‘ମୋର କିଏ ଅଛି ମୋତେ ଡାକ୍ତରଖାନା ନେବ’; ୧୦ ବର୍ଷ ହେବ ବୋହି ଚାଲିଛନ୍ତି ଗଳା ଯନ୍ତ୍ରଣା, ସହଯୋଗ ଅପେକ୍ଷାରେ ଗଳଗଣ୍ଡ ରୋଗରେ ପୀଡିତ ନିରାଶ୍ରୟା ଦୁଲ୍ଲୀ ମାର୍ଣ୍ଡି

ଦାରିଦ୍ର୍ୟର କଷାଘାତରେ ହୋଇପାରୁନି ଚିକିତ୍ସା

ବାରିପଦା : ମୋର କିଏ ଅଛି ମୋତେ ଡାକ୍ତରଖାନା ନେବ। ସରକାରୀ ଭତ୍ତା ଆଉ ଚାଉଳରେ ବଞ୍ଚୁଛି। ସେମିତି କଷ୍ଟେମଷ୍ଟେ ବଞ୍ଚିଯିବି। ପାଖରେ କେହି ନାହାନ୍ତି। ସବୁ କଥାକୁ ସାହା ହେଉଥିବା ସ୍ୱାମୀ ୧୦ ବର୍ଷ ହେବ ଆରପାରିକୁ ଚାଲିଗଲେଣି। ପିଲା ଛୁଆ ମଧ୍ୟ କେହି ନାହାନ୍ତି। ସରକାରୀ ଭତ୍ତା ଏବଂ ମିଳୁଥିବା ୫ କେଜି ଚାଉଳରେ ବିତୁଛି ଜୀବନ। ଦାରିଦ୍ର୍ୟଠାରୁ ବଳିପଡ଼ୁଛି କିନ୍ତୁ ଦଶନ୍ଧି ଦଶନ୍ଧି ଧରି ବୋହି ଚାଲିଥିବା ଗଳା ଯନ୍ତ୍ରଣା। ପାଖରେ ସାହା ହେବାକୁ କେହି ନଥିବାରୁ ସେମିତି ଯନ୍ତ୍ରଣାଶିକ୍ତ ଜୀବନ ଅତିବାହିତ କରୁଛନ୍ତି କପ୍ତିପଦା ବ୍ଲକ୍ ମାଙ୍କଡ଼ପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ଶୋଳ ଗ୍ରାମର ଦୁଲ୍ଲୀ ମାର୍ଣ୍ଡି(୬୨)।

ଦୁଲ୍ଲୀଙ୍କ ବେକରେ ଗଳଗଣ୍ଡ ରୋଗ ଫୁଲା ରହିଛି। ଦୁଇଟି ଗୋଟି ଭଳି ଏହି ଫୁଲା ତାଙ୍କ ବେକରୁ ଆଗକୁ ବାହାରିଛି। ଶୋଇବା ବେଳେ ଏହା ଅସହ୍ୟ ଯନ୍ତ୍ରଣା ଦେଉଛି। ଦୀର୍ଘ ବର୍ଷ ହେବ ଠିକ୍‌ରେ ଶୋଇପାରୁନାହାନ୍ତି ସେ। ସିଧା ହୋଇ ଶୋଇପାରୁନାହାନ୍ତି। ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ଦୁଲ୍ଲୀଙ୍କ ଚିକିତ୍ସା ପାଇଁ କିନ୍ତୁ କେହି ନାହାନ୍ତି। ପୂର୍ବରୁ ଏହା ଛୋଟ ହୋଇ ଥିଲା। ମାତ୍ର ଗତ କିଛି ବର୍ଷ ହେବ ଏହା ବେଶ ଯନ୍ତ୍ରଣା ଦେଉଛି। ସ୍ବାମୀ ମରିଯିବାପରେ ଏହା ବଢ଼ିଯିବାରୁ ଦୁଲ୍ଲୀଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଥରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଉଦଳ ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ କଟକ ବଡ଼ଡାକ୍ତରଖାନା ନେବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ନିରାଶ୍ରୟା ଦୁଲ୍ଲୀଙ୍କୁ ନେବାପାଇଁ କେହି ନଥିବାରୁ ସେହିପରି ଭାବେ ଗଳା ଯନ୍ତ୍ରଣାକୁ ବୋହି ଚାଲିଛନ୍ତି। ଏନେଇ ପ୍ରଶାସନିକ ସ୍ତରରେ ଯଦି କିଛି ସାହାଯ୍ୟ ମିଳିପାରନ୍ତା ତେବେ ଅବଶିଷ୍ଟ ଜୀବନତକ ଅନ୍ତତଃ ଦୁଲ୍ଲୀ ଶାନ୍ତିରେ ଜୀଇଁପାରନ୍ତେ ବୋଲି ପଡ଼ୋଶୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର