ଭୁବନେଶ୍ବର : ରାଜ୍ୟରେ ୮୦ ପ୍ରକାର ସାପ ଅଛନ୍ତି। କିନ୍ତୁ ଏଥିରୁ କେବଳ ନାଗ, ରଣା, ଚିତି, ଚନ୍ଦନ ଗୋଡ଼ା ଏବଂ ହୁଇଆ ଗୋଡ଼ା ଭଳି ୫ ପ୍ରକାର ସାପ ଅଛନ୍ତି ଯେଉଁମାନେ ବିଷଧର। ଯେତେ ସଂଖ୍ୟକ ବ୍ୟକ୍ତି ସାପ କାମୁଡ଼ାର କାମୁଡ଼ାର ଶିକାର ହେଉଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୧୦ରୁ ୧୫ ପ୍ରତିଶତ ବ୍ୟକ୍ତିଙ୍କୁ ଚିକିତ୍ସାର ଆବଶ୍ୟକତା ଥାଏ। କିନ୍ତୁ ଉପଯୁକ୍ତ ଚିକିତ୍ସା ଅଭାବ ଯୋଗୁଁ ପ୍ରତିବର୍ଷ ଅନେକ ଅମୂଲ୍ୟ ଜୀବନ ଚାଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ଏମ୍ସର ଫରେନସିକ ମେଡିସିନ ଆଣ୍ଡ ଟକ୍ସିଲୋଜି ବିଭାଗ ପକ୍ଷରୁ କରାଯାଉଥିବା ଗବେଷଣା ସମାପ୍ତ ହୋଇଛି। ଖୁବ ଶୀଘ୍ର ଏହାକୁ ସାର୍ବଜନୀନ କରାଯିବ। ଯାହା ସାପ କାମୁଡ଼ା ମୃତ୍ୟୁକୁ ନିୟନ୍ତ୍ରିତ ସହାୟକ ହେବ ବୋଲି ଆଶା କରିଛନ୍ତି ଏମ୍ସ ଫରେନସିକ ମେଡିସିନ ଆଣ୍ଡ ଟକ୍ସିଲୋଜି ବିଭାଗର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂ।

Advertisment

ସୂଚନା ଅନୁଯାୟୀ, ସାପ କାମୁଡ଼ା ଯୋଗୁଁ ପ୍ରତିବର୍ଷ ହାରାହାରି ୮୦୦ ଲୋକଙ୍କ ଜୀବନ ଯାଇଥାଏ। ୨୦୨୦ ଏବଂ ୨୦୨୧ ମସିହାରେ ଏହା ବୃଦ୍ଧି ପାଇ ୧୦୦୦କୁ ପହଞ୍ଚିଥିଲା। ଡାକ୍ତର ସିଂଙ୍କ ଅନୁସାରେ, ସମଗ୍ର ବିଶ୍ବରେ ସାପ କାମୁଡ଼ାରେ ଶିକାର ୫୦ ଲକ୍ଷଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କୁ ବିଷଧର ସାପ କାମୁଡି ଥାଏ। କିନ୍ତୁ ଓଡ଼ିଶାରେ ବିଷଧର ସାପର ଶିକାର ବ୍ୟକ୍ତିଙ୍କ ସଂଖ୍ୟା ୨୦ରୁ ୨୫ ପ୍ରତିଶତ। ସେଥିରୁ ମଧ୍ୟ ସବୁ ବିଷଧର ସାପ ନିଜ ବିଷ କାମୁଡ଼ିଥିବା ବ୍ୟକ୍ତିଙ୍କ ଶରୀରରେ ଛାଡ଼ି ନ ଥାଆନ୍ତି। କିନ୍ତୁ ସାପକୁ ନେଇ ଅନ୍ଧବିଶ୍ବାସ ମୃତ୍ୟୁ ସଂଖ୍ୟାକୁ ବୃଦ୍ଧି କରିବା ସହିତ ସମସ୍ୟାକୁ ଜଟିଳ କରି ଦେଉଛି। ଆଭ୍ୟନ୍ତରୀଣ ଗାଁର ଅଳ୍ପ ପାଠପଢିଥିବା ବ୍ୟକ୍ତି ନୁହେଁ ରାଜଧାନୀ ଏବଂ ପାର୍ଶ୍ବାଞ୍ଚଳରେ ରହୁଥିବା ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟ ବିଶ୍ବାସ ରହିଛି ଯେ ସାପ ନିଜ ହତ୍ୟାକାରୀର ଫଟୋ ସାପ ଉଠାଇ ପ୍ରତିଶୋଧ ନିଏ। ଅନେକ ବ୍ୟକ୍ତି ଡାକ୍ତରଖାନା ଅପେକ୍ଷା ଗୁଣିଆ କିମ୍ବା ଶିବ ମନ୍ଦିର ଯାଇ ପ୍ରଥମେ ସାପ କାମୁଡ଼ାର ଚିକିତ୍ସା କରନ୍ତି। ସାପ ବିଷଧର ନଥିଲେ ପୀଡ଼ିତ ବର୍ତ୍ତି ଯାଆନ୍ତି। କିନ୍ତୁ ବିଷଧର ସାପ ହୋଇଥିଲେ ବିଳମ୍ବିତ ଚିକିତ୍ସା ଜୀବନ ନେଇଯାଏ। ଏଥିପାଇଁ ସ୍ନେକ ହେଲ୍ପ ଲାଇନର ସହଯୋଗରେ ଏମସ ପକ୍ଷରୁ ଗତବର୍ଷ ଗବେଷଣା ଆରମ୍ଭ ହୋଇଥିଲା।

ଏହି ଅବସରରେ ସାପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ବାସ ଚିହ୍ନଟ କରାଯାଇଛି। ଯେଉଁ ବ୍ୟକ୍ତିଙ୍କ ଘରେ ସାପ ବାହାରିଥିଲା ପ୍ରଥମେ ସେମାନଙ୍କୁ ଏଥିସମ୍ପର୍କରେ ପଚରାଯାଇ ଥିଲା। ଗବେଷଣା ରିପୋର୍ଟ ଅନୁମୋଦିତ ହେଲେ ଏଥିସମ୍ପର୍କରେ ଆହୁରି ଅନାଲୋଚିତ ତଥ୍ୟ ପଦାକୁ ଆସିବ। ଡାକ୍ତର ସିଂ ଆହୁରି କହିଛନ୍ତି, ସାପ କାମୁଡ଼ା ସ୍ଥାନକୁ ଧୋଇବା କଥା ନୁହେଁ, ଦଉଡ଼ି କିମ୍ବା ରୁମାଲରେ ବାନ୍ଧିବା କଥା ନୁହେଁ। ବ୍ୟକ୍ତି ଜଣକ କୌଣସି ମୁଦି କିମ୍ବା ଅଳଙ୍କାର ପିନ୍ଧିଥିଲେ କାଢି ଦେବା କଥା। କ୍ଷତ ସ୍ଥାନକୁ କାଟି ରକ୍ତ ବାହାର କରିବା କିମ୍ବା ସୁସ୍ଥ ବ୍ୟକ୍ତି ସେହି ସ୍ଥାନକୁ ଶୋଷି ବିଷ ବାହାର କରିବା ଉଚିତ ନୁହେଁ।