ଝାଡ଼ଖଣ୍ଡରେ ଏକାଧିକ ବ୍ୟାରେଜ ଓ ଡ୍ୟାମ୍ ନିର୍ମାଣ ଯୋଗୁଁ ବ୍ରାହ୍ମଣୀର ଜଳଧାରା ହ୍ରାସ ଅଭିଯୋଗ

୮ ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ : ଓଡିଶାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଅର୍ଥାତ ଝାଡଖଣ୍ଡରେ ଏକାଧିକ ବ୍ୟାରେଜ ଓ ଡ୍ୟାମ ନିର୍ମାଣ ଯୋଗୁଁ ସମସ୍ୟା ଦେଖା ଦେଇଛି। ଝାଡଖଣ୍ଡରେ ନିର୍ମାଣ କରାଯାଇଥିବା ଏପରି ବ୍ୟାରେଜ ଓ ଡ୍ୟାମ୍ ଯୋଗୁଁ ଓଡ଼ିଶାରେ ବ୍ରାହ୍ମଣୀ-ଖରସ୍ରୋତା ନଦୀର ଜଳଧାରା ବ୍ୟାପକ ଭାବେ ହ୍ରାସ ପାଇଛି। ଫଳରେ ରାଜ୍ୟର ୬ଟି ଜିଲ୍ଲାର ବାସିନ୍ଦାଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଏଭଳି ପ୍ରସଂଗ ଉଲ୍ଲେଖ କରି ଅଲେଖ ନାୟକଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୧୭, ଅଗଷ୍ଟ ୩୦ରେ କେନ୍ଦ୍ର ସରକାର ଜବାବ ଦାଖଲ କରିଥିଲେ। କିନ୍ତୁ ମାମଲାରେ ପକ୍ଷ ଥିବା ଓଡ଼ିଶା ସରକାର ଓ ଝାଡଖଣ୍ଡ ସରକାର ଏ ପର୍ଯ୍ୟନ୍ତ ଜବାବ ଦାଖଲ କରି ନାହାନ୍ତି। ଏହା ଅନ୍ତଃରାଜ୍ୟ ଜଳ ବିବାଦ ପ୍ରସଂଗ ସହିତ ଜଡିତ ବୋଲି କେନ୍ଦ୍ର ସରକାରଙ୍କ ଜବାବରେ ଉଲ୍ଲେଖ କରାଯାଇଥିଲା। ଜଳ ବିବାଦର ଶୁଣାଣି ଟ୍ରିବୁନାଲରେ କରିବା ପାଇଁ କେବଳ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇ ପାରିବ ବୋଲି ଜବାବରେ ଦର୍ଶାଯାଇଥିଲା।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ ଆବେଦନକାରୀ ଯେଉଁ ପ୍ରସଂଗ ନେଇ ଚିନ୍ତାପ୍ରକଟ କରିଛନ୍ତି ତାହା ଉପରେ ରାଜ୍ୟ ସରକାର ପଦକ୍ଷେପ ନେଇ ପାରିବେ। ଏଥି ପାଇଁ ଆବେଦନକାରୀଙ୍କ ରିଟ୍ ଆବେଦନକୁ ସ୍ମାରକପତ୍ର (ରିପ୍ରେଜେନଟେସନ୍) ଭାବେ ଗ୍ରହଣ କରାଯିବ। ଏହା ଉପରେ ରାଜ୍ୟ ସରକାର ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ। ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ୮ ସପ୍ତାହ ଭିତରେ ଆବେଦନକାରୀଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ କହିବା ସହିତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ରାହ୍ମଣୀ ନଦୀ ଝାଡଖଣ୍ଡ ରାଜ୍ୟର ଉପରମୁଣ୍ଡରେ ସାଉଥ କୋଏଲ ନଦୀ ଭାବେ ରାଞ୍ଚିର ନାଗରି ଗ୍ରାମରୁ ବାହାରିଛି। ଏହାର ମୁଖ୍ୟ ଶାଖା ନଦୀ ଗୁଡିକ ହେଲା ଶଙ୍ଖ, ଟିକ୍ରା ଓ କାରୋ। ଓଡ଼ିଶାରେ ଏହା ପବିତ୍ର ବ୍ରାହ୍ମଣୀ ନଦୀ ଭାବେ ପ୍ରବାହିତ ହେଉଛି। ଖରସ୍ରୋତା ମଧ୍ୟ ଏଥିରୁ ବାହାରିଛି। ଝାଡଖଣ୍ଡ ସରକାର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଗୁଡିକରେ ଜଳସ୍ତର ପୂର୍ବାପେକ୍ଷା ବହୁତ ହ୍ରାସ ପାଇଛି। ଏହା ଦ୍ବାରା ୬ଟି ଜିଲ୍ଲାର ଚାଷୀକୂଳଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି ଦର୍ଶାଇ ଖରସ୍ରୋତା ମହାସଭାର ସଭାପତି ଶ୍ରୀ ନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ରାଜ୍ୟ ସରକାର, କେନ୍ଦ୍ର ସରକାର, କେନ୍ଦ୍ରୀୟ ଜଳ ଆୟୋଗ, ଝାଡ଼ଖଣ୍ଡ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର