ବେତନଟୀ ସଦର: ଆଶ୍ୱିନ ଯାଇ କାର୍ତ୍ତିକ ଚାଲିଥିବା ବେଳେ ଫଟା ବିଲ ଚାଷୀର ଚିନ୍ତାକୁ ବଢ଼ାଇ ଦେଇଛି। ଧାନ ଥୋଡ଼ ଧରି ଫୁଲ ଉଡ଼ାଇବା ସମୟରେ ବିଲ ଫାଟି ଆଁ କରିଛି । ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକର ଅଧିକାଂଶ ସ୍ଥାନରେ ଜଳସେଚନର ବିଶେଷ ସୁବିଧା ନଥିବା ବେଳେ ବିଭିନ୍ନ ସ୍ଥାନରେ ଆସନ୍ନ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାକୁ ବସିଛି। ବ୍ୟାଙ୍କ୍ ଏବଂ ବିଭିନ୍ନ ଲୋକଙ୍କଠାରୁ କରଜ କରି ଟଙ୍କା ଆଣି ଚାଷରେ ଲଗାଇଥିଲା କିନ୍ତୁ ଏଭଳି ସ୍ଥିତି ଦେଖି ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ।
ଏଭଳି ପରିସ୍ଥିତିରେ ବିହନ ପାଇବା ମଧ୍ୟ କଷ୍ଟ ହୋଇପଡ଼ିବ ବୋଲି ଆଶଙ୍କା କଲାଣି ଚାଷୀ। ଚଳିତ ବର୍ଷ ଭଲ ଫସଲ ହେବ ବୋଲି ଆଶା କରିଥିଲା ଚାଷୀ। ବିଶେଷତଃ ଖୋର୍ଦ୍ଧା ଜିଲ୍ଲାର ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି। କିନ୍ତୁ ଚଳିତ ବର୍ଷ ମୌସୁମୀ ଆସିଲା ଓ ଚାଲିଗଲା ହେଲେ ଚାଷ ପାଇଁ ଯେତିକି ବର୍ଷା ଦରକାର ତାହାଠାରୁ ବହୁ କମ୍ ପରିମାଣର ବର୍ଷା ଏବେ ଚାଷୀର ଚିନ୍ତାକୁ ବଢ଼ାଇ ଦେଇଛି। ଜିଲ୍ଲାର ସମସ୍ତ ଅଞ୍ଚଳରେ ନିଆଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲା କୃଷି ବିଭାଗ ସୂଚନା ଦେଇଥିବାବେଳେ ବେତନଟୀ ବ୍ଲକର ପ୍ରାୟତଃ ଅଞ୍ଚଳରେ ଆବଶ୍ୟକତାଠାରୁ ୪୦ଶତକଡା କମ ବର୍ଷା ରେକର୍ଡ କରାଯାଇଛି।
ସେପଟେ ଜିଲ୍ଲା କୃଷି ବିଭାଗର ସୂଚନା ମୁତାବକ ବେତନଟୀ ବ୍ଲକରେ ଚଳିତବର୍ଷ ସର୍ବମୋଟ ୧୪ ହଜାର ୩ଶହ ୪୮ହେକ୍ଟର ଜମିରେ ଧାନଚାଷ କରାଯାଇଛି। ତନ୍ମଧ୍ୟରୁ ୩ହଜାର ୩ଶହ ୨୧ ହେକ୍ଟର ଢିପଜମିଥିବା ବେଳେ ୬ହଜାର ୩ଶହ ୪୮ହେକ୍ଟର ଜମି ମଧ୍ୟମ ଉଚ୍ଚରେ ରହିଛି। ସେହିଭଳି ୪ହଜାର ୬ଶହ ୭୯ ହେକ୍ଟର ତଳିଆ ଜମି ରହିଛି। ତେବେ ତଳିଆ ଜମିରେ କୌଣସି ପ୍ରକାରେ ପାଣି ରହିଥିବା ବେଳେ ଢିପ ଏବଂ ମଧ୍ୟମ ଉଚ୍ଚ କିସମର ଜମିରେ ପାଣିଶୁଖି ଜମି ଫାଟିବାକୁ ବସିଲାଣି ସ୍ବର୍ତ୍ତମାନ କିଭଳି ଢିପ ଜମିରେ ହୋଇଥିବା ଧାନଫସଲକୁ ପାଣି ଯୋଗାଇବେ ସେଇ ଚିନ୍ତାରେ ରହିଥିବା ଚାଷୀ।
ସେହିପରି ଚାଷଜମି ନିକଟରେ ପ୍ରାୟ ସ୍ଥାନରେ ସେମିତି କିଛି ଜଳସେଚନର କୌଣସି ସୁବିଧା ନଥିବାରୁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଠି ଛୋଟବଡ଼ କେନାଲ ଅଛି ସେଠାରେ କେନାଲରେ ପାଣି ନାହିଁ, ସେହିପରି ଏହି ମାତ୍ର ୨ ଦିନ ହେବ ସୁବର୍ଣ୍ଣରେଖା କେନାଲରେ ପାଣି ଚାଲିବା ଯୋଗୁଁ ଦହିକୋଟି ପଞ୍ଚାୟତର କେନାଲ ପାର୍ଶ୍ୱବର୍ତ୍ତୀ ଚାଷୀଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି। ଏମିତି ସବୁଆଡେ ବିଲ ଭିତରେ ବହୁ ଉଠା ଜଳସେଚନ ସୁବିଧା ଫେଲ୍ ମାରିଛି। ପରିତାପର ବିଷୟ ଚାଷୀମାନଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଗଣ୍ଡା ଗଣ୍ଡା ଉଠା ଜଳ ସେଚନ ପ୍ରକଳ୍ପ ଗୁଡିକ ପ୍ରଶାସନର ଉଦାସୀନତା ମନଭାବ ହେତୁ ଦୀର୍ଘଦିନ ହବ 'କୋମା' ଅବସ୍ଥାରେ ପଡ଼ିରହିଛି।
ପୂର୍ବରୁ ଏହି ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣା ତଥା ଲାଗିଥିବା ପାଣି ଉଠା ମେସିନ ଟିକୁ ଚଳାଇବା ପାଇଁ ପ୍ରଶାସନ ତରଫରୁ ଜଣେ କୁଶଳୀ କର୍ମଚାରୀକୁ ନିୟୋଜିତ କରାଯାଉଥିବାବେଳେ ଏବେ ସେମାନଙ୍କୁ ହଟାଇ ସ୍ଥାନୀୟ ଅଞ୍ଚଳର ଅଳ୍ପ କେତେ ଚାଷୀଙ୍କୁ ନେଇ ଗୋଟିଏ ପାଣି ପଞ୍ଚାୟତ ଗଠନ କରାଯାଇ ସବୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଦିଆଯାଉଛି। ଫଳରେ ଗରିବ ଚାଷୀମାନେ ସେଗୁଡିକର ସୁଚାରୁ ରୂପେ ପରିଚାଳନା କରିପାରୁନାହାନ୍ତି। କୋଉଠି ମେସିନ ଖରାପ ହୋଇଗଲେ ସଜାଡି ପାରୁନାହାନ୍ତି ତ କୋଉଠି ମୋଟା ଅଙ୍କର ବିଦ୍ୟୁତ ବିଲ ପୈଠ କରିପାରୁନାହାନ୍ତି। ତାପରେ ବର୍ଷର ଛଅ ମାସ ଚାଷ ହୋଉଥିବାବେଳେ ବାର ମାସର କରେଣ୍ଟ ବିଦ୍ୟୁତ ଶୁଳ୍କ ଦେବାକୁ ପଡୁଛି। ତେଣୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ପ୍ରାୟତଃ ପ୍ରକଳ୍ପ ଗୁଡିକ ଜରାଜୀର୍ଣ ହୋଇ ପଡ଼ି ରହିଛି। ବିଭାଗୀୟ କର୍ମଚାରୀ ତ ଛାଡ଼ ପ୍ରଶାସନର ଉପରିସ୍ଥ ଅଫିସର ମାନଙ୍କର ମଧ୍ୟ ଏଥି ପ୍ରତି ନିଘା ନାହିଁ। ସ୍ଥାନୀୟ ଚାଷୀଙ୍କ କହିବା ମୁତାବକ ନାମକୁ ମାତ୍ର ସରକାରଙ୍କ ଯୋଜନା ସବୁ, ହେଲେ କୌଣସି ଗୋଟିଏରେ ବି ଚାଷୀକୁଳ ସିଧାସଳଖ ଲାଭବାନ ହୋଇ ପାରୁନାହାନ୍ତି।
ବର୍ତ୍ତମାନ ଧାନ ଫସଲରେ ଥୋଡ଼ ଧରିବା ଆରମ୍ଭ କରି ଫୁଲ ଉଡ଼ାଇବାର ସମୟ। ଏତିକି ବେଳେ ବିଲରେ ପାଣି ନାହିଁ। ତାପରେ ବେତନଟୀ ଅଞ୍ଚଳର ପରିବର୍ତ୍ତିତ ପାଣିପାଗ ଯୁକ୍ତ ଅନିୟମିତ ବୃଷ୍ଟିପାତ, ଉତ୍ତାପ ବୃଦ୍ଧି ରୋଗରେ ପାକ, ସମସ୍ୟାକୁ ଅଧିକ ଜଟିଳ କରୁଛି, ଅନେକ ପଞ୍ଚାୟତରେ ଚୋକଡା ପୋକର ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ଏନେଇ ଆବଶ୍ୟକ ଔଷଧ ସିଞ୍ଚନ ପରେ ବି ଦିନକୁ ଦିନ ସଂକ୍ରମଣ ବଢ଼ୁଛି ଫଳରେ ଶତାଧିକ ଚାଷୀଙ୍କୁ ମାତ୍ରାଧିକ କ୍ଷତି ସହିବାକୁ ପଡିଛି। ପାଣି ଅଭାବରୁ ମରୁଡ଼ି ସମସ୍ୟା ସୃଷ୍ଟି ହୋଇଥିବା ବେଳେ୨/୩ଦିନ ମଧ୍ୟରେ ବର୍ଷା ନ ହେଲେ ଆଗାମୀ ଦିନରେ ମରୁଡି ସମସ୍ୟା ସୁନିଶ୍ଚିତ ବୋଲି ସ୍ଥାନୀୟ ଚାଷୀ ଯୋଗେଶ୍ୱର ଖୁଣ୍ଟିଆ ,ଅମୁଲ୍ୟ ପାଣିଗ୍ରାହୀ, ରତିକାନ୍ତ ରାଉତ, ମୋଦନ ମାଝୀ, ଗୋବିନ୍ଦ ପ୍ରଧାନ, ଯୋଗୀ ମହାରଣା ପ୍ରମୁଖ ପ୍ରକାଶ କରିଛନ୍ତି।