କୋଇଡ଼ା : କଟକ ବଡ଼ ଡାକ୍ତରଖାନାରେ ଜଣେ ଗୁରୁତର ପ୍ରସୂତି ଓ ନବଜାତକଙ୍କ ମୃତ୍ୟୁ ହୋଇଗଲା। ମାତ୍ର ଗରିବ ସ୍ବାମୀଟି ଟଙ୍କା ଯୋଗାଡ଼ କରିପାରିଲା ନାହିଁ। ସାଥିରେ ଯାଇଥିବା ଆଶାଦିଦି କେତେ କାହାକୁ ଗୁହାରିକଲେ। ମାତ୍ର କିଛି ସୁଫଳ ମିଳିଲାନି। ତେଣୁ କଟକ ବଡ଼ ଡାକ୍ତରଖାନାରେ ରାତିସାରା ପଡ଼ିରହିଲା ଶବ। ସକାଳେ ସ୍ଥାନୀୟ ସାମ୍ବାଦିକ ସଂଘ ସହାୟତାରେ ଉଭୟଙ୍କ ଶବ ଗାଁକୁ ଫେରିବା ପରେ ଗାଁରେ ସୃଷ୍ଟିହୋଇଛି ଶୋକାକୁଳ ପରିସ୍ଥିତି।

Advertisment

କୋଇଡା ବ୍ଲକ୍ ଖଣିଖାଦାନରେ ଭରପୂର ମାଲଦା ପଞ୍ଚାୟତର ଗଣୁଆଁ ପଟବେଡ଼ା ଗ୍ରାମର ଗରିବ ଦମ୍ପତି ସାରା ମୁଣ୍ଡା(୩୫) ଓ ପତ୍ନୀ ବୁବେଇ(୩୩)। ପୂର୍ବରୁ ବୁବେଇ ଦୁଇଥର ଅସ୍ତ୍ରୋପଚାର ଜରିଆରେ ଶିଶୁଜନ୍ମ କରିଥିଲେ ବି ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ବୁବେଇ ପୁନର୍ବାର ଗର୍ଭବତୀ ହୋଇଥିବାବେଳେ ଗତକାଲି ହଠାତ୍ ତାଙ୍କର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସ୍ଥାନୀୟ ଆଶାଦିଦି କେଶବତୀ ପାତ୍ର ସମାଜସେବୀ ବାଦଲ ବାରିକଙ୍କ ସହାୟତାରେ ଗୋଟିଏ ଗାଡ଼ି ସାହାଯ୍ୟରେ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। କେନ୍ଦୁଝର ଡାକ୍ତରଖାନା ପହଞ୍ଚିଲାବେଳକୁ ତାଙ୍କ ଦେହରେ ଏକ ପ୍ରତିଶତରୁ କମ୍ ହିମୋଗ୍ଲୋବିନ୍‌ ରହିଥିଲା। କେନ୍ଦୁଝରର ଏକ ସ୍ବେଚ୍ଛାସେବୀ ସଂଗଠନ ଲାଇଫ୍‌ ସେଭର୍ସ ଗ୍ରୁପ୍‌ ଟ୍ରଷ୍ଟ ପକ୍ଷରୁ ବବିତା ରାମ୍ ସିଡିଏମ୍‌ଓ କିଶୋର ପୃଷ୍ଟିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତ୍ୱରିତ୍‌ ପଦକ୍ଷେପ ସ୍ୱରୂପ ବୁବେଇଙ୍କୁ ରକ୍ତ ପ୍ରଦାନ କରାଯାଇ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରି ଶିଶୁଜନ୍ମ କଲାବେଳକୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ବୁବେଇ ଓ ନବଜାତଙ୍କ ମୃତ୍ୟୁ ଘଟିଥିଲା।

ସାଥୀରେ ଯାଇଥିବା ଆଶାଦିଦି ସେଠାରେ ଶବନେବାକୁ ଆମ୍ବୁଲାନ୍ସ ପାଇଁ ଅଧିକାରୀଙ୍କୁ ଗୁହାରି କରିଥିଲେ ବି କୌଣସି ଆମ୍ବୁଲାନ୍ସ ମିଳି ନ ଥିଲା। ବେସରକାରୀ ଆମ୍ବୁଲାନ୍ସ ୯ ରୁ ୧୦ ହଜାର ଟଙ୍କା ଲାଗିବ କହିଲେ। ହେଲେ ଦିଦିଙ୍କ ପାଖରେ ସେତିକି ଟଙ୍କା ନଥିବାରୁ ରାତିସାରା କଟକ ବଡ଼ ଡାକ୍ତରଖାନାରେ ଶବ ପଡ଼ିରହିଲା। ସକାଳେ କେନ୍ଦୁଝରର ସମାଜସେବୀ ସଞ୍ଜୀବ ସାହୁ ଖବରପାଇ କୋଇଡ଼ା ସାମ୍ବାଦିକ ସଂଘକୁ ଯୋଗାଯୋଗ କରି କେମିତି ଶବ ଗାଁରେ ପହଞ୍ଚି ପାରିବ ସେ ବିଷୟରେ ଅନୁରୋଧ କରିଥିଲେ। ସ୍ଥାନୀୟ ସାମ୍ବାଦିକ ସଂଘ ଆମ୍ବୁଲାନ୍ସ ଓ ଶେଷକୃତ୍ୟ ପାଇଁ ସହାୟତାର ହାତ ବଢ଼ାଇବା ସହ ଅନ୍ତିମସତ୍କାର କରିଥିଲେ। ସଂଘର ସଞ୍ଜୀବ ମହାପାତ୍ର, ଅବିନାଶ ଶର୍ମା, ସମୀର ପାଢ଼ୀ, ସୁଶାନ୍ତ ଦାଶ, ପ୍ରମିଳା ନାୟକ, ରାକେଶ ମହାନ୍ତି, ସୁଦାମ ବାରିକ, ଆକାଶ ଶର୍ମା, ଗଣେଶ ଆପଟ, ଦିଲୀପ ମହାକୁଡ଼, ସରୋଜ ମାହାନା ପ୍ରମୁଖ ସମସ୍ତ କାର୍ଯ୍ୟରେ ସହାୟତା କରିଥିଲେ।

ସୂଚନାଯୋଗ୍ୟ ଯେ, କୋଇଡ଼ା ବ୍ଲକ୍‌ରୁ କେବଳ ଖଣି ରାଜସ୍ବ ଆକାରରେ ସରକାର ବର୍ଷକୁ ୫ ହଜାର କୋଟିରୁ ଅଧିକ ଆଦାୟ କରୁଛନ୍ତି। କିନ୍ତୁ ଏହି ଅଞ୍ଚଳର ସ୍ବାସ୍ଥ୍ୟସେବାର ବିକଳଚିତ୍ର କହିଲେ ନ ସରେ। ସ୍ବାସ୍ଥ୍ୟସେବା ପାଇଁ ଏ ଅଞ୍ଚଳର ଏକମାତ୍ର କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷ ବ​ର୍ଷ ଧରି ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଅଲ୍‌ଟ୍ରାସାଉଣ୍ଡ ବ୍ୟବସ୍ଥା ନାହିଁ କି ରକ୍ତଭଣ୍ଡାର ନଥିବାରୁ ରକ୍ତ ଅଭାବରୁ ଅନେକ ସମୟରେ ଜୀବନ ଚାଲିଯାଉଛି। ଏମିତି କି ମାତୃଜ୍ୟୋତି ଯୋଜନା ପାଇଁ ମଧ୍ୟ କୋଇଡ଼ା ଅଞ୍ଚଳବାସୀ ଅନ୍ୟ ଜିଲ୍ଲା ଉପରେ ନିର୍ଭରଶୀଳ। ଯଦି କୋଇଡ଼ା ଡାକ୍ତରଖାନାରେ ଉନ୍ନତ ବ୍ୟବସ୍ଥା ସହ ରକ୍ତଭଣ୍ଡାରଟିଏ ଥାଆନ୍ତା, ତେବେ ବୁବେଇଙ୍କ ମୃତ୍ୟୁ ହୋଇ ନ ଥାନ୍ତା ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି।