ରସୁଲପୁର: ବର୍ଷା ଅଭାବରୁ ଚଳିତ ବର୍ଷ ରସୁଲପୁର ବ୍ଲକ୍ରେ ଖରିଫ ଫସଲ ପ୍ରଭାବିତ ହୋଇଛି। ଶୀତଦିନିଆ ଚିନାବାଦାମ ଓ ଧଣିଆ ଭଳି ଅର୍ଥକରୀ ଫସଲ କରିଥିବା ଚାଷୀମାନେ ବିପୁଳ କ୍ଷତି ସହିବାର ଆଶଙ୍କା କରୁଛନ୍ତି। ଗତ ଅକ୍ଟୋବର ମାସରୁ ଏହି ବ୍ଲକ୍ରେ ବର୍ଷା ହୋଇନାହିଁ। ଏହାଦ୍ବାରା ଚିନାବାଦାମ ଓ ଧଣିଆ ଫସଲ ପାଇଁ ଜମିରେ ଆର୍ଦ୍ରତା କମ୍ ରହିଲା। ଚିନାବାଦାମରେ ବେଉଷଣ ପରେ ଅସରାଏ କିମ୍ବା ଦୁଇ ଅସରା ବର୍ଷା ହେଲେ ଭଲ ଅମଳ ହୋଇଥାଏ। ଫଳ ଅଧିକ ଧରେ ଏବଂ ଭଲ ପାକଳ ହୋଇ ଓଜନ ବଢ଼ିଥାଏ। ଚଳିତ ବର୍ଷ ଚିନାବାଦାମ ଫସଲରୁ ଆଶାନୁରୂପ ଅମଳ ମିଳିବ ନାହିଁ ବୋଲି ଟିକରପଡ଼ା ପଞ୍ଚାୟତ ଦରକୁଣ୍ତି ଗ୍ରାମର ଚାଷୀ ଶ୍ୟାମସୁନ୍ଦର ନାୟକ, ଅଶୋକ ସେଠୀ, କୃଷ୍ଣଚନ୍ଦ୍ର ଦାସ, ଟିକରପଡ଼ା ଗ୍ରାମର ଅମର ପାତ୍ର ଓ ବାବୁଲି ରଣା, ଶ୍ରୀବନ୍ତପୁର କୁଶମଣି ସାହୁ, ନରେଶ ରାଉତ, ନନ୍ଦ ବେହେରା, ବିଭୂତି ସାହୁ କହିଛନ୍ତି। ବର୍ତ୍ତମାନ ଚିନାବାଦାମ ଉପୁଡ଼ା ଚାଲିଛି। ଗୋଟିଏ ଗଛରେ ମାତ୍ର ୩ ରୁ ୪ଟି ଫଳ ହୋଇଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଏକର ପ୍ରତି ଅମଳ ଅତିବେଶିରେ ୪ କ୍ବିଣ୍ଟାଲରୁ ୪.୫ କ୍ବିଣ୍ଟାଲ୍ ହୋଇପାରେ। ବଜାର ଦର ହିସାବକୁ ନେଲେ ଏତିକି ଚିନାବାଦାମର ଦାମ୍ ୨୦ ରୁ ୨୨ ହଜାର ହୋଇପାରେ। ବିକ୍ରି ପର୍ଯ୍ୟନ୍ତ ଏକର ପ୍ରତି ଖର୍ଚ୍ଚ ଅତିକମ୍ରେ ୨୭ ରୁ ୩୦ ହଜାର ଟଙ୍କା ହେଉଛି।
ଚିନାବାଦାମ ଗଛଗୁଡ଼ିକ ବର୍ଷା ଅଭାବରୁ ଶୁଖି ଜଳି ଯାଇଥିବାରୁ ଉପାଡ଼ିବାରେ ସମସ୍ୟା ହେଉଛି। ତେଣୁ ଅମଳ ଖର୍ଚ୍ଚ ଚଳିତ ବର୍ଷ ଅଧିକ ହେଉଛି। ଯଦି ଜଳସେଚନ ସୁବିଧା ରହିଥାନ୍ତା ତାହେଲେ ପାଣି ମଡ଼ାଇ ଫସଲକୁ ସୁରକ୍ଷା ଦିଆଯାଇ ପାରିଥାନ୍ତା। ରସୁଲପୁର ବ୍ଲକ୍ରେ ଜଳସେଚନ ସୁବିଧା ଆଦୌ ନାହିଁ। ଯେଉଁ କେତେକ ଚାଷୀ ନିଜସ୍ବ ଉଦ୍ୟମରେ ବୋରିଂ କରିଛନ୍ତି କିରାସିନି କିମ୍ବା ଡିଜେଲ ଦର ଅଧିକ ହେତୁ ଆବଶ୍ୟକ ପାଣି ମଡ଼ାଇବାରେ ଅସୁବିଧା ହୋଇଛି। ପାଟଗୁଡ଼ିକରେ ରହିଥିବା ନାଳ କିମ୍ବା ଗଡ଼ିଆ ପୋଖରୀ ମଧ୍ୟ ବର୍ଷା ଅଭାବରୁ ଶୁଖି ଗଲାଣି।
ଏଠାରେ ପ୍ରକାଶଯୋଗ୍ୟ ଯେ ରସୁଲପୁର ବ୍ଲକ୍ରେ ଥିବା ସମସ୍ତ ଉଠା ଜଳସେଚନ ପଏଣ୍ଟ ଅଚଳ ହୋଇଯାଇଛି। ବହୁ ଦିନ ହେଲା ଏହିସବୁ ପଏଣ୍ଟ ଅଚଳ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ କରିବା ପାଇଁ ଉଠା ଜଳସେଚନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କେବଳ ଚିନାବାଦାମ ନୁହେଁ, ଅନ୍ୟ ଏକ ବିକଳ୍ପ ଅର୍ଥକରୀ ଫସଲ ଧଣିଆ ଚାଷ କରିଥିବା ଚାଷୀମାନେ ମଧ୍ୟ ବର୍ଷା ଅଭାବରୁ ଚଳିତ ବର୍ଷ ବିପୁଳ କ୍ଷତି ସହିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/16-3.jpg)