ଜଟଣୀ : ଜଟଣୀ ପୌରପାଳିକା ୫ ନମ୍ବର ୱାର୍ଡର ଗଜପତିନଗର ପଡିଆ ପାଲଟିଛି ଡମ୍ପିଂ ୟାର୍ଡ। ପୌରପାଳିକା ପକ୍ଷରୁ ଏକ ଜନବସତି ଅଞ୍ଚଳରେ ମାସ ମାସ ଧରି ଅଳିଆ ଆବର୍ଜନା ଜମା କରାଯାଉଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ସୁଚନାନୁସାରେ, ଜଟଣୀ ପୌର ପାଳିକାର ୫ନମ୍ବର ୱାର୍ଡ ଅଧୀନରେ ଥିବା ବିନୋଦ କଲୋନି, ଯୋଗୀ ପାତୁଳ ଲେନ୍, ବେଣୁ ସେଠୀ ଗଳି, ବାଲିଛକ ସାହି ରୋଡ୍‌ ଏବଂ ଗଜପତି ନଗର ଅଞ୍ଚଳର ଅଳିଆ ଆବର୍ଜନାକୁ ସଫେଇ କର୍ମଚାରୀ ମାନେ ନିୟମିତ ଭାବେ ଜନବସତି ମଧ୍ୟରେ ଥିବା ଏକ ଖେଳ ପଡିଆରେ ମାସ ମାସ ଧରି ପକାଇ ଦେଉଛନ୍ତି। ସଫେଇ କର୍ମଚାରୀ ପ୍ରତିଦିନ ଏଠାରେ ବିଭିନ୍ନ ସ୍ଥାନରୁ ଆବର୍ଜନା ଆଣି ପକାଇ ଆବର୍ଜନାର ପାହାଡ଼ ସୃଷ୍ଟି କରି ସାରିଲେଣି। ଫଳରେ ଏଠାରେ ରହୁଥିବା ବାସିନ୍ଦା ଅତିଷ୍ଠ ହୋଇପଡ଼ିଲେଣି। ଏପରିକି ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିବାରୁ ଲୋକେ ଏହି ବାଟ ଦେଇ ଯାତାୟାତ କରି ପାରୁ ନାହାନ୍ତି।

Advertisment

publive-image

ଏହି ୱାର୍ଡ ପାଇଁ ଥିବା ୬ ଜଣ ସଫେଇ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଲଗାତାର ଏଠାରେ ଅଳିଆ ଆବର୍ଜନା ପକାଉଥିବାବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଯଦି ଏଠାରୁ ତୁରନ୍ତ ଆବର୍ଜନା ଉଠାଇବାର ବ୍ୟବସ୍ଥା କରା ନ ଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଜାତୀୟ ମାନବଧିକାର ସଙ୍ଗଠନର ସଭାପତି ବାସୁଦେବ ସେଠୀ କହିଛନ୍ତି।