ରାଉରକେଲା: ରାଜ୍ୟରେ ଆଳୁ ସଙ୍କଟକୁ ଦୂର କରି ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଆଳୁ ଯୋଗାଇବାକୁ ରାଜ୍ୟ ସରକାର ୨୦୧୫-୧୬ ମସିହାରେ ଆଳୁ ମିସନ ଆରମ୍ଭ କରିଥିଲେ। ରାଜ୍ୟରେ ବାର୍ଷିକ ୧୩ ଲକ୍ଷ ଟନ୍ ଆଳୁ ଆବଶ୍ୟକତା ଥିବାବେଳେ ମାତ୍ର ୩ ଲକ୍ଷ ଟନ୍ ଚାଷ ହେଉଛି। ଏଥିରେ ବୃଦ୍ଧି କରିବା ହିଁ ଯୋଜନାର ମୂଳ ଲକ୍ଷ୍ୟ ଥିଲା। ତେବେ ଏହି ଯୋଜନା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଫଳ ହୋଇସାରିଲାଣି। ସରକାରୀ ପ୍ରୋତ୍ସାହନ, ଭିତ୍ତିଭୂମି ସ୍ଥାପନରେ କ୍ରମାଗତ ଅବହେଳା ଯୋଗୁଁ ଆଳୁ, ପିଆଜ ପାଇଁ ଚାଷୀକୂଳ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁ ହାତଗଣତି ଚାଷୀ ଏହି ଚାଷ କରୁଛନ୍ତି, ସେମାନେ ଆର୍ଥିକ କ୍ଷତି ସହିବା ହିଁ ସାର ହେଉଛି।
ଜିଲ୍ଲାରେ ମୋଟ୍ ୩ ଲକ୍ଷ ୧୩ ହଜାର ହେକ୍ଟର ଚାଷ ଜମି ରହିଛି। ଏଥିମଧ୍ୟରୁ ୨.୧୨ ଲକ୍ଷ ହେକ୍ଟରରେ ଧାନ ଚାଷ ଓ ୧.୧ ଲକ୍ଷ ହେକ୍ଟର ଜମିରେ ଅଣଧାନ ଚାଷ ହେଉଛି। ଅଣଧାନ ପାଇଁ ଉଦ୍ଧିଷ୍ଟ ଜମି ମଧ୍ୟରୁ ପାଖାପାଖି ୩୦/୩୫ ହଜାର ହେକ୍ଟର ଜମିରେ ପନି ପରିବା ଚାଷ ହେଉଥିବାବେଳେ ଏଥିମଧ୍ୟରୁ ମାତ୍ର ୨୦୫୦ ହେକ୍ଟରରେ ଆଳୁ ଓ ୧୮୨୫ ହେକ୍ଟର ଜମିରେ ପିଆଜ ଚାଷ ହେଉଛି। ଜିଲ୍ଲାରେ ମୁଖ୍ୟତଃ ଖରିଫ୍ ଋତୁରେ ଆଳୁ ଚାଷ କରାଯାଇଥାଏ। ସ୍ବଳ୍ପ ପରିମାଣରେ ଜମିରେ ଆଳୁ ଚାଷ ହେଉଥିବାରୁ ଉତ୍ପାଦନ ମଧ୍ୟ ତଦନୁସାରେ କମ୍ ରହୁଛି। ଆଳୁ ହେକ୍ଟର ପିଛା ପାଖାପାଖି ୧୨ ଟନ୍ ଓ ପିଆଜ ପ୍ରାୟ ୧୧.୫ ଟନ୍ ଉତ୍ପାଦିତ ହୋଇଥାଏ। ତେବେ ଏହି ଆଳୁ, ପିଆଜ ଚାଷ ବାବଦକୁ ହେକ୍ଟର ପିଛା ପାଖାପାଖି ୧ ଲକ୍ଷ ୨୦/୩୦ ହଜାର ଟଙ୍କା ବ୍ୟୟ ହୋଇଥାଏ। ତେବେ ଚାଷୀକୂଳ ଏହାର ଠିକ୍ ଦର ପାଇବାରୁ ବଞ୍ଚିତ ହେଉଛନ୍ତି। ଏମିତିକି ଆଳୁ କେଜି ପ୍ରତି ମାତ୍ର ୪/୫ ଟଙ୍କାରେ ବିକ୍ରି କରିବାର ନଜିର ରହିଛି। ଫଳରେ ଚାଷୀ ଲାଭ ପାଇବା ତ ଦୂରର କଥା, ମୂଳ ବି ପାଉନାହାନ୍ତି। ଆଳୁ ଗଚ୍ଛିତ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳଭଣ୍ଡାର ବି ସ୍ଥାପନ କରାଯାଉନି।
ଜିଲ୍ଲାରେ ୫ଟି ଶୀତଳଭଣ୍ଡାର, ବଡ଼ଗାଁ(୫ ହଜାର ମାଟ୍ରିକ୍ ଟନ୍ କ୍ଷମତା), ବଣାଇଁ(୫ ହଜାର ମାଟ୍ରିକ ଟନ୍), କିଞ୍ଜିରିକେଲା(୫୦୦୦ ମାଟ୍ରିକ ଟନ୍), ରାଉରକେଲା(୧୫୦୦ ମାଟ୍ରିକ ଟନ୍) ଓ ନୂଆଗାଁ(୧୫୦୦ ମାଟ୍ରିକ ଟନ୍)ରେ ରହିଛି। ତେବେ ଏଥିମଧ୍ୟରୁ ବଣାଇ ଓ କିଞ୍ଜିରିକେଲାରେ ଥିବା ଶୀତଳଭଣ୍ଡାର ଦୀର୍ଘ ଦିନ ହେଲା ଅଚଳ ହୋଇପଡ଼ିଛି। ଅବଶିଷ୍ଟ ତିନି ଶୀତଳଭଣ୍ଡାର ମଧ୍ୟ ଉଦ୍ଦେଶ୍ୟ ପୂରଣ କରିପାରୁନି। ଚାଷୀ ଏହାର ସେବା ନେବା ପରିବର୍ତ୍ତେ ସ୍ବଳ୍ପ ମୂଲ୍ୟରେ ନିଜ ନିଜ ସାମଗ୍ରୀ ବିକ୍ରି କରିବାକୁ ଉଚିତ ମଣୁଛନ୍ତି। ଆଳୁ ଭଳି ପିଆଜ ଚାଷର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହୋଇପାରୁନି। ଉତ୍ପାଦିତ ପିଆଜକୁ ଗଚ୍ଛିତ ରଖିବାକୁ ଜିଲ୍ଲା କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଜିଲ୍ଲାରେ ୫ଟି ‘ପିଆଜ ସାଇତା ଗୃହ’ ନିର୍ମାଣ କରାଯାଇଛି। ଜାମଧରା(ନୂଆଗାଁ), କାରୁଆବାହାଲ(ବାଲିଶଙ୍କରା), ସିଆମାଲ(ସୁନ୍ଦରଗଡ଼), ଚକ୍ରଧରପୁର(ଲେଫ୍ରିପଡ଼ା) ଓ ମାଲିଡ଼ିହି(ସବଡେଗା)ରେ ସ୍ଥାପିତ ଏହି ପିଆଜ ସାଇତା ଗୃହର ଧାରଣ କ୍ଷମତା ୨୫ ଟନ୍। ଧାରଣ କ୍ଷମତା ବି ଢ଼େର୍ କମ୍ ଥିବାରୁ ବହୁ ଚାଷୀ ସେବା ନିଜ କଷ୍ଟ ଉପାର୍ଜିତ ପିଆଜ ଗଚ୍ଛିତ କରି ରଖିପାରୁନାହାନ୍ତି। ଫଳରେ ନଷ୍ଟ ହେବା ଆଶଙ୍କାରେ ଢ଼େର୍ କମ୍ ଦରରେ ଖୋଲାବାଜରରେ ବିକ୍ରି କରୁଛନ୍ତି।
ଆଳୁ ଓ ପିଆଜ ଚାଷ ପାଇଁ ସରକାରୀ ସ୍ତରରେ ସବ୍ସିଡି ଦିଆଯାଉଛି; କିନ୍ତୁ ତାହା ସମୁଦ୍ରକୁ ଶଂଖେ ସଦୃଶ। ଗୋଟିଏ ପିଆଜ ସାଇତା ଗୃହନିର୍ମାଣ ପାଇଁ ପାଖାପାଖି ୧.୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଥାଏ। ମୋଟ ବ୍ୟୟର ୫୦ ପ୍ରତିଶତ ଅର୍ଥ ସବ୍ସିଡି ହିସାବରେ ଦିଆଯାଇଥାଏ। ସେହିଭଳି ଆଳୁଚାଷ ପାଇଁ ସରକାରଙ୍କ ପକ୍ଷରୁ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥାଏ। ତେବେ ଚାଷୀମାନେ ଢ଼େର୍ ଅଧିକ ଅର୍ଥ ବ୍ୟୟ କରୁଥିବାରୁ କ୍ଷତି ସହିଥାନ୍ତି। ଯଦ୍ବାରା ପରବର୍ତ୍ତୀ ବର୍ଷରେ ପୁନର୍ବାର ଏହି ଚାଷ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏମିତିକି ଜଳଯୋଗାଣ ଅବ୍ୟବସ୍ଥାରେ ବି ସୁଧାର ଆସୁନି। ଜିଲ୍ଲାର ମାଟି ଓ ପରିବେଶ ଆଳୁ ଚାଷ ଅନୁକୂଳ। କିନ୍ତୁ ଜଳସେଚନ ବ୍ୟବସ୍ଥାର ଘୋର ଅଭାବ ରହିଛି। ଏସବୁ ଅସରନ୍ତି ସମସ୍ୟା ଯୋଗୁଁ ଜିଲ୍ଲାରେ ଆଳୁ, ପିଆଜ ଚାଷ ଆଖିଦୃଶିଆ ହୋଇପାରୁନି।