ରାସ୍ତା ନଥିବାରୁ ଗଲାନି ଗାଡ଼ି, ଗର୍ଭବତୀଙ୍କୁ ଷ୍ଟ୍ରେଚର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ଜିଲ୍ଲାର ବିଭିନ୍ନ ଗ୍ରାମରେ ଭଲ ରାସ୍ତା ନ ଥିବାରୁ ଗ୍ରାମର ବିଭିନ୍ନ ପ୍ରସବ ମହିଳାଙ୍କୁ ଖଟିଆରେ ବୁହା ହେବା ଓ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ବୋହି ଆମ୍ବୁଲାନ୍ସ ପାଖକୁ ଆଣିବା ଘଟଣା ବହୁ ସମୟରେ ଦେଖିବାକୁ ମିଳିଛି। ସେହିପରି ମଙ୍ଗଳବାର ତିଲେଇବଣି ବ୍ଲକ୍‌ ଦୁଧିଆନାଳୀ ପଂଚାୟତ ବାଙ୍କଦରହ ଗ୍ରାମ ମୁଣ୍ଡାସାହିକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ  ଗର୍ଭବତୀଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ବୋହି ଆମ୍ବୁଲାନରେ ପାଖକୁ ଆଣିଥିବା ଦେଖବାକୁ ମିଳିଥିଲା। ଏହି ଘଟଣାର ଜିଲ୍ଲାର ବିକାଶକୁ ବଖାଣୁଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ବାଙ୍କଦରହ ଗ୍ରାମ ମୁଣ୍ଡାସାହିର ତଲିମ ଲୁଗୁନଙ୍କ ସ୍ତ୍ରୀ ଜ୍ୟୋତି ଲୁଗୁନ (୨୩)ଙ୍କ ମଙ୍ଗଳବାର ରାତିରେ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀମାନେ ଆସିଥିଲେ। ମାତ୍ର ଖରାପ ରାସ୍ତା ଯୋଗୁ ଆମ୍ବୁଲାନ୍ସ ଗାଁକୁ ଆସି ପାରି ନଥିଲା।

ସେଠାରେ ନେଟ୍‌ୱାର୍କ ନଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ୧୦୮ର କଣ୍ଟ୍ରୋଲ ରୁମ୍‌ କିମ୍ବା ଗର୍ଭବତୀଙ୍କ ସମ୍ପର୍କିୟ ସହ ଯୋଗାଯୋଗ କରିପାରି ନଥିଲେ। ଫଳରେ ଅନ୍ୟ ଉପାୟ ନ ପାଇ ଗାଁରୁ ୧ କିମି ଦୂରରେ ଆମ୍ବୁଲାନ୍ସ ରଖି ଗାଡ଼ିର ଚାଳକ ଓ ଫାର୍ମାସିଷ୍ଟ ଷ୍ଟ୍ରେଚର ନେଇ ଗାଁକୁ ଯାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଚାଳକ ଓ ଫାର୍ମାସିଷ୍ଟ ଅନ୍ଧାରରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ରାତି ୧୨ଟାରେ ଆମ୍ବୁଲାନ୍ସ କର୍ମଚାରୀମାନେ ଗର୍ଭବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇ ଥିଲେ। ଦୁର୍ଗମ ଅଞ୍ଚଳରେ ଅନ୍ଧାର ରାସ୍ତାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମହତ୍‌ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୨୧ ନଭେମ୍ବର ୨୭ ତାରିଖରେ ମଧ୍ୟ ସେହି ଗାଁର ଜଣେ ଗର୍ଭବତୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ରାସ୍ତା ଖରାପ ଯୋଗୁ ସେତେବେଳେ ବି ଗାଡ଼ି ଗାଁକୁ ଯାଇପାରି ନଥିଲା। ଚାଳକ ଏବଂ ଫାର୍ମାସିଷ୍ଟ ଗ୍ରାମବାସୀଙ୍କ ସହାୟତାରେ ଅନ୍ଧାର ରାତିରେ ଟର୍ଚ୍ଚ ଲାଇଟ୍‌ ସହାୟତାରେ ୨.୫ କିମି ବାଟ ଚାଲି ଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ଜିଲ୍ଲାର ୨୦ଟି ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା ଜଣାଯାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର