ସୀମାନ୍ତ ଗାଁରେ ଦ୍ବୈତ ଶାସନ: ନଁା ଲେଖା ଓଡ଼ିଶାରେ, ପାଠପଢ଼ା ଆନ୍ଧ୍ର ସ୍କୁଲରେ

ଚିକିତ୍ସା ପାଇଁ ସାଲୁର ଗଲେ ଖର୍ଚ୍ଚ ୩୦, ପଟାଙ୍ଗିକୁ ୩୦୦୦, ଗ୍ୟାସଚୁଲା ଦେଖିନାହାନ୍ତି ଗାଁର କୌଣସି ପରିବାର

ଶ୍ରୀକାନ୍ତ ସାହୁ
କୋରାପୁଟ: ଆନ୍ଧ୍ରକୁ ନିକଟ, କୋରାପୁଟକୁ ଦୂର। ଶିକ୍ଷା, ସ୍ବାସ୍ଥ୍ୟ, ଜୀବନଜୀବିକା ସବୁ ପାଇଁ ଆନ୍ଧ୍ର ହିଁ ଭରସା। ବିକାଶ ପାଇଁ ଓଡ଼ିଶା ଯାହା କରିଛି ତାକୁ ଚ୍ୟାଲେଞ୍ଜ୍ କରି ଆନ୍ଧ୍ର ଦୁଇ ଗୁଣା ସୁବିଧା ସୁଯୋଗ ଅଜାଡ଼ି ଦେଇଛି। ଯେଉଁଥି ପାଇଁ ଓଡ଼ିଶାରେ ରହି ଆନ୍ଧ୍ର ଉପରେ ନିର୍ଭରଶୀଳ କୋଟିଆ ଗ୍ରାମପୁଞ୍ଜର ଫାଟୁସିନେରୀବାସୀ। କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜର ସୀମାନ୍ତ ଗାଁ ଫାଟୁସିନେରୀ। ଜିଲ୍ଲା ସଦର ମହକୁମାରୁ ୧୪୦ କିମି ଦୂରରେ ରହିଛି ଏହି ଗାଁ। ସମସ୍ତ ପରିବାର କନ୍ଧ ସମ୍ପ୍ରଦାୟର ଓ ବିପିଏଲ୍ ଶ୍ରେଣୀର। ସେମାନଙ୍କ ଦାରିଦ୍ର୍ୟକୁ ଅସ୍ତ୍ର କରି ନିଜ ପ୍ରତି ସମର୍ଥନ ଯୋଗାଡ଼ରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ସରକାର। କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଓଡ଼ିଶା ଦେଇଥିବା ଆଧାର କାର୍ଡରେ ଭାଷା ପରିବର୍ତ୍ତନ କରି ଆନ୍ଧ୍ର ସମାନ ଆଧାର ନମ୍ବରରେ ଏଠି କାର୍ଡ ଦେଇଛି। ସବୁ ପରିବାରକୁ ରାସନକାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଭୋଟର ପରିଚୟପତ୍ର, ଲେବର୍ କାର୍ଡ, ମନରେଗା ଜବକାର୍ଡ, ଡ୍ରାଇଭିଂ ଲାଇସେନ୍ସ ବି ଏଭଳି ଢଙ୍ଗରେ ଦେଇଛି ଆନ୍ଧ୍ର। ୨୦୧୮ ପୂର୍ବରୁ ଏହି ଗାଁରେ ମାତ୍ର ୪୦ ଘର ଥିଲା। ଏବେ ଗାଁରେ ଦୁଇଟି ଧାଡିରେ ୫୨ ପରିବାର ରହୁଛନ୍ତି। ଜୀବିକା କହିଲେ ଚାଷ ଓ ପଡୋଶୀ ସାଲୁରରେ କୁଲି କରିବା। ଉଭୟ ଋତୁରେ ଧାନ, ମାଣ୍ଡିଆ ଓ ସୁଆଁ ଚାଷ କରୁଛନ୍ତି ସେମାନେ। ଉତ୍ପାଦିତ ଫସଲକୁ ସାରକି ହାଟ ଓ ସାଲୁରରେ ବିକ୍ରି କରିଥାନ୍ତି ଗ୍ରାମବାସୀ। ଗାଁରେ ଆନ୍ଧ୍ର ପକ୍ଷରୁ ୨୧ ଜଣଙ୍କୁ ପକ୍କା ଘର ମିଳିଛି। ଓଡ଼ିଶା ପକ୍ଷରୁ ମିଳିଛି ୧୪ଟି ଆବାସ। ଏବେ ବି ୧୫ଟି ପରିବାରର ନିଜସ୍ବ ଘର ନାହିଁ। ଗ୍ରାମରେ ଓଡ଼ିଆ ଶିକ୍ଷାର ସ୍ଥିତି ବିପନ୍ନ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲରେ ୨୦ରୁ ଅଧିକ ଶିଶୁ ନାମ ଲେଖାଇଛନ୍ତି। କିନ୍ତୁ ଅଧିକାଂଶ ପଢୁଛନ୍ତି ଆନ୍ଧ୍ରର ସାଲୁରରେ। ଗାଁର ୪୫ ଛାତ୍ରଛାତ୍ରୀ (ପ୍ରଥମରୁ ଯୁକ୍ତ ଦୁଇ) ସାଲୁରର ଏକ ଆବାସିକ ସ୍କୁଲରେ ପଢ଼ୁଛନ୍ତି। କାଁଭାଁ ଗାଁକୁ ଆସୁଛନ୍ତି।

ଅଙ୍ଗନବାଡି କେନ୍ଦ୍ରରେ ୨୦ରୁ ଅଧିକ ଶିଶୁ ନାମ ଲେଖାଇଥିଲେ ମଧ୍ୟ ଅଧିକାଂଶ ସମୟରେ ଅନୁପସ୍ଥିତ। ପାନୀୟ ଜଳ ପାଇଁ ସୋଲାର ଚାଳିତ ପମ୍ପ ସହ ଘରେ ଘରେ ଟ୍ୟାପ୍ ଲାଗିଛି। ଅଥଚ ଦୁଇ ବର୍ଷ ହେଲା ଗ୍ରାମବାସୀଙ୍କୁ ପାଣି ଟୋପାଏ ମିଳୁନି। ଝରଣା ପାଣିରେ ମେଣ୍ଟୁଛି ଶୋଷ। ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ବି ପଛରେ ଓଡ଼ିଶା। ୧୫ଟି ସୋଲାର୍ ଲାଇଟ୍ ଦେଇ କାମ ସାରି ଦେଇଥିବାରୁ ଆନ୍ଧ୍ର ଗତ ଦୁଇ ବର୍ଷ ତଳେ ନିରିବିଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଗ୍ରାମବାସୀଙ୍କ ମନ ଜିଣିଛି। ସ୍ବଚ୍ଛ ଭାରତ ଯୋଜନାରେ କେବଳ ଦୁଇଟି ପରିବାରରେ ଶୌଚାଳୟ ନିର୍ମାଣ ହୋଇଛି। ଉଜ୍ବଳା ଯୋଜନାରେ କେହି ସାମିଲ୍ ହୋଇନଥିବାରୁ କାଠ ଚୁଲା ବ୍ୟବହାର କରୁଛନ୍ତି। ୧୦୦୦ ଟଙ୍କାର ଗ୍ୟାସ ଆଣିବାକୁ ୩୫୦୦ ଟଙ୍କା ଗାଡ଼ି ଭଡ଼ା ଖର୍ଚ୍ଚ ହେଉଥିବାରୁ ଗ୍ରାମବାସୀ ଗ୍ୟାସ୍ ଚୁଲାରେ ରୋଷେଇ କରିବା କଥା ଚିନ୍ତା ହିଁ କରିନାହାନ୍ତି। ରୋଗୀ ଓ ଗର୍ଭବତୀଙ୍କ ଚିକିତ୍ସା କ୍ଷେତ୍ରରେ ମଧ୍ୟ ସମାନ୍ ସ୍ଥିତି। ପଟାଙ୍ଗି, କୋରାପୁଟ ମେଡ଼ିକାଲକୁ ଆସିବାକୁ ହେଲେ ମାଡକାର ଦେଇ ଆସିବାକୁ ପଡ଼ୁଛି। କମାଣ୍ଡରରେ ଓଡ଼ିଶା ହସ୍ପିଟାଲକୁ ଆସିବା ପାଇଁ ଭଡ଼ା ବାବଦକୁ ପ୍ରାୟ ୩୦୦୦ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ୩୦ ଟଙ୍କାରେ ଗ୍ରାମବାସୀ ସାଲୁର୍ ମେଡ଼ିକାଲ୍ ପହଞ୍ଚି ଯାଉଛନ୍ତି। କୋଟିଆରୁ ଫାଟୁସିନେରୀକୁ ଯୋଡୁଥିବା ଅଣଓସାରିଆ ରାସ୍ତାର ମାଡକାରରେ ଉଚ୍ଚସ୍ତରୀୟ ପୋଲ ନିର୍ମାଣ ସତ୍ତ୍ବେ ଫାଟୁସିନେରୀକୁ ପଟାଙ୍ଗି ସହ ଯୋଡ଼ିପାରୁନଥିବାରୁ ଓଡ଼ିଶାକୁ ଗ୍ରାମର ଦୂରତ୍ବ ବଢ଼ିବା ସହ ଆନ୍ଧ୍ରକୁ ନିକଟତର ହେବାରେ ଲାଗିଛି। ନୂଆବର୍ଷ ୨୦୨୪ରେ ଏହି ସୀମାନ୍ତ ଗାଁ ସହ କୋଟିଆ ମାମଲାର ବିଚାର କୋର୍ଟରେ ହେବ। ଯାହା ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ଭାଗ୍ୟ ନିର୍ଦ୍ଧାରଣ କରିପାରେ।

ସମ୍ବନ୍ଧିତ ଖବର