ନକଲି ଔଷଧ ଜବତ ଘଟଣା, ସେବନଯୋଗ୍ୟ ନୁହେଁ ୩ଟି ଔ‌ଷଧ

କଟକ: ବେଣ୍ଟିନ୍‌, ଏମ୍‌କୋକ୍ସ-୯୦ ଓ ମେଡିଅକ୍ସଜି ଔଷଧ ସେବନଯୁକ୍ତ ମାନର ନୁହେଁ। ଏହି ସବୁ ଔଷଧରେ ଯାହା କିଛି ଉପାଦାନ ରହିଛି ବୋଲି ଦର୍ଶାଯାଇଛି ସେଭଳି କୌଣସି ଉପାଦାନ ବ୍ୟବହାର ହୋଇନାହିଁ। ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ ବା ‘ନଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ କ୍ବାଲିଟି’ (ଏନ୍‌ଏସ୍‌କ୍ୟୁ)। କଟକରୁ ୭୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଘଟଣାରେ ତିନିଟି ଔଷଧର ମାନକୁ ନେଇ ରାଜ୍ୟ ପରୀକ୍ଷାଗାର ପକ୍ଷରୁ ଏଭଳି ରିପୋର୍ଟ କଟକ ଡ୍ରଗ୍ସ କଂଟ୍ରୋଲ ବିଭାଗକୁ ପ୍ରଦାନ କରାଯାଇଛି।

ଏହି ରିପୋର୍ଟ ଆସିବା ପରେ ବାକି ୭ଟି ଔଷଧର ମାନକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମେଡିଅକ୍ସଜି ଟାବ୍‌ଲେଟ୍‌ ସୋଲାନସ୍ଥିତ ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର ଲିମିଟେଡ୍‌ର ଓ ଏମ୍‌କୋକ୍ସ-୯୦ କଟକ କନିକାଛକସ୍ଥିତ ମେଡିଲୟଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିଜସ୍ବ ବ୍ରାଣ୍ଡର ବୋଲି ଡ୍ରଗ୍ସ କଂଟ୍ରୋଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବେଣ୍ଟିନ୍‌ ପାଣି ଔଷଧ ଓ ଏହା ଆଇଭରମେକଟିନ୍‌ କଂପୋଜିସନ୍‌ର ଥିବାବେଳେ ଅନ୍ୟ ଦୁଇଟି ହେଉଛି ବଟିକା। କଟକର କନିକାଛକସ୍ଥିତ ମେଡିଲୟଡ୍‌ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଗୋଦାମରୁ ନକଲି କରୋନା ଔଷଧ ସମେତ ୧୦ ପ୍ରକାର ବ୍ରାଣ୍ଡ୍‌ର ନକଲି ଔଷଧ ବଜାରକୁ ଛଡ଼ାଯାଉଥିବା ଅଭିଯୋଗ ଆସିଥିଲା। ଗତ ଜୁନ୍‌ ୧୧ ତାରିଖରେ ଗୋଦାମରେ ଚଢ଼ଉ କରି ଡ୍ରଗ୍ସ କଂଟ୍ରୋ‌ଲ ବିଭାଗ ଫେବିମେକ୍ସ-୪୦୦ ସମେତ ୧୦ ପ୍ରକାର ନକଲି ଔଷଧ ଜବତ୍‌ କରିଥିଲେ। ଏହି ନକଲି ଔଷଧ କାରବାରର ଚେର ରାଜ୍ୟର ୧୧ଟି ଜିଲ୍ଲା ସମେତ ମହାରାଷ୍ଟ୍ର, ଗ୍ବାଲିୟର୍‌ ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟକୁ ମାଡ଼ି ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା।

ହିମାଚଳପ୍ରଦେଶର ‌ସୋଲାନଠାରେ ଥିବା ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର ସଂସ୍ଥାର ଲେବୁଲରେ ଏହି ସବୁ ଔଷଧ ପ୍ରସ୍ତୁତ ହୋଇଥିବା ବେଳେ ବାସ୍ତବରେ ସେଭଳି କୌଣସି ଔଷଧ ପ୍ରସ୍ତୁତକାରୀ ସଂସ୍ଥା ନଥିବା ଜଣାପଡ଼ିଥିଲା। ମହାରାଷ୍ଟ୍ରରେ ନକଲି ଫେବିମେକ୍ସ -୪୦୦ ଜବତ୍‌ ହେବା ଓ ୨ ଜଣ ଧରାପଡ଼ିବା ପରେ ଏହି ଚେର ଓଡ଼ିଶାର କଟକକୁ ଲମ୍ବିଥିବା ଜଣାପଡ଼ିଥିଲା। ଏହି ଘଟଣାର ତଦନ୍ତ ଏବେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ କରୁଥିବା ବେଳେ ଔଷଧର ମାନ ରିପୋର୍ଟ ଆସିବା ପରେ ଉଦ୍‌ବେଗର କାରଣ ହୋଇଛି। ଚଡ଼ଉ ସମୟରେ ଫାବିଫିରାଭର ବା ଫେବିମେକ୍ସ-୪୦୦, ‌ମେଡିଅକ୍ସି-୩୦୦, କାଶ ପାଇଁ ମେଡ୍‌ ଟିବିଆର , ମେଡଗୋଜ୍‌ -୨୦୦, ସିନିଜ୍‌, ଟିବିଆର -୯୬ ଓ ଟ୍ରିଟ୍ ଭଳି ୭ ପ୍ରକାର ଔଷଧ ଜବତ୍‌ କରାଯାଇଥିଲା। ଘଟଣାକୁ ଦୁଇ ମାସ ବିତିବାକୁ ବସିଥିବା ବେଳେ ଏବେ ତିନିଟି ଔଷଧର ମାନକୁ ନେଇ ରିପୋର୍ଟ ଆସିଛି। ଅନ୍ୟପଟେ ଏହି ଘଟଣାରେ ମେଡିଲୟଡ୍‌ ମେଡିକାମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସନ୍ନ ଜେନା, ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା, ମ୍ୟାନେଜର ପ୍ରୀତିରଂଜନ ପରିଡ଼ା ଓ ଗୋଦାମ ଇନ-ଚାର୍ଜ ସତ୍ୟପ୍ରକାଶ ମହାନ୍ତି ଗିରଫ ହୋଇ ଜେଲରେ ରହିଛନ୍ତି।

ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ମେଡିଲୟଡ଼୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ସହିତ ବ୍ୟବସା‌ୟିକ ସଂପର୍କ ଛିନ୍ନ କରିଥିଲା। ପରବର୍ତ୍ତୀ ସମୟରେ ରାଜ୍ୟରେ ବ୍ୟବସାୟ କରୁଥିବା ୨୦୮ ଔଷଧ କମ୍ପାନିକୁ ମହାସଂଘ ପକ୍ଷରୁ ଆନାଲିଟିକାଲ୍‌ ସାର୍ଟିଫିକେଟ୍‌ ମଗା ଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ସାର୍ଟିଫିକେଟ୍‌ ଦାଖଲ କରି ନଥିବା ସଂଘର ରାଜ୍ୟ ସଂପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର