ଭିଜିଲାନ୍ସ ଜାଲରେ ଦୁଆରସୁନୀ ସ୍ୱାସ୍ଥ୍ୟକର୍ମୀ : ଆଶା କର୍ମୀ କରାଇ ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ ଦୁଆରସୁନୀ ସ୍ବାସ୍ଥ୍ୟ ଉପକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଅନିଲ ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ଭବାନୀପାଟଣା ସଦର ବ୍ଲକ୍‌ ଯମୁନା ସାଗର ଗ୍ରାମର ଉପେନ୍ଦ୍ର ବେହେରାଙ୍କ ସ୍ତ୍ରୀ ସଭ୍ୟାରାଣୀ ବେହେରାଙ୍କୁ ଆଶାକର୍ମୀ କରାଇ ଦେବା ପାଇଁ ବୋରଡ଼ା ସିଏଚ୍‌ସି ଅଧୀନରେ ଥିବା ଦୁଆରସୁନୀ ସ୍ୱାସ୍ଥ୍ୟକର୍ମୀ ଅନିଲ ସେନାପତି ୩୦ହଜାର ଟଙ୍କା ଦାବି କରିଥିଲେ। ଏନେଇ କଳାହାଣ୍ଡି ଭିଜିଲାନ୍ସ ବିଭାଗ ନିକଟରେ ଉପେନ୍ଦ୍ର ବେହେରା ଅଭିଯୋଗ କରିଥିଲେ। ବୁଧବାର ସ୍ୱାସ୍ଥ୍ୟକର୍ମୀ ଅନିଲ ଭବାନୀପାଟଣା ସହର ଗୌନ୍ତିଆପଡ଼ା କୁମ୍ଭଗଛପଡ଼ା ନିକଟରେ ଥିବା ନିଜ ବାସଭବନକୁ ଟଙ୍କା ଆଣିଦେବା ପାଇଁ କହିଥିଲେ। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ସମେତ ତାଙ୍କ ଟିମ୍‌ ଧରିଥିଲେ। ଅନିଲଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ଏହାସହ ରଙ୍ଗବୋଳା ୩୦ ହଜାର ଟଙ୍କାକୁ ଭିଜିଲାନ୍ସ ବିଭାଗ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗ ଷ୍ଟେନୋ ସନ୍ତୋଷ ମହାନ୍ତି, କନଷ୍ଟେବଳ ରାଜେଶ ନାଏକ, ଅଜୟ ସିଂ ପ୍ରମୁଖ ସାମିଲ ହୋଇଥିଲେ। ତେବେ ଏ ଟଙ୍କା ଅନିଲ ନିଜ ପାଇଁ ନେଉଥିଲେ କି ଆଉ କିଏ ଏହି କାରବାରରେ ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ଼ ହେବା ଦରକାର ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର