ଡୁମର୍ତା‌ ସରକାରୀ ଛାତ୍ରୀ ନିବାସ, ମିଳୁନି ଠିକ୍‌ ଖାଦ୍ୟ, ମରାଯାଉଛି ମାଡ଼!

ରାଉରକେଲା: ଜିଲ୍ଲାରେ ଅଧିକାଂଶ ଛାତ୍ରୀ ନିବାସ ଠିକ୍‌ ଚାଲିନି। କେଉଁଠି ପିଲାମାନଙ୍କୁ ଠିକ୍‌ ଭାବେ ଖାଇବାକୁ ମିଳୁନି ତ ଅନ୍ୟ କେଉଁଠି ନିର୍ଯାତନା ଦିଆଯାଉଛି। ବିଗତ ଦିନରେ ଅନେକ ଛାତ୍ରୀ ନିବାସରୁ ଏମିତି ଅନେକ ସଙ୍ଗିନ ଅଭିଯୋଗ ଆସିଛି। ଆଜି ପୁଣି ସେହି ସମାନ ଅଭିଯୋଗ ଜିଲ୍ଳାରେ ଚାଲିଥିବା ଛାତ୍ରୀ ନିବାସର ଅବ୍ୟବସ୍ଥାକୁ ପଦାରେ ପକାଇଛି। ଏମିତି ଅଭିଯୋଗ ଆସିଛି ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତ ଡୁମର୍ତାସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ହଷ୍ଟେଲରୁ। ପାଖାପାଖି ୧୦୦ ଛାତ୍ରୀ ରହୁଥିବା ଏହି ହଷ୍ଟେଲରେ ପିଲାମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଠିକ୍‌ ଭାବେ ଖାଇବାକୁ ଦିଆଯାଉ ନାହିଁ। ଶିକ୍ଷକମାନେ ମାଡ଼ ମାରୁଛନ୍ତି।

ଏମିତି ସାଂଘତିକ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟରୁ ଖସି ପଳାଇଆସିଥିବା ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ। ସେ ବନ୍ଧମୁଣ୍ଡା ଆଡକୁ ଯାଉଥିବାବେଳେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଅଟକାଇଥିଲେ। ଛାତ୍ରୀ ଜଣକ କହିଛନ୍ତି, ବିଦ୍ୟାଳୟର ଶିକ୍ଷକମାନେ ମାଡ ମାରୁଛନ୍ତି। ଏଥିପାଇଁ ସେ ବିଦ୍ୟାଳୟରୁ ପଳାଇ ଆସିଛନ୍ତି। ପରେ ବିଦ୍ୟାଳୟର ଜଣେ ମହିଳା ରୋଷେଇ କର୍ମଚାରୀ ଆସି ଛାତ୍ରୀଙ୍କୁ ବିଦ୍ୟାଳୟକୁ ନେଇଯାଇଥିଲେ। ସେପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈକୁଣ୍ଠ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି,  ଛାତ୍ରୀଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ।  ବିଦ୍ୟାଳୟରେ କୌଣସି ଛାତ୍ରୀଙ୍କୁ ମାଡ ମରାଯାଉ ନାହିଁ।

ଏହା ସହିତ ହଷ୍ଟେଲରେ ଛାତ୍ରଙ୍କ ଖାଦ୍ୟକୁ ପ୍ରାଥମିକତା ଦିଆଯଉଛି। ବନ୍ଧମୁଣ୍ଡା ସରପଞ୍ଚ ଅନୀତା ତିର୍କି ମଧ୍ୟ ଘଟଣାର ତଦନ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ଛାତ୍ରୀ ଜଣକ ହଷ୍ଟେଲରୁ ବାହାରି ପଳାଇ ଆସିଥିଲେ ବେଳେ କୌଣସି ସୁରକ୍ଷା ଅଧିକାରୀ ଜାଣି ପାରିଲେନି କେମିତି ? ଛାତ୍ରୀ  ଖାଦ୍ୟର ମାନକୁ ନେଇ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରେ ସତ୍ୟତା ଅଛି କି ନାହିଁ ? ଯଦି ଠିକ୍‌ ଭାବେ ଖାଇବାକୁ ଦିଆଯାଉଛି ଛାତ୍ରୀମାନେ କାହିଁକି ଏମିତି ଅଭିଯୋଗ ଆଣୁଛନ୍ତି ? ହଷ୍ଟେଲ କେତେ ଦିନ ଏପରି ଅବ୍ୟବସ୍ଥା ଭିତରେ ଚାଲିଛି ? ତାହାର ସଠିକ୍‌ ଯାଞ୍ଚ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପଞ୍ଚାନନ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏମିତି ଅଭିଯୋଗ ମୋ ନିକଟକୁ ଆସିନି। ଯେମିତି ସେମିତି କିଛି ହୋଇଥାଏ, ତେବେ ତଦନ୍ତ କରାଯାଇ ବିଭାଗୀୟ  ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

ସମ୍ବନ୍ଧିତ ଖବର