ଦ୍ରୌପଦୀ ମୁର୍ମୁଙ୍କ ଗାଁ ଡୁଙ୍ଗୁରିସାହି ରାତାରାତି ଆଲୋକିତ

ରାଇରଙ୍ଗପୁର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବାପ ଘର ଗାଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମରେ। ତେବେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ଗ୍ରାମରେ ବିଦ୍ୟୁତ୍ ନଥିବା ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।

ଉପରବେଡ଼ା ଡୁଙ୍ଗୁରିସାହି ଗ୍ରାମର ଦ୍ରୌପଦୀଙ୍କ ଘରଠାରୁ ୧ କିମି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ଜାଣିବାକୁ ପାଇଥିଲା ବିଦ୍ୟୁତ ବିଭାଗ। ଏହି ସାହିରେ ୩ ବର୍ଷ ପୂର୍ବରୁ କିଛି ଭୂମିହୀନଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ପରେ ୭/୮ଟି ପରିବାର ସେଠାରେ ଘର ନିର୍ମାଣ କରି ବାସ କରୁଛନ୍ତି। ହେଲେ ସେହି ସାହିକୁ ବିଦ୍ୟୁତ୍‌ ସଂଯୋଗ ନ ଥିଲା। ତେବେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବିଦ୍ୟୁତ୍ ବିଭାଗ ହଠାତ ଚେଇଁ ଉଠିଛି। ଶନିବାର ଦିନ ତତ୍‌କ୍ଷଣାତ ନୂତନ ଟ୍ରାନ୍ସଫରମର୍ ଓ ଖୁଣ୍ଟ ବସାଯାଇ ସେଠାରେ ବସବାସ କରୁଥିବା କିଛି ପରିବାରଙ୍କୁ ତତ୍କାଳ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି। ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ବିଦ୍ୟୁତ୍ ଖୁଣ୍ଟ ପୋତା ଚାଲିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର