ଯାଜପୁର/ଚଢ଼େଇଧରା: ଧର୍ମଶାଳା ତହସିଲ ତଥା ଜେନାପୁର ଥାନା ଅଧୀନ ଡଙ୍କାରୀ କଳାପଥର ଖାଦାନରେ ବିଳମ୍ବିତ ରାତିରେ ଘଟିଛି ବଡ଼ ଦୁର୍ଘଟଣା। ପଥର ଉତ୍ତୋଳନ ବେଳେ ପାହାଡ଼ ଧସିବାରୁ କାମ କରୁଥିବା ଶ୍ରମିକମାନେ ପଥର ତଳେ ଚାପି ହୋଇଯାଇଛନ୍ତି। ଜଣେ ଶ୍ରମିକର ମୃତ୍ୟୁଦେହ ପଥର ତଳୁ ଉଦ୍ଧାର କରାଯାଇଛି। ଏକାଧିକ ଶ୍ରମିକ ପଥର ଗଦା ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନ୍ଡିଆରଏଫ ଟିମ୍ ପହଞ୍ଚି ପଥର ହଟାଇବାକୁ ଉଦ୍ୟମ କରିଥିଲେ। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ଆଜି ବନ୍ଦ ରହିଥିବା ବେଳେ ଆସନ୍ତାକାଲି ଉଦ୍ଧାର କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟିଥିବା ଖାଦାନର ଲିଜଧାରୀ ନାରାୟଣ ରାଉତ ବୋଲି ସୂଚନା ମିଳିଛି। ଅପରପକ୍ଷରେ ବିନାଲିଜ୍ ଅଞ୍ଚଳରେ ଖନନ ହେଉଥିଲା ବୋଲି ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଲଘୁ ଖଣିଜ ସମ୍ପଦ ଉପନିର୍ଦ୍ଦେଶକ ଓ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ଧର୍ମଶାଳା ରାଜନୀତି ବେଶ ଚଳଚଞ୍ଚଳ ହୋଇଛି।
ଡଙ୍କାରୀ ପାହାଡ଼ର ସୈରାତ ନମ୍ବର ୫/୧୦ରେ ୪ ଏକର ଅଞ୍ଚଳରୁ କଳାପଥର ଖନନ ପାଇଁ ଲାଗି ନାରାୟଣ ରାଉତ ଲିଜ୍ ପାଇଛନ୍ତି। ଗତକାଲି ରାତିରେ ୱାଗନ୍ ଡ୍ରିଲିଂ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ପୋକ୍ଲେନ୍ ମେସିନ ସହ ଅପରେଟର ଓ ଶ୍ରମିକମାନେ ପଥର ତଳେ ଚାପି ହୋଇଯାଇଥିବା ଆଶଙ୍କା ପ୍ରକାଶ ପାଇଛି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଜଣେ ଶ୍ରମିକର ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିଚୟ ମିଳିପାରିନାହିଁ l ଘଟଣାସ୍ଥଳରେ ଏସ୍ଡିପିଓ ସଞ୍ଜୟ ପଟ୍ଟନାୟକ, ଜେନାପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଧର୍ମଶାଳା ଆଇଆଇସି ତପନ ନାୟକ ଏକ ପ୍ଲାଟୁନ ଫୋର୍ସ ସହିତ ପହଞ୍ଚିଥିବା ବେଳେ ଏନ୍ଡିଏଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା। ଭୁଶୁଡ଼ିଥିବା ଶହ ଶହ ଟ୍ରିପ ପଥର ତଳେ କେହି ଜୀବିତ ଥିବା ସନ୍ଦେହରେ ଡଗ୍ସ୍କ୍ୱାଡର ସହାୟତା ନିଆ ଯାଇଥିଲେ ମଧ୍ୟ କୌଣସି ସଫଳତା ମିଳିପାରିନାହିଁ l ଲିଜଧାରୀ ନାରାୟଣ ରାଉତଙ୍କ କହିବା ଅନୁସାରେ ପଥର ଖନନ ପାଇଁ ରେଜିଂ ଠିକାଦାର କେଶବ ରେଡ୍ଡିକୁ ନିୟୋଜିତ କରିଥିଲେ l ରେଜିଂ ଠିକାଦାର ଆନ୍ଧ୍ରପ୍ରଦେଶର ଶ୍ରମିକଙ୍କୁ ନେଇ ଏଠାରେ ଡ୍ରିଲିଂ ବ୍ଲାଷ୍ଟିଂ ଓ ପରିବହନ କରନ୍ତି l ମୃତ ଶ୍ରମିକଙ୍କ ପରିଚୟ ଜାଣିବାକୁ ରେଜିଂ ଠିକାଦାର ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ l ପାହାଡ଼ ଭଳି ଗଦା ହୋଇଥିବା ପଥର ହଟେଇବା ପାଇଁ ତିନିଟି ପୋକ୍ଲେନ୍ ନିୟୋଜିତ କରାଯାଇଛି l