ବିନା ଛୁଟିରେ ନକଲି ଡାକ୍ତର ଛୁ’! ୩ ବର୍ଷ ଆ‌ଗରୁ ଜାଣି ପ୍ରଶାସନ ଚୁପ୍‌ ଥିଲା କାହିଁକି?

ରାଉରକେଲା: ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚାକିରି କରୁଥିବା ନକଲି ଡାକ୍ତରଙ୍କ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡାକ୍ତରବାବୁ ତିନିଦିନ ହେଲା ଆଉ ଡାକ୍ତରଖାନାକୁ ଆସୁନାହାନ୍ତି। କିନ୍ତୁ ସେ ବିଧିବଦ୍ଧ ଭାବେ ଛୁଟି ନେଇ ନାହାନ୍ତି। ଏପରିକି ରାଉରକେଲା ସେକ୍ଟର ୧୫ କାଳୀ ମନ୍ଦିର ପଛ ପାଖରେ ଥିବା ତାଙ୍କ ବାସଗୃହରେ ମଧ୍ୟ ତାଲା ଝୁଲୁଛି। ଦୁଇଦିନ ହେଲା ତାଙ୍କର ମୋବାଇଲ୍‌ ଫୋନ୍‌ଟି ମଧ୍ୟ ସୁଇଚଡ୍‌ ଅଫ୍ ରହିଛି। ସୂଚନା ଅନୁସାରେ, ପଦ୍ମନାଭନ୍‌ଙ୍କ ନକଲି କାରନାମା ସମ୍ପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଧରାପଡ଼ିବା ଭୟରେ ସେ ଫେରାର୍‌ ହୋଇଯାଇଛନ୍ତି। ହାତୀବାରି ସିଏସ୍‌ସି ସୁପରିନ୍‌ଟେ‌‌ଣ୍ଡେଣ୍ଟ ଡା. ବସନ୍ତ ଟପ୍ପୋଙ୍କ କହିବା ଅନୁସାରେ, ପଦ୍ମନାଭନ୍‌ ଛୁଟି ପାଇଁ ଆବେଦନପତ୍ର ଦେଇନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପାଖରେ ଏ ସମ୍ପର୍କିତ କୌଣସି ସୂଚନା ନାହିଁ। ସେକ୍ଟର ୧୫ସ୍ଥିତ ତାଙ୍କ ବାସଗୃହ ନିକଟରେ ରହୁଥିବା ଲୋକଙ୍କ କହିବା ଅନୁସାରେ, ପଦ୍ମନାଭନ୍‌ ଘରକୁ କେତେବେଳେ ଆସନ୍ତି ଓ ଯାଆନ୍ତି କାହାକୁ ଜଣା ନଥାଏ। ତେବେ ସେ ଜଣେ ନକଲି ଡାକ୍ତର ବୋଲି ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ବହୁ ଆଗରୁ ସନ୍ଦେହ କରୁଥିଲେ। ଉଲ୍ଲେଖନୀୟ କଥା ହେଉଛି, ପୂର୍ବରୁ ସେ ବାରମ୍ବାର ନିଜର ବସାଘର ବଦଳାଇଥିବା ସୂଚନା ମିଳିଛି।

ଏ ଖବର ‘ସମ୍ବାଦ’ରେ ପ୍ରକାଶିତ ହେବାପରେ ଅନେକ ବ୍ୟକ୍ତି ବିଶେଷ ଜଣାଇଛନ୍ତି ଯେ ନକଲି ଡାକ୍ତର ପଦ୍ମନାଭନ୍‌ ମୁଖୀ କାରୁଆ ରୋଗୀଙ୍କ ଚିକିତ୍ସା କରୁଥିବା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ୩ ବର୍ଷ ଆଗରୁ ଜାଣିଥିଲା । ତେଣୁ ନକଲି ଡାକ୍ତର ନିଯୁକ୍ତି ଓ କାର୍ଯ୍ୟ କ୍ଷେତ୍ରରେ ସହାୟତା ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗର ଏକ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ନକଲି ଡାକ୍ତର ପଦ୍ମନାଭନ୍‌ ମୁଖୀ କାରୁଆ ୪ ବର୍ଷ ପୂର୍ବେ ରାଉରକେଲାସ୍ଥିତ ହାଇଟେକ୍‌ ମେଡିକାଲ୍‌ କଲେଜରେ ଯୋଗ ଦେଇଥିଲେ। ତେବେ ବିଭିନ୍ନ କାରଣରୁ ମେଡିକାଲ୍‌ କଲେଜ ଅଧୀକ୍ଷକ ତଥା ଡାଇରେକ୍ଟର ଏକାଡେମିକ୍‌ ଏଣ୍ଡ ଆଡ୍‌ମିନ୍‌ଷ୍ଟ୍ରେସନ ଶ୍ରଦ୍ଧାନନ୍ଦ ମହାପାତ୍ର ତାଙ୍କୁ ସନ୍ଦେହ କରିଥିଲେ। ଡାକ୍ତର ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି ଯେ, ସେ ନିଜେ ଏ ସମ୍ପର୍କରେ ବୁର୍ଲାସ୍ଥିତ ମେଡିକାଲ୍‌ କଲେଜ, ବିହାର ମେଡିକାଲ କାଉନ୍‌ସିଲ୍‌ ପାଟନାକୁ ଜଣାଇ ତାଙ୍କ ସାର୍ଟିଫିକେଟ୍‌ର ବୈଧତା ନେଇ ଯାଞ୍ଚ କରିଥିଲେ। ତେବେ ରିପୋର୍ଟ ଆସିବା ଆଗରୁ ପଦ୍ମନାଭ୍‌ ହାଇଟେକ୍‌ରୁ ଫେରାର୍‌ ହୋଇଯାଇଥିଲେ। ଆଉ ଡା. ମହାପାତ୍ରଙ୍କ ପାଖକୁ ତାଙ୍କର ନକଲି ସାର୍ଟିଫିକେଟ୍‌ ସମ୍ପର୍କିତ ସୂଚନା ଆସିବା ବେଳକୁ ପଦ୍ମନାଭନ୍‌ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସାରିଥିଲେ। ତେଣୁ ସେ ଏ ସମ୍ପର୍କରେ ତତ୍କାଳୀନ ସିଡିଏମ୍‌ଓଙ୍କୁ ଜଣାଇଥିଲେ। କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏହି ନକଲି ଡାକ୍ତ ଦୀର୍ଘ ୩ ବର୍ଷ ହେଲା କାର୍ଯ୍ୟ କରୁଥିବା ଜାଣି ଡା. ମହାପାତ୍ର ଆଜି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଯଦି ୩ ବର୍ଷ ଆଗରୁ ସ୍ବାସ୍ଥ୍ୟ ବିଭାଗ ସବୁ ଜାଣିଥିଲେ, ତେବେ କାହା ସ୍ବାର୍ଥରେ ସେତେବେଳେ ତାଙ୍କର ସାର୍ଟିଫିକେଟ୍‌ ଯାଞ୍ଚ କରାଗଲା ନାହିଁ ବୋଲି ଆଲୋଚନା ହେଉଛି। ୩ ବର୍ଷ ମଧ୍ୟରେ ବହୁ ସିଡିଏମ୍ଓ ପରିବର୍ତ୍ତନ ହୋଇଛନ୍ତି। ତେବେ ଏହି ନକଲି ଡାକ୍ତରଙ୍କ କାର୍ଯ୍ୟଶୈଳୀରେ ସେମାନଙ୍କ ମନରେ କାହିଁକି ସନ୍ଦେହ ସୃଷ୍ଟି କରି ନଥିଲା, ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଉଚିତ ବୋଲି ମତପ୍ରକାଶ ପାଉଛି। ପଦ୍ମନାଭନ୍‌ ହାଇଟେକ୍‌ ଭଳି ରାଉରକେଲା ଇସ୍ପାତ କାରଖାନା ସିଏସ୍‌ଆର୍‌ ଓ ବନ୍ଧମୁଣ୍ଡା ରେଳ ବିଭାଗ ଡାକ୍ତରଖାନାରେ ମଧ୍ୟ କିଛି ଦିନ କାର୍ଯ୍ୟ କରିଥିଲେ। ତେବେ ଧରାପଡ଼ିବା ଭୟରେ ସେଠାରୁ ମଧ୍ୟ ଫେରାର୍‌ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର