ବଢ଼ୁଛି ଭେଜାଲ୍‌ ଖାଦ୍ୟ; ଚଢ଼ଉ ଶୂନ

ବରଗଡ଼: ବରଗଡ଼ ସହରରେ ପ୍ରତିଦିନ ସୁଆଦିଆ ଖାଦ୍ୟପେୟର ଭଣ୍ଡାର ଲାଗୁଛି। ସହର ସାରା ବିଭିନ୍ନ ବ୍ୟଞ୍ଜନର ପସରା ଲାଗିଛି। ରାସ୍ତାକଡେ଼ ଫାଷ୍ଟଫୁଡ୍‌ ଠାରୁ ଆରମ୍ଭ କରି ଦାମୀ ହେ‌ାଟେଲରେ ଲୋକଙ୍କୁ ମନ ପସନ୍ଦର ଖାଇବା ପଦାର୍ଥ ମିଳୁଛି। ଧୀରେ ଧୀରେ ବରଗଡ଼ରେ ଫାଷ୍ଟଫୁଡ୍‌ ଟ୍ରେଣ୍ଡ ବଢ଼ି ଚାଲିଛି। ବିଶେଷକରି ସଂଧ୍ୟାରେ ଅଧିକାଂଶ ଘରେ ଆଉ ଚୁଲି ଜଳୁନି। ସପରିବାର ଲୋକେ ବାହାରେ ରାତ୍ରୀ ଭୋଜନ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଅଧିକା˚ଶ ସ୍ଥାନରେ ଗ୍ରାହକଙ୍କୁ ବାସି ଏବ˚ ନିମ୍ନମାନର ଖାଦ୍ୟ ପରସା ଯାଉଛି। ତେଲ ଠାରୁ ଆରମ୍ଭ କରି ବେସନ, ମଇଦା ଇତ୍ୟାଦି ଭେଜାଲ୍‌।

ଏହି ଭେଜାଲ୍‌ କାରବାର ଗ୍ରାହକମାନେ ଠଉରାଇ ପାରୁନାହାନ୍ତି। ତେଣୁ ଲୋକେ ବାସି ଖାଦ୍ୟ ଖାଇ ମଧ୍ୟ ‌େହାଟେଲ ଗୁଡ଼ିକରେ ମୋଟା ବିଲ୍‌ ପୈଠ କରୁଛନ୍ତି। ତେଣୁ ସହରରେ ଭେଜାଲ ଖାଦ୍ୟ କାରବାର ଜୋରସୋର ବଢ଼ୁଛି। ହୋଟେଲରେ ମା˚ସ, ପନିର, ମସଲା ଆଦି ଫ୍ରିଜରରେ ଦୀର୍ଘ ଦିନ ଧରି ରଖାଯାଉଛି। ଗ୍ରାହକ ବରାଦ କଲେ ସେଥିରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଚଢ଼ା ଦରରେ ବିକ୍ରି କରାଯାଉଛି। ଜିଲ୍ଲାରେ ଖାଦ୍ୟ ନିରୀକ୍ଷକ ବା ଡ୍ରଗ୍‌ ଇନ୍ସପେକ୍ଟର ନିଯୁକ୍ତ ଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଧନୁଯାତ୍ରା ସମେତ ବିଭିନ୍ନ ପର୍ବପର୍ବାଣିରେ ମଧ୍ୟ ଚଢ଼ଉ ଅଭିଯାନ ହେଉନାହିଁ।

ଚଢ଼ଉ ହେଉନଥିବାରୁ ଏହି କାରବାର ବଢ଼ି ଚାଲିଛି। ସହରକୁ ଭୁବନେଶ୍ବର, ନୟାଗଡ଼, ଖୋର୍ଦ୍ଧା ଅଂଚଳରୁ ପ୍ରତ୍ୟେହ ସୁଆଦିଆ ଛେନାପୋଢ଼, ରସଗୋଲା, ଛେନା ଝିଲ୍ଲି ଆସି ପହଂଚୁଛି। ଖରାଦିନେ ଆମ୍ବିଳିଆ ହେଲେ ବି ତାକୁ କିଛି ବେପାରୀ ବିକ୍ରି କରି ଦେଉଛନ୍ତି। ‌ବିଗତ ଦିନରେ ପଚାଶଢ଼ା ଖାଦ୍ୟବିକ୍ରି ମାମଲାର ପର୍ଦାଫାସ ହୋଇଥିଲା। କିନ୍ତୁ ନିୟମିତ ଚଢ଼ଉ ହେଉନଥିବାରୁ ବେପାରି କିଛି ପରବାଏ କରୁନାହାନ୍ତି। କେବଳ ରେଡିମେଡ୍‌ ଖାଦ୍ୟ ନୁହେଁ, ସହର ଭିତରେ ଥିବା କିଛି ଗୁପ୍ତ ଗୋଦାମରେ ବେପାରୀମାନେ ଅପମିଶ୍ରଣ ମଧ୍ୟ କରୁଛନ୍ତି।  ଅଳ୍ପ ପରିମାଣର ଚଣା ବେସନରେ ମଇଦା କିମ୍ବା ନିକୃଷ୍ଟ ମାନର ଚାଉଳ ଚୁନା ମିଶାଇ ପଲିଥିନ୍‌ରେ ସିଲ୍‌ କରାଯାଉଛି। ବାହାର ରାଜ୍ୟକୁ ବି ଭେଜାଲ୍‌ ବେସନ ଚାଲାଣ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର