କୋରାପୁଟ: ନନ୍ଦପୁର ବ୍ଲକ ସଦରମହକୁମା ଠାରୁ ମାତ୍ର ୩କିଲୋ ମିଟିର ମଧ୍ୟରେ କୁଟୁଣିମାଳ ପାହାଡ଼ରେ ୫ଟି ପର୍ଯ୍ୟାୟରେ ରହିଛି ରାଣୀଡୁଡୁମା ଜଳପ୍ରପାତ। ପର୍ଯ୍ୟଟକମାନେ ଏଠାରେ ୩ ନମ୍ବର ଜଳପ୍ରପାତ ଦେଖି ପାରୁଥିବା ବେଳେ ୧, ୨, ୪ ଓ ୫ ଦୃଷ୍ଟିଆଢ଼ୁଆଳରୁ ରହିଯାଉଛି। କେବଳ ୩ନମ୍ବରକୁ ହିଁ ବନ ବିଭାଗ କିଛି ମାତ୍ରାରେ ଭିତ୍ତିଭୂମିର ବିକାଶ କରିଛି। ସୁରକ୍ଷା ଦୃଷ୍ଟିକୋଣରୁ ବାଡ଼ କିମ୍ବା ଅନ୍ୟ କିଛି ପଦକ୍ଷେପ ନିଆଯାଇ ନାହିଁ।
ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀଡୁଡୁମାରେ ରହିଛି ୫ଟି ଜଳପ୍ରପାତ। ତେବେ ୩ନମ୍ବରକୁ ସେମିଳିଗୁଡା ରେଂଜ ପକ୍ଷରୁ ବିକାଶ କରିବାକୁ କିଛି ମାତ୍ରାରେ ପ୍ରୟାସ ପାହାଚ ଓ ରାସ୍ତା , ଉଦ୍ୟାନ ଆଦି କରାଯାଇଛି। କୁଟୁଣିମାଳ ପାହାଡର ଉପର ଭାଗରେ ୩୦ଫୁଟ ବ୍ୟବଧାନରେ ରହିଛି ୨ଟି ପ୍ରପାତ। ୨ରୁ ୩ନମ୍ବର ପ୍ରପାତ ୪୦ଫୁଟ ଏବଂ ୪ ଓ ୫ନମ୍ବର ପୁଣି ୩୦ଫୁଟ ବ୍ୟବଧାନରେ ରହିଥିବା କହିଛନ୍ତି ନନ୍ଦପୁର ଫରେଷ୍ଟର। ୧, ୨ ,୪ ଓ ୫ ନମ୍ବର ଜଳପ୍ରପାତକୁ ପର୍ଯ୍ୟଟକମାନେ ପାଖରୁ ଦେଖିବାରୁ ବଂଚିତ ହେଉଛନ୍ତି।
ତେବେ ୩ନମ୍ବର ଜଳପ୍ରପାତରୁ ୧ ଓ ୨ରୁ ପାଣି ଝରି ଝରି ଆସୁଥିଲେ ହେଁ ସ୍ପଷ୍ଟ ଭାବେ ସବୁ ଦିଶୁନି। ତେଣୁ ପର୍ଯ୍ୟଟକମାନେ ଏହା ଦେଖିବା ପାଇଁ ପଥର ଉପରେ ଅସୁରକ୍ଷିତ ଅବସ୍ଥାରେ ଚଢ଼ୁଥିବା ଦେଖିବାକୁ ମିଳିଛି। ୩ନମ୍ବରରୁ ତଳକୁ ଖସୁଥିବା ୪ ଓ୫ ଜଳପ୍ରପାତ ଗଛ ଓ ଡାଳର ଉହୁଡାରୁ ଦିଶୁଛି। ଏକା ସହ ୫ଟି ଯାକ ଜଳପ୍ରପାତ ଦେଖିବା ବ୍ୟବସ୍ଥା ପ୍ରଶାସନ ଓପର୍ଯ୍ୟଟନ ବିଭାଗ ପକ୍ଷରୁ କରିବା ପାଇଁ ଯୋଜନା କରିବା ଆବଶ୍ୟକ। ତଳକୁ ଖସୁଥିବା ୪ ଓ ୫ ଜଳପ୍ରପାତକୁ ଦେଖିବା ପାଇଁ ପର୍ଯ୍ୟଟକ ମାନେ ଗୋଟିଏ ପାର୍ଶ୍ବରୁ ଅନ୍ୟପାର୍ଶ୍ବକୁ ପାଣିରେ ଡେଇଁ କିମ୍ବା ଝରଣା ମଧ୍ୟ ଦେଇ ଯାଉଛନ୍ତି। ୩ନମ୍ବର ଜଳପ୍ରପାତ ନିକଟରେ ସୁରକ୍ଷା ବାଢ଼ ନାହିଁ।
ସେଲଫି ନେବା, ଫଟୋ ଉଠାଉଥିବା ସମୟରେ ବହୁ ପର୍ଯ୍ୟଟକ ତଳକୁ ଖସି ଗୁରୁତର ଆହତ ହେବା ବି ନଜିର ରହିଛି। ୩ନମ୍ବର ଜଳପ୍ରପାତ ନିକଟରେ ଥିବା ପଥର ଉପରେ ଫଟୋ ଉଠାଇବା ସମୟରେ ପଥରରେ ପାଣି ପଡି ସିଉଳି ହୋଇଥିବା ସ୍ଥାନରେ ପାଦ ପକାଇ ବହୁ ପର୍ଯ୍ୟଟକ ତଳକୁ ଖସି ପଡ଼ି ଆହତ ହେଉଛନ୍ତି। ୫ଟି ଜଳପ୍ରାପାତର ସମ୍ପୁର୍ଣ୍ଣ ବିକାଶ ସହ ସୁରକ୍ଷା ବାଡ଼ ଆଦିକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବହୁ ପର୍ଯ୍ୟଟକ।