ଭିଡିଓ ଦେଖନ୍ତୁ: ବ୍ରହ୍ମପୁରରେ ଠାବ ହେଲା ନକଲି ମୃଦୁ ପାନୀୟ କାରଖାନା, ମେସିନ ସହ ବିପୁଳ ସାମଗ୍ରୀ ଜବତ

ବ୍ରହ୍ମପୁର: ପୁଣି ଥରେ ବ୍ରହ୍ମପୁର ସହରରେ ନକଲି କାରଖାନା ଠାବ ହୋଇଛି। ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ ଆଜି ଏକ ନକଲି ମୃଦୁ ପାନୀୟ କାରଖାନା ଠାବ କରିଛି ପୁଲିସ। କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ପୁଲିସ ସଦଳବଳେ କାରଖାନା ଉପରେ ଅତର୍କିତ ଚଢ଼ାଉ କରିଥିଲା। ଯାଂଚ ପରେ ବିଭିନ୍ନ କଂପାନି ନାଁରେ କାରଖାନାରେ ବିଭିନ୍ନ ପ୍ରକାରର ମୃଦୁ ପାନୀୟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଥିଲା। ପୁଲିସ ୪ଟି ବ୍ରାଣ୍ଡର ବିପୁଳ ପରିମାଣର ମୃଦୁ ପାନୀୟ ସହ ସେଠାରୁ ମେସିନ, ବୋତଲ, ‌ଲୋଗୋ ଓ ଅନ୍ୟ ସାମଗ୍ରୀ ଜବତ କରିଛି। ଏ ସଂକ୍ରାନ୍ତରେ କଂପାନିର ମାଲିକଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ରବିବାର ଦିନ ବଡ଼ବଜାର ଥାନା ଅଂଚଳରେ ଏକ ନକଲି କାରବାର ପର୍ଦ୍ଦାଫାସ୍‌ କରିଥିଲା ପୁଲିସ। ବେଆଇନ ଗୁଟ୍‌ଖା, ନକଲି ସସ୍‌ ପରେ ଠାବ କରିଥିଲା ନକଲି ପାଣି ବୋତଲ କାରଖାନା। ହରିଡ଼ାଖଣ୍ଡି ଲକ୍ଷ୍ମୀବିହାର ଦ୍ବିତୀୟ ଲାଇନସ୍ଥିତ ଏକ ଘରେ ଚାଲିଥିବା ବଟଲିଂ ୟୁନିଟ୍‌ ଧରିଥିଲା ପୁଲିସ। ସେଠାରୁ ବିପୁଳ ପରିମାଣ ପାଣି ବୋତଲ ଜବତ ହୋଇଥିଲା। ସେହିପରି ମେସିନ୍‌ ମଧ୍ୟ ଜବତ ହୋଇଥିଲା ଏ ସଂକ୍ରାନ୍ତରେ ଏସ୍‌. ରାକେଶ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।

ଲକ୍ଷ୍ମୀନଗରରେ ନକଲି ପାଣି ବଟଲିଂ ୟୁନିଟ୍‌ ଚାଲିଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ସେ ନେଇ ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଯାଞ୍ଚ ପରେ ସେହି ଘରେ ବେଆଇନ ଭାବେ ପାଣି ବୋତଲ ପ୍ରସ୍ତୁତ କରାଯାଉଥିଲା ବୋଲି ଜଣାପଡ଼ିଥିଲା। ଏହି ୟୁନିଟ୍‌ର କୌଣସି ଲାଇସେନ୍ସ ନଥିବା ବେଳେ ତାହା ବେଆଇନ ବୋଲି ପୁଲିସ କହିଛି। କିଛି ଶ୍ରମିକଙ୍କୁ ସେଠାରେ ନିୟୋଜିତ କରି ପାଣି ବୋତଲ ପ୍ରସ୍ତୁତ କରାଯାଉଥିଲା। ବିଭିନ୍ନ ସ୍ଥାନରୁ ଖାଲି ପାଣି ବୋତଲ ଆଣି ସେଥିରେ ପାଣି ଭର୍ତ୍ତି କରାଯାଉଥିଲା। ଏହାପରେ ୩ଟି କମ୍ପାନିର ଷ୍ଟିକର୍‌ ଲଗାଇ ତାହା ମାତ୍ର ୧୦ଟଙ୍କାରେ ବଜାରକୁ ଛଡ଼ା ଯାଉଥିଲା। ବ୍ରହ୍ମପୁର ସହରର ସମେତ ବିଭିନ୍ନ ଅଞ୍ଚଳକୁ ଏହି ପାଣି ବୋତଲ ରପ୍ତାନି ହେଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର