ଡମ୍ପିଂ ୟାର୍ଡ ପାଲଟିଛି ନିରାକାରପୁର ବଜାରଠାରୁ ଯାଜପୁର ଦେଇ ଯାଇଥିବା ମୁଖ୍ୟରାସ୍ତା କଡ଼, ଦୁର୍ଗନ୍ଧରେ ନାକ ଫାଟିପଡୁଛି

ନିରାକାରପୁର : ନିରାକାରପୁର ବଜାରଠାରୁ ଯାଜପୁର ଦେଇ ଯାଇଥିବା ମୁଖ୍ୟରାସ୍ତା କଡ଼ ଏବେ ଡମ୍ପିଂ ୟାର୍ଡ ପାଲଟିଛି। କଠିନ ବଜ୍ୟବସ୍ତୁ ପରିଚାଳନା ପାଇଁ ନିରାକାରପୁର ବଜାରରେ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକେ ବିଶେଷତଃ ବଜାରର ଦୋକାନୀମାନେ ସେମାନଙ୍କ ବଜ୍ୟବସ୍ତୁ ରାସ୍ତାକଡ଼ରେ ଗଦେଇ ଦେଉଛନ୍ତି। ପ୍ରତ୍ୟେହ ଟନ୍‌ ଟନ୍‌ ଆବର୍ଜନା ଗୋଟିଏ ସ୍ଥାନରେ ପଡ଼ି ରହି ଦୁର୍ଗନ୍ଧ କରିବା ସହିତ ସମଗ୍ର ପରିବେଶକୁ ଦୂଷିତ କରୁଛି।

ନିରାକାରପୁର ବଜାରଠାରୁ ଯାଜପୁର ଦେଇ ଯାଇଥିବା ମୁଖ୍ୟରାସ୍ତାଟି ଏବେ ସ୍ଥାନୀୟ ଫଳ, ପନିପରିବା, ମାଛ, ସୁଖୁଆ, ଚିକେନ୍, ନଡିଆ , ପଇଡ ଆଦି ଦୋକାନୀଙ୍କ ପାଇଁ ଆବର୍ଜନା ଡମ୍ପିଂ ୟାର୍ଡ ପାଲଟିଛି। କେତେକ ଦୋକାନୀ ପ୍ରତ୍ୟେହ କୁଢ କୁଢ ବର୍ଜ୍ୟବସ୍ତୁ ଆଣି ଏହି ରାସ୍ତା କଡରେ ଗଦେଇ ଚାଲିଯାଇଥାନ୍ତି। ମାତ୍ର ତାହା କେବେ ସେହି ରାସ୍ତା କଡ଼ରୁ ସଫା ହେଉ ନାହିଁ। ଫଳରେ ସେଗୁଡିକ ପଚିସଢି ପୁତିଗନ୍ଧମୟ ପରିବେଶ ସୃଷ୍ଟିକରୁଛି। ଗତ କାଳବୈଶାଖୀ ବର୍ଷାରେ ଏହି ଆବର୍ଜନାଗୁଡ଼ିକ ଚାରିଆଡେ ବିଛାଡି ହୋଇ ପଡି ଗମନା ଗମନରେ ପ୍ରତିବନ୍ଧକ ସାଜିଥିଲା। ଏଥି ସହିତ ମଶାବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟିହୋଇଛି। ଖାଲି ଯାଜପୁର ରାସ୍ତା ନୁହେଁ, ନୂଆ ଜଗନ୍ନାଥ ସଡକଠାରୁ ଡିଏଭି ସ୍କୁଲ ଦେଇ ହାଇସ୍କୁଲ ଓ ଷ୍ଟେସନ ଯାଉଥିବା ରାସ୍ତା, ନରେନ୍ଦ୍ରପୁର ସାହି ପଛପଟ ଦେଇ ଯାଇଥିବା ନୂଆ ଜଗନ୍ନାଥ ସଡକ ପାର୍ଶ୍ବରେ ମଧ୍ୟ ଆବର୍ଜନା ଜମା ହୋଇ ରହିଛି।

ସୂଚନା ଅନୁଯାୟୀ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀଙ୍କ ସମେତ ବାଟୋଇ, ବସଯାତ୍ରୀ, ବାଇକ୍ ଯାତ୍ରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେହି ବାଟରେ ଗଲାବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ଏହି ଆବର୍ଜନା ପଚିସଢି ମଶା, ମାଛି , ଡାଉଁଶଙ୍କ ଏନ୍ତୁଡିଶାଳ ପାଲଟିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନସ୍ତରରେ ଉଦ୍ୟମ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର