ଡୁଙ୍ଗୁରିପାଲିରେ କୃଷି ଯୋଜନା ବାଟମାରଣା : ନିର୍ମାଣ ପରେ ଛାୟାଗୃହ ଉଭାନ୍‌

ଡୁଙ୍ଗୁରିପାଲି : ସୋନପୁରର ଡୁଙ୍ଗୁରିପାଲିରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ବ୍ୟାପକ ଅନିୟିତତା ହୋଇଥିବା ଅଭିଯୋଗ ହୋଇଛି। ନିର୍ମାଣର କିଛି ମାସ ପରେ ଚାରାରୋପଣ ପାଇଁ ନିର୍ମିତ ଛାୟାଗୃହ କେଉଁ ଆଡ଼େ ଉଭାନ୍‌ ହୋଇଯାଇଛି। କୃଷି ବିଭାଗର ଅଧିକାରୀ ଏବଂ ଛାୟାଗୃହର ସମ୍ପୃକ୍ତ ସତ୍ତ୍ୱାଧିକାରୀମାନଙ୍କ ସଲାସୁତୁରାରେ ଏପରି ଦୁର୍ନୀତି ହୋଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି।

ଶସ୍ୟ ଉତ୍ପାଦନ ଉଦ୍ଦେଶ୍ୟରେ ଚାରାରୋପଣ ପାଇଁ ଏହି ‘ସେଡ଼୍‍ ନେଟ୍‌’ ବା ‘ଛାୟାଗୃହ’ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି। ନିୟମ ଅନୁଯାୟୀ ପ୍ରସ୍ତାବିତ ସ୍ଥାନକୁ ସେଡ ନେଟ ବା ଛାୟାଗୃହ ଦ୍ୱାରା ଆବଦ୍ଧ କରିବା ସହ ଆନୁସାଙ୍ଗିକ କାର୍ଯ୍ୟ ସମାପନ ପାଇଁ ସରକାରଙ୍କର ଅନୁବନ୍ଧିତ ସଂସ୍ଥାକୁ ଦାୟିତ୍ୱ ଦିଆଯାଏ। ଉକ୍ତ ଯୋଜନାରେ ହିତାଧିକାରୀଙ୍କୁ ୨୫ ପ୍ରତିଶତ ଖର୍ଚ୍ଚ ଅଗ୍ରିମ ଦେବାକୁ ପଡ଼େ ଓ ଅବଶିଷ୍ଟ ୭୫ ପ୍ରତିଶତ ଖର୍ଚ୍ଚ ୪୫୦ ଟଙ୍କା ପ୍ରତି ବର୍ଗ ମିଟର ଆକାରରେ ସରକାରଙ୍କୁ ସବ୍‌ସିଡି ଆକାରରେ ଦେବାକୁ ପଡ଼େ। ଡୁଙ୍ଗୁରିପାଲିରେ ଜିଲ୍ଳା ଉଦ୍ୟାନ ବିଭାଗର ଅନୁମୋଦନ କ୍ରମେ ହିତାଧିକାରୀଙ୍କର ପ୍ରସ୍ତାବିତ ସ୍ଥାନରେ ସେଡ ନେଟ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ମିନେରାଲ ଆଣ୍ଡ ଏକ୍ସପଟ୍‌ ଲଜିଷ୍ଟିକ ପ୍ରା.ଲିଃ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର, ଏହି ସଂସ୍ଥା ଚାଷୀମାନଙ୍କୁ କୌଣସି ସାହାଯ୍ୟ କରିନଥିଲା।

ଏ ସମ୍ପର୍କରେ ଡୁଙ୍ଗୁରିପାଲିର ଦୁର୍ଯ୍ୟୋଧନ ମେହେର , ଜମ୍ବୋବତୀ ମେହେର, ସଂଧ୍ୟାରାଣୀ ମେହେର ଓ ଦଶରଥ ମେହେରଙ୍କ ଭଳି ହିତାଧିକାରୀ ଉକ୍ତ ଯୋଜନାର କାର୍ଯ୍ୟକାରିତାରେ ଅସହଯୋଗ ଦର୍ଶାଇ ହିତାଧିକାରୀମାନେ ଜିଲ୍ଲା ଓ ରାଜ୍ୟ ଉଦ୍ୟାନ ବିଭାଗ ବିରୋଧରେ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲେ। ଉକ୍ତ ମାମଲାର ଡବ୍ଲୁପି(ସି)ନଂ୧୬୨୭୬/୨୦୧୬ ତା.୨୭.୯.୧୬ରେ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାଙ୍କ ଆଦେଶରେ ନିର୍ଦେଶକ ଉଦ୍ୟାନ ବିଭାଗ, ଓଡ଼ିଶା ଭୁବନେଶ୍ୱରଙ୍କୁ ଏହା ଉପରେ ବିଚାର କରି ଏକ ମାସ ଭିତରେ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି।

ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଆଧାରରେ ନିର୍ଦେଶକ ଉଦ୍ୟାନ ବିଭାଗ, ଭୁବନେଶ୍ୱର ଅଫିସ ନଂ ୩/୧୩୮୬୮/ ତା.୫.୧୧.୧୬ ଅନୁଯାୟୀ ଏକ ନିର୍ଦେଶନାମା ବାହାର କରି ହିତାଧିକାରୀମାନେ ତାଙ୍କ ବିରୋଧରେ ଆଗତ କରିଥିବା ଅବହେଳାକୁ ସଂପୂର୍ଣ୍ଣ ନିରାଧାର ବୋଲି ଉଲ୍ଳେଖ କରିଛନ୍ତି।

ସୂଚନାଯୋଗ୍ୟ ଉଦ୍ୟାନ ବିଭାଗ ସୋନପୁର ଚିଠି ନଂ ୭୩୧/ ତା.୨୮.୫.୨୦୧୪ରେ ଉପରୋକ୍ତ ଚାରିଟି ପ୍ରୋଜେକ୍ଟର ମିସନ ଅଫ ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଅଫ ହର୍ଟିକଲଚର ଯୋଜନା ଅନୁଯାୟୀ ଅନୁମୋଦନ କରିବା ପାଇଁ ନିର୍ଦେଶକ ଉଦ୍ୟାନ ବିଭାଗ ଭୁବନେଶ୍ୱରଙ୍କୁ ଜଣାଇଥିଲେ। ଚିଠି ପାଇବାର ମାତ୍ର ଦୁଇ ମାସ ଭିତରେ ନିର୍ଦେଶକ ଉଦ୍ୟାନ ବିଭାଗ ଭୁବନେଶ୍ୱର ତାଙ୍କ ଚିଠି ନଂ ୩୯୮୪/ତା. ୧୨.୭.୨୦୧୪ ଅନୁଯାୟୀ ସମ୍ମତି ପ୍ରଦାନ କରିଥିଲେ। ହିତାଧିକାରୀ ହିତାଶୁ କର୍ପୋରେସନ ପରେ ଇଣ୍ଡିଆନ ମିନେରାଲ ଏଣ୍ଡ ଏକ୍ସପୋଟ୍‌ର୍ ଲଜିଷ୍ଟିକ ପ୍ରା.ଲିଃ ସଂସ୍ଥାପକଙ୍କ ଦ୍ୱାରା କାର୍ଯ୍ୟ ଆରମ୍ଭ କରିଥିଲେ। ଚିଠି ନଂ ୯୫/ ତା.୨୮.୧.୧୫ ଓ ଚିଠି ନଂ ୨୦୧/ ତା. ୨୧.୨.୧୫ରେ ଦଶରଥ ମେହେର ଓ ଦୁର୍ଯ୍ୟୋଧନ ମେହେରଙ୍କ ନାଁରେ ଯଥାକ୍ରମେ କାର୍ଯ୍ୟାଦେଶ ବାହାରି ମାତ୍ର ଦୁଇମାସ ଭିତରେ ଅର୍ଥାତ ୩୦.୩.୨୦୧୫ରେ ସଂପୂର୍ଣ୍ଣ ହେବାର ଜଣାଇଲେ। ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଉକ୍ତ ପ୍ରୋଜେକ୍ଟ ଯାଞ୍ଚ କଲାପରେ ସବ୍‌ସିଡି ରାଶି ଉକ୍ତ ସଂସ୍ଥାପନ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ତେଣୁ ଦଶରଥ ମେହେର ଓ ଦୁର୍ଯ୍ୟୋଧନ ମେହେର ପ୍ରୋଜେକ୍ଟ ସଂପୂର୍ଣ୍ଣ ହୋଇ ନାହିଁ ବୋଲି ଆଗତ କରିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଉଦ୍ୟାନ ବିଭାଗର ଅର୍ଡର୍ରରେ ଦର୍ଶାଯାଇଛି।

ଅନ୍ୟ ଦୁଇଜଣ ହିତାଧିକାରୀ ସଂଧ୍ୟାରାଣୀ ମେହେର ଓ ଜମ୍ବୋବତୀ ମେହେର ନିର୍ଦ୍ଧାରିତ ଜମିଟି ଲିଜ ପ୍ଲଟ ଆକାରରେ ଉଲ୍ଳେଖ ରହିଛି। ସଂଧ୍ୟାରାଣୀଙ୍କ ନାମରେ ଦର୍ଶାଯାଇଥିବା ୨୪୪୯ ବର୍ଗମିଟର ଓ ଜମ୍ବୋବତୀଙ୍କ ନାମରେ ଦର୍ଶାଯାଇଥିବା ୪୦୦୦ ବର୍ଗମିଟର କାମ ପ୍ରାୟ ୭୦ ପ୍ରତିଶତ ସଂପୂର୍ଣ୍ଣ ହୋଇଥିବାରୁ ୭୦ ପ୍ରତିଶତ ସବସିଡି ଟଙ୍କା ଅର୍ଥାତ୍‌ ସଂଧ୍ୟାରାଣୀଙ୍କ ନାମରେ ୮ଲକ୍ଷ ୧୪ ହଜାର ୨୯୩ ଟଙ୍କା ଓ ଜମ୍ବୋବତୀଙ୍କ ନାମରେ ୧୩ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରୋଜେକ୍ଟ କାର୍ଯ୍ୟ ସମାପ୍ତି ପରେ ସମସ୍ତ ଟଙ୍କା ଦିଆଯିବ ବୋଲି ଦର୍ଶାଯାଇଥିଲା। ଆହୁରି ମଧ୍ୟ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ହିତାଧିକାରୀ ସହଯୋଗ କରୁନଥିବା ଦର୍ଶାଯାଇଥିଲା।

ନିର୍ଦ୍ଧାରିତ ଯୋଜନାର ସଂପୂର୍ଣ୍ଣ ହେବା ଅବ୍ୟବହିତ ପୂର୍ବରୁ ହିତାଧିକାରୀ ଗତ ୭.୧.୨୦୧୬ରେ ଡୁଙ୍ଗୁରିପାଲି ଥାନାରେ ତାଙ୍କ ସମସ୍ତ ଜିନିଷ ଚୋରି ହୋଇଯାଇଥିବା ଏଫଆଇଆର ଦେଲେ ଯାହାକି ତଦନ୍ତର ପରିସରଭୁକ୍ତ। କାଗଜ କଲମରେ ସଂପୂର୍ଣ୍ଣ ହୋଇଥିବା ଉକ୍ତ ଯୋଜନା ଗୁଡ଼ିକର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ନିର୍ଦ୍ଧାରିତ ପ୍ରକଲ୍ପରେ ନା ଶସ୍ୟ ହେଉଛି ନା ପ୍ରୋଜେକ୍ଟ ଅଛି, ସଂପୃକ୍ତ ବିଭାଗର ନିର୍ଦେଶକ ଓ ଉପ ନିର୍ଦେଶକ କାହିଁକି ସ୍ଥାନ ପରିଦର୍ଶନ କରୁନାହାନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଉକ୍ତ ପ୍ରୋଜେକ୍ଟର ପ୍ରମୁଖ ହିତାଧିକାରୀ ଦଶରଥ ମେହେରଙ୍କ ଠାରୁ ପ୍ରକାଶ ଯେ ଉକ୍ତ ପ୍ରୋଜେକ୍ଟ ନିର୍ମାଣକାରୀ ବା ଏରେକ୍ଟର ୧ କୋଟି ଟଙ୍କାର ପ୍ରକଲ୍ପ ପାଇଁ ଉକ୍ତ ଜମିରେ ନେଟ ଟାଣିବା ଓ ପାଇପ ବିଛାଇବା ସହ ଭିତ୍ତିଭୂମି ନିର୍ମାଣ ପାଇଁ ତାଙ୍କ ଠାରୁ ୧୬ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଅଦ୍ୟାବିଧି ଟଙ୍କାଟିଏ ତାଙ୍କୁ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ତତ୍କାଳୀନ ଅତିରିକ୍ତ ନିର୍ଦେଶକ ମୂରଲୀ ବେହେରାଙ୍କ ଦୃଷ୍ଟି ଆର୍ଷଣ କରାଯିବାରୁ ୨୦୧୪/୧୫ ମସିହାରେ କମ୍ପାନିର ଏରେକ୍ଟର ମାଧ୍ୟମରେ ସବ୍‌ସିଡି ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ହିତାଧିକାରୀଙ୍କ ମାଧ୍ୟମରେ ସବ୍‌ସିଡି ଦିଆଯାଉଥିବାରୁ ଏରେକ୍ଟର ଆସିଲେ ନାହିଁ କି କାମ ମଧ୍ୟ କଲେ ନାହିଁ ବୋଲି ସେ କହିଥିଲେ।

ଚାଷୀ ଓ ଏରେକ୍ଟରଙ୍କ ମଧ୍ୟରେ ମନାନ୍ତର ଯୋଗୁଁ ଉକ୍ତ ଯୋଜନା ବିଫଳ ହୋଇଛି ବୋଲି ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ସବୁ ରହସ୍ୟ ଉନ୍ମୋଚନ ହେବ ବୋଲି ଚାଷୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର