିବା ସହିତ ଇନସ୍ପେକ୍ଟରଙ୍କ ଦରମା ପାଉଥିଲେ। ଏହାକୁ ପଦୋନ୍ନତି ଭାବେ ବିଚାର ନକରିବାକୁ ଚିଠିରେ ଦର୍ଶାଯାଇଥିଲା। ରାଜ୍ୟରେ ମୋଟ ୫୩୮ ଡିଏସପି ମଞ୍ଜୁରି ପଦବି ଥିବା ବେଳେ ଖାଲି ପଡ଼ିଥିବା ୧୦୬ ଡିଏସପି ପଦବିର ନିଯୁକ୍ତି ପାଇଁ ଆଉ ବୋର୍ଡ ବସିଲା ନାହିଁ। ୪୩୨ ଡିଏସପିଙ୍କ ଉପରେ ମାମଲାର ଚାପ ବୃଦ୍ଧି ପାଇଲା। ବାଲେଶ୍ବର ଭଳି ଜିଲ୍ଲାରେ ଜଣେ ଜଣେ ଡିଏସପିଙ୍କ ଉପରେ ୧୫୦ରୁ ଅଧିକ ଏସସି/ଏସଟି ମାମଲାର ତଦନ୍ତ ଦାୟିତ୍ବ ପଡ଼ିଲା। ଏହି ମାମଲାଗୁଡ଼ିକ ଡିଏସପି ପାହ୍ୟାର ଅଧିକାରୀଙ୍କୁ ବାଦ୍ ଦେଲେ ତଳ ପାହ୍ୟାର ଅଫିସର ତଦନ୍ତ କରିପାରିବେ ନାହିଁ। ଗୋଟିଏ ପଟେ ଏସସି/ଏସଟି ମାମଲା ସଂଖ୍ୟା ବୃଦ୍ଧି ଏବଂ ଖାଲି ପଡ଼ିଥିବା ଡିଏସପି ପଦବି ପୂରଣ ନହେବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ରାଜ୍ୟରେ ୪ଟି ବ୍ୟାଚର ପାଖାପାଖି ୩୦୦ ଇନସ୍ପେକ୍ଟର ଏବେ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପଦୋନ୍ନତି ପ୍ରକ୍ରିୟା ଅଟକି ରହିଥିଲା। ଗଲା ମଙ୍ଗଳାବାର ନିଜେ ସୁଶାନ୍ତ ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଏଣିକି ପୁଲିସ ବିଭାଗରେ ନିୟମିତ ପୁଲିସ ବୋର୍ଡ ବସିପାରିବ।

ସମ୍ବନ୍ଧିତ ଖବର