ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍‌ସ, ଖଟିଆ ପରେ ଅଟୋରେ ମେଡିକାଲ୍‌ ଗଲେ ଗର୍ଭବତୀ

ଦେବଗଡ଼: ଦେବଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଭଲ ରାସ୍ତା ନ ଥିବାରୁ ଆଜି ବି ଲୋକଙ୍କୁ ଖଟିଆ ଉପରେ ନିର୍ଭର କରିବାକୁ ପଡ଼ୁଛି। ସରକାରୀ ଲୋକମାନଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା କହୁଥିବା ବେଳେ ରୋଗୀ କିପରି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପାରିବ ସେ ନେଇ କୌଣସି ବ୍ୟବସ୍ଥା କରିପାରୁ ନାହାନ୍ତି। ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଗାଁକୁ ରାସ୍ତା ନଥିବା ଏବଂ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଯାଇ ନପାରିବା ଭଳି ଚିତ୍ର ବ୍ୟଥିତ କରୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ ଅନ୍ତର୍ଗତ ନଳବନ୍ଧ ଗ୍ରାମରେ। ଗ୍ରାମର ମଦନ ମୁଣ୍ଡାଙ୍କ ପତ୍ନୀ ଆଞ୍ଜେଲିନା ଶନିବାର ରାତିରେ ପ୍ରସବ ବେଦନା ପାଇଥିଲେ। ଏ ନେଇ ଆମ୍ବୁଲାନ୍‌ସ ଯୋଗାଯୋଗ କରାଯାଇଥିଲେ ମଧ୍ୟ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ପହଞ୍ଚି ପାରି ନଥିଲା। ସକାଳ ହେବା ପରେ ବାଧ୍ୟ ହୋଇ ମଦନ ଏବଂ ଗ୍ରାମର କିଛି ମହିଳା ଓ ପୁରୁଷ ଏକ ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ଅ‌ାଣିଥିଲେ। ସେଠାରୁ ଅଟୋରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ସୁବିଧା ପାଇଁ ନାନା ଯୋଜନା କରୁଥିବାବେଳେ ଆଜି ବି ନଳବନ୍ଧ ଗ୍ରାମକୁ ରାସ୍ତା ଖଣ୍ଡିଏ ନାହିଁ। ଲୋକଙ୍କୁ ପାହାଡ଼ ଡେଇଁ ପାହାଡ଼ର ଅଙ୍କାବଙ୍କା ରାସ୍ତା ଦେଇ ମୁଖ୍ୟ ରାସ୍ତାରେ ପହଞ୍ଚନ୍ତି। ସେମାନେ ତାଙ୍କର ମୌଳକ ସୁବିଧାରୁ ଏବେ ବି ବଞ୍ଚିତ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗ୍ରାମାଞ୍ଚଳ ତଥା ଆଦିବାସୀ ବହୁଳ ଅଞ୍ଚଳକୁ ରାସ୍ତା ନିର୍ମାଣ କରି ଜନସାଧାରଣଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କାର ଯୋଜନା କରୁଥିଲେ ମଧ୍ୟ ବାସ୍ତବିକ ଚିତ୍ର କିନ୍ତୁ ଅଲଗା।

ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଗାଁଗୁଡିକରେ ସରକାରୀ ସରକାରୀ ଯୋଜନା ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି କରୁଥିବାବେଳେ ମିଳୁଛି କେବଳ ପ୍ରତିଶ୍ରୁତି ହିଁ ମିଳୁଛି। ରାସ୍ତା ନିର୍ମାଣ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବଣିଆକିଲିଣ୍ଡା ପଞ୍ଚାୟତ ନଳବନ୍ଧ ଗ୍ରାମରେ ପ୍ରାୟ ୨୫ରୁ ଅଧିକ ପରିବାର ବସବାସ କରନ୍ତି। ଗ୍ରାମକୁ ଯିବାକୁ ହେଲେ ପାହାଡ଼ ଡେଇଁ ଯିବାକୁ ପଡେ। ରାସ୍ତା ନଥିବାରୁ ଗ୍ରାମରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ ପାହାଡ଼ ଡେଇଁ ଉପଯୁକ୍ତ ରାସ୍ତା ନଥିବାରୁ ପାହାଡ଼ର ଅଙ୍କାବଙ୍କା ରାସ୍ତାଦେଇ ଦେବଗଡ଼ ମୁଖ୍ୟ ଚିକତ୍ସାଳୟକୁ ରୋଗୀକୁ ଆଣିବା ବେଳେ ବିଭିନ୍ନ ସମୟରେ ବାଟରେ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହା ସହିତ ଜଙ୍ଗଲରେ ହିଂସ୍ରଜନ୍ତୁଙ୍କ ଭୟ ବି ରହିଛି। ଉକ୍ତ ଗ୍ରାମକୁ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମା ଦାବି କରିଛନ୍ତି।

ଗ୍ରାମବାସୀମାନେ ରାସ୍ତା ନିର୍ମାଣ ପାଇଁ ଦାବି କରୁଥିବାବେଳେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାର ଅଛି। ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ ତଥା ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଗ୍ରାମଗୁଡିକୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଗସ୍ତ କରି ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଆ‌ଜି ବି ଉକ୍ତ ଅଂଚଳକୁ ସେମାନଙ୍କ ଗସ୍ତ ପରେ ବହୁ ଗ୍ରାମରେ ଅନେକ ସମସ୍ୟା ରହିଛି। ଏହାସହିତ ଆଜି ଜିଲ୍ଲାର ୨୦ଟି ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁ ନଥିବା ଜଣାପଡ଼ିଛି। ଏଥି ପ୍ରତି ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର