ଜାଲ୍ ଆକାଉଣ୍ଟରେ ୧୨ କୋଟି ଜିଏସ୍‌ଟି ହଡ଼ପ

ଶ୍ରମିକଙ୍କ ନାଁରେ ନକଲି କମ୍ପାନି, ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ଗୁମର କଥା

ରାଉରକେଲା: ଇସ୍ପାତ ସହରରେ ଜିଏସ୍‌ଟି ଠକେଇର ଚେର ବେଶ୍ ଲମ୍ବା। କେବଳ ସହରରେ ଏହି ଠକେଇ ୧୫ଶହ କୋଟିରୁ ଅଧିକ ହେବ। କୋଟି କୋଟି ଟଙ୍କା ଠକି ୭ ଜଣ ଅଭିଯୁକ୍ତ ଜେଲ୍ ଯାଇଥିବାବେଳେ ଆଉ ୨ ଜଣ ଫେରାର ଅଛନ୍ତି। ଏହି ଯୋଜନାବଦ୍ଧ ଠକେଇରେ କେତେକ ବ୍ୟାଙ୍କ୍ କର୍ତୃପକ୍ଷଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି। ଜିଏସ୍ଟି ଗୁଇନ୍ଦା ବିଭାଗ ମଧ୍ୟ ଏନେଇ ଖୋଲତାଡ଼ ଜାରି ରଖିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ତେବେ, ସଂପ୍ରତି ଜଣେ ଶ୍ରମିକଙ୍କ ନାଁରେ ଜାଲ୍ କମ୍ପାନି ତିଆରି ପ୍ରାୟ ୧୨ କୋଟି ଟଙ୍କା ଠକିନେଇଥିବା ଆଲୋଡ଼ନ ସୃଷ୍ଟି କରିଛି। ଏହି ଜାଲ୍ ଆକାଉଣ୍ଟ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କରେ ମିଡ୍‌ଟାଉନ୍‌ ଶାଖାରେ ଖୋଲାଯାଇଛି।

ସହରର ଏକ ବସ୍ତି ଅଞ୍ଚଳରେ ବିଶ୍ବଜିତ ତାଣ୍ଡିଆ ବାସ କରନ୍ତି। ସେ ଜଣେ ଶ୍ରମିକଭାବେ କାମ କରନ୍ତି। ତେବେ ତାଙ୍କ ଅଗୋବଚରରେ ‘ବି.ଟି.ମିନେରାଲ୍ସ’ ନାଁରେ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ମିଡ୍‌ଟାଉନ୍ ଶାଖାରେ ଏକ ଆକାଉଣ୍ଟ୍(ନଂ-୦୦୪୦୧୦୦୦୧୨୫୫) ଖୋଲାଯାଇଛି। ଆକାଉଣ୍ଟ ଖୋଲିବାବେଳେ ଠିକଣା, ଶକ୍ତିନଗର ୨୧/ବି ଦର୍ଶାଯାଇଛି। ପ୍ରକୃତରେ ଏହି ଠିକଣା ବି ନକଲି। ଶକ୍ତିନଗର ଅଞ୍ଚଳରେ ଏହି ଠିକଣା ହିଁ ନାହିଁ। ଏହାସହ ଯେଉଁ ମୋବାଇଲ ନମ୍ବର(୭୬୫୭୦୫*), ତାହାବି ବିଶ୍ବଜିତଙ୍କର ନୁହେଁ। ଠକ ଦଳ କେବଳ ଏତିକିରେ ସୀମିତ ରଖିନାହାନ୍ତି ଜାଲିଆତି, ଭୁଲ୍ କାଗଜପତ୍ର ଦେଇ ଆଫିଡେଭିଟ୍ କରି ଆକାଉଣ୍ଟ୍ ଖୋଲିଛନ୍ତି। ଆକାଉଣ୍ଟ୍ ଖୋଲିଲାପରେ ୨୦୧୭-୧୯ ଭିତରେ ଏହି ଜାଲ୍ ଆକାଉଣ୍ଟ୍ ମାଧ୍ୟମରେ ପ୍ରାୟ ୫୦ କୋଟି ଟଙ୍କାର ବେପାର କରି ୧୧ କୋଟି ୮୫ ଲକ୍ଷ ଟଙ୍କା ଅର୍ଥ ହଡ଼ପ କରାଯାଇଛି। ଏହି ଆକାଉଣ୍ଟ୍ ବିଷୟରେ ସନ୍ଦେହ ଜାତ ହେବାରୁ ଜିଏସ୍‌ଟି ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ପ୍ରଦତ୍ତ ଠିକଣାକୁ ଯାଇ ନିରାଶ ହୋଇ ଫେରିଆସିଥିଲା। ପରେ କୌଣସିପ୍ରକାରରେ ବିଶ୍ବଜିତଙ୍କୁ ଜିଏସ୍‌ଟି ଠାବ କରିଥିଲା।

ତେବେ ବିଶ୍ବଜିତଙ୍କ ସୂଚନା ସମସ୍ତଙ୍କୁ ହତବାକ୍ କରିଦେଇଥିଲା। ପ୍ରକୃତରେ ବିଶ୍ବଜିତ ଏସବୁ ଜାଲ ଆକାଉଣ୍ଟ୍, ବେପାର, ଜିଏସ୍‌ଟି ଠକେଇ ବିଷୟରେ କିଛି ଜାଣିନଥିବା କହିଥିଲେ। ଅର୍ବାନ ବ୍ୟାଙ୍କକୁ ଯାଇ ତାଙ୍କର ଦସ୍ତଖତ ଯାଞ୍ଚ କରାଯାଇଥିଲେ ମଧ୍ୟ ତାହା ମେଳ ଖାଇନଥିଲା। ଏମିତିକି ଦିନେ ହେଲେ ବ୍ୟାଙ୍କକୁ ଆସିନଥିବା କିମ୍ବା ତାଙ୍କ ପାଖକୁ ବ୍ୟାଙ୍କ ପ୍ରେରିତ ଚେକ୍ ବୁକ୍ ତଥା କୌଣସି ଆବଶ୍ୟକୀୟ ନଥିପତ୍ର ପହଞ୍ଚିନଥିବା କହିଥିଲେ। ଚାକିରି ଆଶାରେ କିଛି ବର୍ଷ ପୂର୍ବେ ଦେଇଥିବା କାଗଜପତ୍ର ମାଧ୍ୟମରେ ଏହି ଠକେଇ କରାଯାଇଥିବା ବିଶ୍ବଜିତ ସନ୍ଦେହ ପ୍ରକାଶ କରିଥିଲେ। ଏହି ମାମଲାରେ ଅଯଥା ଛନ୍ଦି ହୋଇଥିବା ବିଶ୍ବଜିତ ବ୍ୟାଙ୍କର ପରିଚାଳନା ବୋର୍ଡର ଦୃଷ୍ଟି ଆକର୍ଷଣକରି ତଦନ୍ତ କରିବାକୁ କାକୁତିମିନତି କରିଥିଲେ। କିନ୍ତୁ ବ୍ୟାଙ୍କ କର୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ମାମଲା ଏବେ ତଦନ୍ତାଧୀନଥିବାବେଳେ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କରେ କେବଳ ଏହି ଗୋଟିଏ ମାମଲା ନୁହେଁ, ବରଂ ସମାନ ପ୍ରକ୍ରିୟାରେ ବହୁସଂଖ୍ୟକ ଜାଲ ଆକାଉଣ୍ଟ୍ ମାଧ୍ୟମରେ ନକଲି କମ୍ପାନି ତିଆରି କରି କୋଟି କୋଟି ଟଙ୍କାର ଜିଏସ୍‌ଟି ଅର୍ଥ ହଡ଼ପ କରାଯାଇଛି। ସେକ୍ଟର-୨ରେ ରହୁଥିବା ଆର୍ଏସ୍ପି ଠିକା ଶ୍ରମିକ ଜାମିନୀ ନାୟକଙ୍କ ନାଁରେ ଜାଲ୍ ଆକାଉଣ୍ଟ୍ ଖୋଲି ପ୍ରାୟ ୩୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲାର ମଧ୍ୟ ତଦନ୍ତ ଜାରି ରହିଛି। ତେବେ ଏତେସବୁ ଜାଲ୍ ଆକାଉଣ୍ଟ୍ ତିଆରି ବେଳେ ବ୍ୟାଙ୍କ୍ କର୍ତୃପକ୍ଷଙ୍କ ନଜର ନ ପଡ଼ିବା, ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର