ଯାଜପୁରସଦର: ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟସ୍ଥ ଡଙ୍କାରୀ ଅଞ୍ଚଳରେ ଭୂତଳ ତୈଳଭଣ୍ଡାର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଥିଲା। ୨୦୧୭ ମାର୍ଚ୍ଚ ୨୩ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଏଠାରେ ଦେଶର ଚତୁର୍ଥ ବୃହତ୍ତମ ତୈଳ ଭଣ୍ଡାର ନିର୍ମାଣ କରିବାକୁ ଘୋଷଣା କରିଥିଲା। ହେଲେ, ପରବର୍ତ୍ତୀ ସମୟରେ ରାଜନୈତିକ ଛକାପଞ୍ଝାରେ ଏହି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିଲା। ବର୍ତ୍ତମାନ ସରକାର ବଦଳିଛି। ତେଣୁ ଏହି ପ୍ରସ୍ତାବିତ ତୈଳଭଣ୍ଡାର ନିର୍ମାଣ ପାଇଁ ବାଟ ଖୋଲିବ କି ବୋଲି ପ୍ରଶ୍ନ ଉଠୁଛି। ୬.୫ ମିଲିୟନ ମେଟ୍ରିକ ଟନ୍ ରିଜର୍ଭର ପାଇଁ ୫ହଜାର କୋଟି ବ୍ୟୟ ଅଟକଳ କରାଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ଏଥିପାଇଁ ପ୍ରାଥମିକ ଭାବେ ୩୮୦୦ କୋଟିର ମଞ୍ଜୁରି ମିଳିଥିଲା। ୬୦୦ ଏକର ଜମି ମଧ୍ୟରୁ ୪୦୦ ଏକର ସୁଡ଼ଙ୍ଗ ଏବଂ ୨୦୦ ଏକର ଅନ୍ୟାନ୍ୟ ବ୍ୟବହାର ପାଇଁ ପ୍ରସ୍ତାବ ରହିଥିଲା। ଏହି ଭୂତଳ ତୈଳଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ହେଲେ, ଜିଲ୍ଲା ପ୍ରଶାସନ ପ୍ରକଳ୍ପ ପାଇଁ ଜମି ଯୋଗାଇବା ପରିବର୍ତ୍ତେ ୮ ଜଣ ଲିଜ୍ଧାରୀଙ୍କୁ ଏଠାରେ ଜମି ଯୋଗାଇ ଦେଇଥିଲା। କେନ୍ଦ୍ରର ବାରମ୍ବାର ଅନୁରୋଧକୁ ରାଜ୍ୟ ସରକାର ଗୁରୁତ୍ବ ଦେଇନଥିଲେ।
୨୦୧୯ ମସିହାରେ ମଧ୍ୟ ଇଣ୍ଡିଆନ୍ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିଃ(ଆଇଏସପିଆରଏଲ)ଟିମ୍ ଏହି ସ୍ଥାନ ପରିଦର୍ଶନ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ବି ଆଲୋଚନା କରିଥିଲେ। ଧର୍ମଶାଳା ତହସିଲ ଅଞ୍ଚଳରେ ଏହି ପ୍ରକଳ୍ପ ହେଲେ ସରକାରଙ୍କର ୧୪୧୩ କୋଟି ରାଜସ୍ବ କ୍ଷତି ହେବ ବୋଲି ଦିଆଯାଇଥିବା ରିପୋର୍ଟକୁ ଉକ୍ତ ଟିମ୍ ଖଣ୍ଡନ କରିବା ସହ ଗଚ୍ଛିତ ଥିବା ଗ୍ରାନାଇଟ୍ ଅଞ୍ଚଳରୁ ମାତ୍ର ୧୫ ପ୍ରତିଶତ ପ୍ରକଳ୍ପ ପାଇଁ ବ୍ୟବହାର ହେବାକୁ କୁହାଯାଇଥିଲା। ଏହାପରେ ମଧ୍ୟ ରାଜ୍ୟ ସରକାରଙ୍କ ଅସହଯୋଗ ପ୍ରକଳ୍ପ ନିର୍ମାଣକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିଲା। ଏଥିସହିତ, ପ୍ରକଳ୍ପ ଘୋଷଣା ଦିନରୁ ସ୍ଥାନୀୟ ରାଜନେତା, କିଛି କଳାପଥର ମାଫିଆ, ଟ୍ରକ୍ ସଂଘ, ଏପରିକି ପ୍ରଶାସନ ମଧ୍ୟ ରାଜସ୍ବ କ୍ଷତି ଆଳରେ ବି ଏହି ପ୍ରକଳ୍ପକୁ ବିରୋଧ କରିଥିଲେ।
ପରବର୍ତ୍ତୀ ସମୟରେ ଏନ୍ଜିଟି ଟିମ୍ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିଲା। ଏହି ପ୍ରକଳ୍ପ ହେଲେ ଗ୍ରାନାଇଟ୍ ଖାଦାନ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ ନାହିଁ କିମ୍ବା ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ ନାହିଁ। ସ୍ଥାନୀୟ ଲୋକଙ୍କ ପାଇଁ ପ୍ରଦୂଷଣ କିମ୍ବା ଅନ୍ୟାନ୍ୟ ସମସ୍ୟା ନଥିବା ବେଳେ ପ୍ରତ୍ୟକ୍ଷ ରୋଜଗାରର ମାଧ୍ୟମ ସୃଷ୍ଟି ହେବ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।
ଏସବୁ ସତ୍ତ୍ବେ ମଧ୍ୟ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ ଉଦ୍ୟମ ହୋଇନଥିଲା। ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିଥିବାରୁ ଏହି ବୃହତ୍ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନେଇ ଯାଜପୁରବାସୀ ଆଶା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହାରେ ଏକ ସମୟରେ ଆନ୍ଧ୍ରପ୍ରଦେଶର ପୁଦୁର ଓ କର୍ଣ୍ଣାଟକର ମାଙ୍ଗାଲୋରଠାରେ ଅନ୍ୟ ଦୁଇଟି ତୈଳ ଭଣ୍ଡାର ପ୍ରକଳ୍ପ ଘୋଷଣା କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହୋଇଥିବା ବେଳେ ଡଙ୍କାରୀ ପ୍ରକଳ୍ପ ୭ବର୍ଷ ହେଲା ଫାଇଲ ଭିତରେ ଚାପି ହୋଇଯାଇଛି।