ରୂପ୍‌ସା: ବୃଦ୍ଧଙ୍କ ଶବକୁ ମିଳିଲାନି ସମ୍ମାନ। ପୁଅଙ୍କ ଜିଦ୍‌ ପାଇଁ ଡାକ୍ତରଖାନା ନେଇଥିବା ଲୋକମାନେ ଟ୍ରଲିରେ ମରଶରୀର ଘରେ ପହଞ୍ଚାଇଛନ୍ତି। ଏପରି ଏକ ବେଦନଦାୟକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ରେ। ସୂଚନା ଅନୁସାରେ; ଗତକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ଥିଲା। ବସ୍ତା ବ୍ଲକ୍‌ ଅଧୀନ ଗଡ଼ପଦା ପଞ୍ଚାୟତ ହୀରାପୁର ସରକାରୀ ହାଇସ୍କୁଲ୍‌ ମତଦାନ କେନ୍ଦ୍ରକୁ ନାଗାଖଣି ଗ୍ରାମର ବୀରେନ୍ଦ୍ର ଟୁଡୁ (୭୯) ଯାଇଥିଲେ। ତେବେ ପ୍ରବଳ ଗରମ ଯୋଗୁ ସେ ସେଠାରେ ଅସୁସ୍ଥ ହୋଇପଡ଼ିଥିଲେ। ଗାଡ଼ି ନମିଳିବାରୁ ସ୍ଥାନୀୟ ୱାର୍ଡସଭ୍ୟ ଫକୀରମୋହନ ପ୍ରଧାନଙ୍କ ସହ କିଛି ଲୋକ ତାଙ୍କୁ ଏକ ଟ୍ରଲିରେ ରୂପ୍‌ସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ।

Advertisment

ହେଲେ ଚିକିତ୍ସାଧୀନ ଅବସ୍ଥାରେ ବୀରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଶ୍ରୀ ପ୍ରଧାନ ମୃତ ବୀରେନ୍ଦ୍ରଙ୍କ ଦୁଇପୁଅଙ୍କ ସହ ମୋବାଇଲ୍‌ରେ ଯୋଗାଯୋଗ କରିଥିଲେ। ତେବେ ପୁଅମାନେ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ। ସେମାନେ କହିଥିଲେ; ବାପାଙ୍କୁ ଯେମିତି ନେଇଯାଇଥିଲ, ସେମିତି ଘରେ ପହଞ୍ଚାଇ ଦିଅ। ଏହିସମୟରେ ରାଉତପଡ଼ା ସମବାୟ ସମିତି ସଭାପତି ଦେବାଶିଷ ମହାପାତ୍ର ଏବଂ ଆଉ କିଛି ବ୍ୟକ୍ତିଙ୍କ ସହ ରୂପ୍‌ସା ପୁଲିସ ପହଞ୍ଚିଥିଲା। ହେଲେ କ’ଣ ହେଲା କେଜାଣି; ବ୍ୟବଚ୍ଛେଦ ନକରାଇ ପୁଲିସ ବାବୁ ଶବ ଛାଡ଼ି ଦେଇଥିଲେ। ଫଳରେ ଶ୍ରୀ ପ୍ରଧାନ ଓ ଅନ୍ୟମାନେ ଯେଉଁ ଟ୍ରଲିରେ ବୀରେନ୍ଦ୍ରଙ୍କୁ ଡାକ୍ତରଖାନା ନେଇଥିଲେ, ସେହି ଟ୍ରଲିରେ ମରଶରୀର ଘରେ ପହଞ୍ଚାଇ ଦେଲେ। ଏନେଇ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିନୟ ଦାସ ମହାପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ଚିକିତ୍ସାଧୀନ ଅବସ୍ଥାରେ ବୀରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ତେବେ ପୁଲିସ ସହ କଥାବାର୍ତ୍ତା ହେବାପରେ ଯେଉଁମାନେ ରୋଗୀଙ୍କୁ ଡାକ୍ତରଖାନା ଆଣିଥିଲେ, ସେମାନେ ରୋଗୀଙ୍କ ଶବ ନେଇ ପଳାଇଗଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୃତ ବୀରେନ୍ଦ୍ରଙ୍କ ପୁଅମାନେ ବାହାର ରାଜ୍ୟରେ ଯାଇ କାମ କରୁଛନ୍ତି।