କଟକରେ ପୁଣି ନକଲି ସିମେଣ୍ଟ କାରଖାନା

କଟକ – ଜଗତପୁର: ଗଲା ଦୁଇମାସ ଭିତରେ କଟକ ଅଞ୍ଚଳରେ ଧରାପଡ଼ିଛି ଦ୍ବିତୀୟ ନକଲି ସିମେଣ୍ଟ ପ୍ରସ୍ତୁତକାରୀ ସଂସ୍ଥା। ଜଗତପୁର ଥାନାଠାରୁ ତିନି କିଲୋମିଟର ଦୂରରେ ଥିବା କଟକ-ଚାନ୍ଦବାଲି ରୋଡ୍‌ ପାର୍ଶ୍ୱ ଖଇରା ପୋଲ ନିକଟରେ ଗଲା ୬ ବର୍ଷ ହେଲା ରହିଥିବା ଏହି ନକିଲ ସିମେଣ୍ଟ ଗୋଦାମରେ ପୁଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ବକ୍ସି ବଜାର ଅଂଚଳର ସଞ୍ଜୟ ଭୋଳ ପ୍ରାୟ ୬ ବର୍ଷ ହେବ ଇମାମନଗର ଗ୍ରାମର ବାସିନ୍ଦା ସୁକାନ୍ତ ରାଉତଙ୍କ ଠାରୁ ଖଇରା ପୋଲ ନିକଟରେ ଥିବା ଏକ ଗୋଦାମ ଘରକୁ ଭଡା ନେଇଥିଲେ। ସେଠାରେ ନକଲି ତଥା ଅପମିଶ୍ରିତ ସିମେଣ୍ଟ ପ୍ରସ୍ତୁତ କରିବା ସହିତ ବିକ୍ରି ପାଇଁ ବଜାରକୁ ଛାଡୁଥିଲେ। ପ୍ରଥମେ ବିଭିନ୍ନ ବ୍ରାଣ୍ଡେଡ୍ କଂପାନିର ନଷ୍ଟ ହୋଇଯାଇଥିବା ସିମେଣ୍ଟକୁ ସଂଗ୍ରହ କରୁଥିଲେ। ତାହାକୁ ଗୁଣ୍ଡ କରି ସେଥିରେ ଅନ୍ୟ କିଛି ସିମେଣ୍ଟ ମିଶାଇ ତାହାକୁ ବିଭିନ୍ନ ନାମକରା କଂପାନିର ବସ୍ତାରେ ତାହାକୁ ପୂରାଇ ପ୍ୟାକିଂ କରି ବଜାରକୁ ଛାଡୁ ଥିଲେ। ଗୋଦାମରୁ ସିମେଣ୍ଟ ଭର୍ତ୍ତି ବସ୍ତା ଜବତ କରାଯିବା ସହିତ ନକଲି ସିମେଣ୍ଟ ପ୍ରସ୍ତୁତିରେ ବ୍ୟବହୃତ ଜାଲି, କାହାଳି, ହାମର ଓ ଶତାଧିକ ଖାଲି ସିମେଣ୍ଟ ବସ୍ତା, ସିମେଣ୍ଟ ବୋଝେଇ ହୋଇଥିବା ଏକ ଟ୍ରକକୁ ପୁଲିସ ଜବତ କରିଛି। କିନ୍ତୁ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ତଥା ନକଲି ସିମେଣ୍ଟ ପ୍ରସ୍ତୁତକାରୀ ସଂସ୍ଥାର ମାଲିକ କଟକ ବକ୍ସିବଜାର ଅଞ୍ଚଳର ବାସିନ୍ଦା ସଞ୍ଜୟ ଭୋଳ ଫେରାର ହୋଇ ଯାଇଥିବା ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ଗତ ମାସରେ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଥିବା ଏହିପରି ଏକ ନକଲି ସିମେଣ୍ଟ ପ୍ରସ୍ତୁତକାରୀ କାରଖାନା ଆଉ ଗୋଦାମକୁ ପୁଲିସ ସିଲ୍ କରିଥିଲା। ଗଲା ୫ ମାସ ଭିତରେ ଏହାକୁ ମିଶାଇ କଟକ କମିସନରେଟ୍ ପୁଲିସ ଅଞ୍ଚଳରେ ୨୬ଟି ନକଲି ସଂସ୍ଥା ଧରା ପଡିଲାଣି।

ସମ୍ବନ୍ଧିତ ଖବର