କୋଉ ପୁରୁଷ ସେ ଭୂଇଁରେ ଆଗ ପାଦ ଦେଲା, ତା’ର ସ୍ମୃତିଚିହ୍ନ ନାହିଁ। କିଏ ଆଗ ମଞ୍ଜି ପୋତି ଫଳ ଖାଇଲା, ସେ କଥା ଏ ଖଣ୍ଡଗିରି ପାହାଡ଼ କହିବ ଅବା ଶହଶହ ବର୍ଷ ପୁରୁଣା ରାଜା-ରାଣୀ ବରଗଛ କହିବେ। କୋଉ ସମ୍ରାଟଙ୍କ ଶାସନ ବେଳେ ଏଠି ଜନବସତି ଗଢ଼ି ଉଠିଲା, ତା’ର ବି ଠିକ୍ ଇତିହାସ ନାହିଁ। କିନ୍ତୁ ଦିନେ ରାଜଧାନୀର ଶେଷ ମୁଣ୍ଡ ଆଡ଼କୁ ଥିବା ଏ ଅବହେଳିତ ଜାଗା ଉପରେ ଏବେ ସମସ୍ତଙ୍କ ଆଖି। ମୋରମ୍ ଖଣି, ସିଜୁ କଣ୍ଟା ଓ ନିର୍ଜନ ଇଲାକା ଯୋଗୁଁ ହାଉସିଂବୋର୍ଡଠାରୁ ଜାଗା ଖଣ୍ଡିଏ ନେବା ପାଇଁ ସେତେବେଳେ କୁନ୍ଥକୁନ୍ଥ ହେଉଥିବା ଲୋକ ଏବେ ଏହାର ଉଜ୍ଜ୍ବଳ, ଚକ୍ଚକ୍ ଚେହେରା ଦେଖି ନିଜ ନିଷ୍ପତ୍ତି ଓ ଭାଗ୍ୟକୁ ନିନ୍ଦୁଛନ୍ତି। ଏବେ ଲୋକଙ୍କ ଚାହିଦା ପୂରଣ ପାଇଁ ହାଉସିଂବୋର୍ଡ ଗୋଟିଏ ପରେ ଗୋଟିଏ ‘ଫେଜ୍’ ଗଢ଼ି ଚାଲିଛି, କିନ୍ତୁ ସେ ଦରକୁ ସାଧାରଣ/ମଧ୍ୟବିତ୍ତ ଲୋକଙ୍କ ହାତ ପାଉନି କି ମନ ଯାଉନି। ଡୁମୁଡୁମା ଗାଁର ଗୋଚର ଜମି ଯେ ଏତେଶୀଘ୍ର ନିଜର କାୟା ଏମିତି ବିସ୍ତାର କରିବ, ତାହା କେହି କଳନା କରି ନଥିଲେ।
ଐତିହାସିକ କ’ଣ କହନ୍ତି?
ଖଣ୍ଡଗିରି ପାଦଦେଶ ଜଙ୍ଗଲରେ ଯଥେଷ୍ଟ ଚାରଣ ଭୂମି ଥିଲା। କିଛି ଗୋପାଳକ ସେମାନଙ୍କ ଗୋରୁମହିଷାଦିମାନଙ୍କ ସହ ସେଠାରେ ରହୁଥିଲେ। ଚରୁ ଚରୁ କାଳେ ଗୋରୁ-ମହିଁଷିମାନେ ବାଟ ହୁଡ଼ିଯିବେ, ସେଥିପାଇଁ ସେମାନଙ୍କ ବେକରେ ଏକ ଘଣ୍ଟି ସଦୃଶ ବାଦ୍ୟଯନ୍ତ୍ର ବନ୍ଧା ଯାଉଥିଲା। ତାହାର ଡୁମ୍-ଡୁମ୍ ଶବ୍ଦରୁ ଏ ଜାଗାର ନାଁ ‘ଡୁମୁଡୁମା’ ହୋଇଥାଇପାରେ ବୋଲି ଐତିହାସିକମାନେ ଯୁକ୍ତି ବାଢ଼ନ୍ତି। ପରବର୍ତ୍ତୀ ସମୟରେ ଖଣ୍ଡଗିରି ପାହାଡ଼କୁ ଜୈନ ମୁନିମାନେ ଅକ୍ତିଆର କରି ରଖିବା ସହ ଆଖପାଖ ଗାଁରେ ବସବାସ କଲେ। ଡୁମୁଡୁମା ଗାଁରେ ମଧ୍ୟ ବସବାସ କରିବାର ଅନେକ ଐତିହାସିକ ପ୍ରମାଣ ରହିଛି। ଗାଁର ଇଷ୍ଟଦେବୀଙ୍କ ମନ୍ଦିର ନିକଟରୁ ଜୈନ ମୂର୍ତ୍ତି ବାହାରିବା ସେମାନଙ୍କ ଉପସ୍ଥିତିର ବଳିଷ୍ଠ ପ୍ରମାଣ। ସେମାନଙ୍କ ପରେ ଗଙ୍ଗବଂଶର ରାଜାଙ୍କ ସମୟରେ ଏହି ଗାଁରେ ହିନ୍ଦୁମାନଙ୍କ ପ୍ରାଦୁର୍ଭାବ ବଢ଼ିବା ସହ କ୍ଷତ୍ରିୟମାନଙ୍କ ଜନବସତି ଗଢ଼ି ଉଠିଥିଲା। ପୁରୀ ଓ ଖୋର୍ଦ୍ଧା ରାଜାଙ୍କ ଏକ ଗଡ଼ ଭାବେ ମଧ୍ୟ ପରିଚିତି ହାସଲ କରିଥିବା ଜଣାଯାଏ। ଗାଁର ଆକାର ଛୋଟ ହେଲେ ମଧ୍ୟ ରାଜାଙ୍କର ଜଣେ ଦଳବେହେରା ଏ ଗାଁରେ ରହୁଥିଲେ। ଗାଁର ଚତୁଃପାର୍ଶ୍ବରେ ଘଞ୍ଚ ଜଙ୍ଗଲ ଘେରି ରହିଥିବାରୁ ଏହାକୁ ଆରଣ୍ୟକ ରାଜ୍ୟ ବୋଲି କୁହାଯାଉଥିଲା।
୧୮ ହଜାର ଟଙ୍କାର ଘର ଏବେ ୫୦ ଲକ୍ଷ
୧୯୮୫ ମସିହାରେ ଗାଁ ନିକଟରେ ଥିବା ଗୋଚର ଜମିରେ ପ୍ରଥମେ ହାଉସିଂବୋର୍ଡ ଫେଜ୍-୧ ନିର୍ମାଣ କରାଗଲା। ଏଥିରେ ୧୧୯୭ବର୍ଗଫୁଟ୍ ବିଶିଷ୍ଟ ୪୫୩ଟି ଘର ତୋଳି ସରକାର ଲୋକଙ୍କ ଭିତରେ ଆବଣ୍ଟନ କରିଥିଲେ। ସେତେବେଳେ ଘର ଗୁଡ଼ିକର ଦାମ ୧୭ ହଜାର ୬ଶହ ଟଙ୍କା ଥିଲା। ଯାହା ଏବେ ୫୦ ଲକ୍ଷ ଟଙ୍କା ହେବ। ପରବର୍ତ୍ତୀ ସମୟରେ ସେହି ହାଉସିଂବୋର୍ଡ ପ୍ରୋଜେକ୍ଟ ବଢ଼ି ୭ ନମ୍ବରରେ ପହଞ୍ଚିଲାଣି। ପରେ ୯୦ଦଶକରେ ଗାଁର ଧାନ ଜମିରେ ପଞ୍ଚସଖାନଗର, ଆର୍ଯ୍ୟା ଭିଲେଜ୍, କସ୍ମୋପଲିସ୍ ଆଦି ଗଢ଼ି ଉଠିଛି।
ଚାରିଖଣ୍ଡ ମଉଜାରେ ଭୋଗ ଖାଉଥିଲେ ରାଧାକୃଷ୍ଣ
ପୂର୍ବରୁ ଦୁର୍ଗାପୂଜା ସମୟରେ ଗାଁର ଇଷ୍ଟଦେବୀଙ୍କ ପାଖରେ ବଳି ପଡ଼ୁଥିଲା। ବଡ଼ଧରଣର ଏକ ଭୋଜିର ଆୟୋଜନ ହେଉଥିଲା। ପୂରା ଗାଁଲୋକ ଭୋଜି ଖାଉଥିଲେ। ଏହାସହ ପାଇକ ଗାଁ ହୋଇଥିବାରୁ ସବୁ ଖଣ୍ଡାୟତ ପରିବାରରେ ଖଣ୍ଡାପୂଜା ହେଉଥିଲା। ଏହାକୁ ମୁଖ୍ୟ ପର୍ବ ଭାବେ ଗ୍ରାମବାସୀ ପାଳନ କରୁଥିଲେ। ଏହାସହ ଯଜ୍ଞ, ବାଦୀପାଲା ଗାଁରେ ବେଶ ଧୁମ୍ଧାମ୍ରେ ପାଳନ ହୁଏ। ସେହିଭଳି ଦୋଳପୂର୍ଣ୍ଣିମାରେ ରାଧାକୃଷ୍ଣ ଜାଗମରା, ସରକନ୍ତରା, ପୋଖରୀପୁଟ ଆଦି ଚାରିଖଣ୍ଡ ମଉଜାକୁ ଭୋଗ ଖାଇବାକୁ ଯାଉଥିଲେ। କାଳକ୍ରମେ ତାହା ବନ୍ଦ ହୋଇଗଲାଣି।
ଏବେ ବି ଛିଡ଼ା ହୋଇଛି ରାଜା-ରାଣୀ ବରଗଛ
ଯେଉଁଠି ସ୍କୁଲ ଅଛି, ସେ ସ୍ଥାନ ପୂର୍ବରୁ ରାଜାଙ୍କ ପାରିଧିସ୍ଥଳ ଥିଲା। ସେଠାରେ ଥିବା ଦୁଇଟି ବୁଢ଼ା ବରଗଛ ଏବେ ବି ସେ କାଳର ସ୍ମୃତି ବଖାଣୁଛି। ଗୋଟିଏକୁ ରାଜା ବରଗଛ କୁହାଯାଉଥିବା ବେଳେ ଅନ୍ୟଟିକୁ ରାଣୀ ବରଗଛ କୁହାଯାଉଛି। ଦୋଳ ମଣ୍ଡପ ପାଖରେ ଥିବା ବରଗଛ ସେହି କାଳରୁ ସେଠି ଛିଡ଼ା ହୋଇଛି। ସେତେବେଳେ ଗାଁରେ କେହି ମରିଗଲେ, ସେହି ଗଛରୁ ଡାଳ ଶବପୋଡ଼ାରେ ବ୍ୟବହାର ହେଉଥିଲା। କିନ୍ତୁ ଗଛ ଦୁର୍ବଳ ହୋଇଯିବାରୁ କିଛି ବର୍ଷ ହେଲା ତାହା ବନ୍ଦ ହୋଇଯାଇଛି।
ଜୀବନରେଖା ଥିଲା ବଡ଼ପୋଖରୀ
ଗାଁରେ ଦୁଇଟି ପୋଖରୀ ଓ ଗୋଟିଏ ଚୁଆ ରହିଛି। ବଡ଼ ପୋଖରୀରେ ଗାଁର ଶୁଦ୍ଧିକ୍ରିୟାଠାରୁ ଆରମ୍ଭ କରି ବିଭିନ୍ନ କାମ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା। ଏବେ ପୋଖରୀଟି ଅଛି, ହେଲେ ପୁନରୁଦ୍ଧାର ଅଭାବରୁ ପୋତି ହୋଇଗଲାଣି। ସେହିଭଳି ନୂଆ ପୋଖରୀ ଓ ନମ୍ରକାନୀଙ୍କ ଚୁଆ ମଧ୍ୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ।
ଟିଣ ଘରେ ପାଠ ପଢ଼ୁଥିଲେ ପିଲା
୧୯୫୬ ମସିହାରେ ଗାଁରେ ୟୁପି ସ୍କୁଲ ପ୍ରତିଷ୍ଠା ହେଲା। ଅରିଶଲର ଦୟାନିଧି ମିଶ୍ର ଏ ସ୍କୁଲର ପ୍ରଥମ ଶିକ୍ଷକ। ସେ ଏଇ ଗାଁରେ ରହିଲେ। ସେତେବେଳେ ସ୍କୁଲ ଘର ମାଟି କାନ୍ଥ ଓ ଟିଣ ଆଜବେଷ୍ଟସ୍ ଥିଲା। ପିଲା ଘରୁ ବହି ବସ୍ତାନୀ ସାଙ୍ଗକୁ ଦରି ନେଇ ଯାଉଥିଲେ। ଚତୁର୍ଥ ଶ୍ରେଣୀରେ ପଢ଼ିବା ପାଇଁ ହରିଦାସପୁର ଯାଉଥିଲେ। ତା’ ପରେ ହାଇସ୍କୁଲ ପାଇଁ ମିସନ ସ୍କୁଲ ଓ ବିଏମ୍ ହାଇସ୍କୁଲକୁ ଯାଉଥିଲେ। କାଳକ୍ରମେ ଶ୍ରେଣୀଗୃହ ବଢ଼ି ଏବେ ସେଠି ହାଇସ୍କୁଲ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଯାଇଛି।
ଯୁଦ୍ଧ ବେଳେ ଖୋଜା ପଡ଼ନ୍ତି ଦଳବେହେରା
ଗାଁରେ ବ୍ରାହ୍ମଣ, ଖଣ୍ଡାୟତ, କରଣ, ଗୁଡ଼ିଆ, ବାରିକ ଓ ଅନ୍ୟ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ୫୦ବର୍ଷ ତଳେ ଗାଁରେ ମାତ୍ର ୨୫ଟି ଘର ଥିଲା। ଏବେ ତାହା ବଢ଼ି ୫୬ ଘରରେ ପହଞ୍ଚିଛି। ଗାଁରେ ପାଞ୍ଚୋଟି ସାହି ଅଛି। ବ୍ରାହ୍ମଣ ସାହି, ପାତ୍ର ସାହି, ମହାନ୍ତି ସାହି, ଜେନା ସାହି, ଭୋଇ ସାହି। ଗାଁରେ ଅନ୍ୟ ଜାତିର ଲୋକମାନେ ଥିଲେ ହେଁ ଖଣ୍ଡାୟତ ଲୋକଙ୍କ ସଂଖ୍ୟା ଅନ୍ୟମାନଙ୍କଠାରୁ ଅଧିକ। ସେତେବେଳେ ଖୋର୍ଦ୍ଧା ରାଜାଙ୍କ ଦଳବେହେରା ଥିଲେ କେଳେଇ ପାତ୍ର। ରାଜାଙ୍କର ପାଇକ ଆବଶ୍ୟକ ପଡ଼ିଲେ, ସେ କେଳେଇ ପାତ୍ରଙ୍କ ପାଖକୁ ଖବର ପଠାଉଥିଲେ। ରାଜାଙ୍କ ଆଜ୍ଞ ପାଳନ ପୂର୍ବକ ସେମାନେ ବି ସଙ୍ଗେସଙ୍ଗେ ଖଣ୍ଡା, ତରବାରି ଧରି ଯୁଦ୍ଧକୁ ବାହାରି ପଡ଼ୁଥିଲେ। ଏବେ ବି ପାତ୍ର ପରିବାରରେ ସେତେବେଳର ଖଣ୍ଡାଗୁଡ଼ିକ ସାଇତା ହୋଇ ରହିଛି। ପ୍ରତିବର୍ଷ ଦଶହରାରେ ଖଣ୍ଡା ପୂଜା ହେଉଛି।
ଗୁହାଳରୁ ଗୋରୁ ଘୋଷାରି ନେଉଥିଲା ହେଟା
୬୦ ବର୍ଷ ତଳେ ବି ଗାଁ ଚାରିପାଖ ଘଞ୍ଚ ଜଙ୍ଗଲ ଥିଲା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ବେଶ୍ ଦେଖିବାକୁ ମିଳୁଥିଲା। ତେଣୁ ସଂଜ ନଇଁଲେ ଘରେ ତାଟିକବାଟ ପଡ଼ି ଯାଉଥିଲା। ଲୋକମାନେ ସିନା ସୁରକ୍ଷିତ ଭାବେ ଘରେ ରହି ଯାଉଥିଲେ, ହେଲେ ହେଟା ବାଘ ଗୁହାଳରୁ ଗାଈଗୋରୁଙ୍କୁ ଘୋଷାରି ନେଉଥିଲା। ଏମିତିକି ଦିନବେଳା ଗାଁରେ ଭାଲୁ, ବାର୍ହା ଆଦି ବୁଲୁଥିଲେ। ହରିଣ, କୁଟୁରା ଭଳି ଜନ୍ତୁ ତ ଗାଁ ଲୋକଙ୍କ ବାଡ଼ିରେ ଦିନ ଦିନ ଧରି ଚରନ୍ତି।
ନିଆଁହୁଳା ଧରି ରାତିରେ ବୁଲୁଥିଲେ ଚଉକିଆ
ଗାଁ ମଝିରେ ପାଇକ ଦଳବେହେରାଙ୍କ ଘର। ତାଙ୍କ ପିଣ୍ଡାରେ ଏକ ବଉଳ ଚଉତରା ଥିଲା। ସେ ପିଣ୍ଡାକୁ ଲାଗି ବଉଳ ଗଛ ଥିବାରୁ ତାହାକୁ ‘ବଉଳ ଚଉତରା’ ବୋଲି କୁହାଯାଉଥିଲା। ଗାଁରେ କଳିତକରାଳ ହେଲେ ମୁରବିମାନେ ସେଇଠି ବସି ନ୍ୟାୟ କରୁଥିଲେ। ଗାଁର କୌଣସି କଥା ଥାନାକୁ ଯାଉ ନଥିଲା। ବ୍ରିଟିସ୍ ଶାସନ ସମୟରେ ଚନ୍ଦ୍ରମଣି ଦଫାଦାର ଓ ରଘୁ ଗାଁର ଚଉକିଆ ନିଯକ୍ତି ହୋଇଥିଲେ। ସେମାନେ ରାତିରେ ଲଣ୍ଠନ ଧରି ଗାଁରେ ପହରା ଦିଅନ୍ତି। ଜଙ୍ଗଲୀ ଜନ୍ତୁଙ୍କ କବଳରୁ ବର୍ତ୍ତିବା ପାଇଁ ପାଖରେ ସବୁବେଳେ ତାଙ୍କ ପାଖରେ ନିଆଁହୁଳାଟିଏ ରହୁଥିଲା। ସେମାନେ ଏକା ସାଙ୍ଗରେ ଏହି ଆଖପାଖରେ ଦୁଇ ତିନିଟି ଗାଁ ଦାୟିତ୍ବରେ ଥିଲେ।
ରାଜାଙ୍କ ସମୟର ନୀଳକଣ୍ଠେଶ୍ବର
ଗାଁର ଇଷ୍ଟଦେବୀ ନମ୍ରକାନୀ ଓ ଇଷ୍ଟଦେବ ନୀଳକଣ୍ଠେଶ୍ବର। ଏହି ଦୁଇ ବିଗ୍ରହ ଓଡ଼ିଶାରେ ରାଜାରାଜୁଡ଼ାଙ୍କ ଶାସନ ସମୟରୁ ରହି ଆସିଛି ବୋଲି କୁହାଯାଏ। ଏହାସହ ରାଧାକୃଷ୍ଣ ମନ୍ଦିର ପୁରାତନ ମନ୍ଦିର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ରାମ ମନ୍ଦିର, ହନୁମାନ ମନ୍ଦିର ଆଦି ଗଢ଼ି ଉଠିଛି। ଗାଁର ଭାଗବତ ଟୁଙ୍ଗୀରେ ପୂର୍ବରୁ ଭାଗବତ ପଢ଼ା ବେଳେ ଗାଁର ଅର୍ଦ୍ଧାଧିକ ଲୋକ ବସି ଭାଗବତ ଶୁଣୁଥିଲେ। ଏବେ ଭାଗବତ ପଢ଼ା ହେଉଛି। ହେଲେ ହାତଗଣତି କିଛି ପୁରୁଖା ଲୋକଙ୍କୁ ଛାଡ଼ିଦେଲେ ନୂଆପିଢ଼ିର କାହାକୁ ଦେଖିବାକୁ ମିଳୁନି।
ଲାଇନ୍ ନେବାକୁ ଗ୍ରାହକ ଜମା ଥିଲା ୨ଟଙ୍କା
ଗାଁଟି ବହୁତ ଖାଲୁଆ ଅଞ୍ଚଳରେ ଥିବାରୁ ସେତେବେଳେ ଖଣ୍ଡଗିରି ପାହାଡ଼ର ଯେତକ ପାଣି ସବୁ ନିଗିଡ଼ି ଆସି ଗାଁରେ ପଶୁଥିଲା। ଲୋକଙ୍କ ଘରେ ପାଣି ପଶି ଯାଉଥିଲା। ଦିନ ଦିନ ଧରି ଗାଁ ରାସ୍ତା ଜଳାଣ୍ଣବ ରହୁଥିଲା। ଲୋକ ସେହି ପାଣିରୁ ମାଛ ଧରନ୍ତି। ୭୦ ଦଶକ ବେଳକୁ ପରିସ୍ଥିତି ଟିକେ ବଦଳିଲା। ଏପଟ ରାସ୍ତା ଉଚ୍ଚା ହୋଇଯିବାରୁ ପାହାଡ଼ରୁ ପାଣି ଆସିବା ବନ୍ଦ ହୋଇଗଲା। ସେହିପରି ସେତେବେଳେ ସମସ୍ତଙ୍କର ଚାଳଘର ଥିଲା। ବିଜୁଳି ଆଲୁଅ ବି ସାତସପନ ଥିଲା। ୧୯୭୭ରେ ଗାଁକୁ ପ୍ରଥମେ ବିଜୁଳି ଆସିଲା। ସଂଯୋଗ ନେବା ପାଇଁ ବିଦ୍ୟୁତ କାର୍ଯ୍ୟାଳୟରେ ମାତ୍ର ୨ଟଙ୍କା ଜମା କରିବାକୁ ପଡ଼ୁଥିଲା। ମାସକୁ ୪୦ ପଇସାର ବିଲ୍ ଆସୁଥିଲା। ଗାଁର ହାତଗଣତି ୪-୫ ଘର ବିଦ୍ୟୁତ୍ ସଂଯୋଗ ନେଇଥିଲେ।
ଐତିହାସିକ ପୃଷ୍ଠଭୂମିକୁ ନେଇ ବିଶିଷ୍ଟ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ମତ ରଖିଥିବା ବେଳେ ଗାଁର ପୁରୁଖା ଲୋକ ଲୋକନାଥ ପାତ୍ର, କୀର୍ତ୍ତିପନ ପଟ୍ଟନାୟକ, ବେଣୁଧର ପାତ୍ର ଓ ବ୍ରଜରାଜ ପାତ୍ରଙ୍କ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।