ପୁଣି ଧରାପଡ଼ିଲା ନକଲି ବିଦେଶୀ ମଦ; ୧ ଗିରଫ, ମାଫିଆ ହମିଦ ଖାନ ଫେରାର

୨୨୩ ବୋତଲ ନକଲି ବିଦେଶୀ ମଦ, ଠିପି, ଲେବଲ୍‌ ଜବତ

ରାଉରକେଲା: ରାଉରକେଲା ଅବକାରୀ ପୁଲିସ ହାତରେ ଆଜି ଧରାପଡ଼ିଛି ଜଣେ ପୁରୁଣା ନକଲି ବିଦେଶୀ ମଦ ବେପାରୀ। ଗିରଫ ଅଭିଯୋଗ ହେଉଛନ୍ତି ଲହୁଣୀପଡ଼ାର ଦୟାନନ୍ଦ ରାୟ। ତେବେ କୁଖ୍ୟାତ ହମିଦ ଖାନ ଓରଫ୍‌ କାଲୋ ଫେରାର ହୋଇଯାଇଛି। ଉଭୟ ହମିଦ ଓ ଦୟାନନ୍ଦ ମିଳିତଭାବେ ଦୀର୍ଘ ବର୍ଷ ହେଲା ଏହି ବେପାରରେ ଜଡ଼ିତ ଥିଲେ। ଏମାନଙ୍କ ପାଖରୁ ୨୨୩ଟି ଇମ୍ପେରିଆଲ ବ୍ଲୁ, ରୟାଲ ଷ୍ଟାଗ୍‌ ବ୍ରାଣ୍ଡ୍‌ର ନକଲି ବିଦେଶୀ ମଦ ବୋତଲ ଜବତ ହୋଇଛି। ଏହାସହ ୨୪୦୦ଟି ଖାଲି ବୋତଲ, ୪୮୦ଟି ଏକ୍ସାଇଜ୍‌ ଲେବଲ, ୧୫୦ଟି ଠିପି, ୬୯୦ଟି ନକଲି ଲେବଲ ଜବତ ହୋଇଛି।

ଲହୁଣୀପଡ଼ା ଟକରାରେ ଦୟାନନ୍ଦ ଓ ହମିଦ ମିଳିତଭାବେ ନକଲି ବିଦେଶୀ ମଦ ତିଆରି କରୁଥିଲେ। ସେଠାରେ ଏକ ଘର ଭଡ଼ା ନେଇ ବିନ୍ଦାସ୍‌ କଳାକାରବାର ଚଲାଇଥିଲେ। ତେବେ ଏନେଇ ରାଉରକେଲା ଅବକାରୀ ପୁଲିସ ଗୁପ୍ତ ସୂଚନା ପାଇ ଆଜି ଅତର୍କିତ ଚଢ଼ଉ କରିଥିଲା। ଦୟାନନ୍ଦ ପୁଲିସ ହାବୁଡ଼ରେ ପଡ଼ିଯାଇଥିବାବେଳେ ଅନ୍ୟ ଅଭିଯୁକ୍ତ ହମିଦ କିନ୍ତୁ ଚମ୍ପଟ୍‌ ମାରିବାରେ ସକ୍ଷମ ହୋଇଥିଲା। ଅବକାରୀ ପୁଲିସ ସୂଚନା ଅନୁସାରେ, ହମିଦ ସଂପ୍ରତି କୋଇଡ଼ା ରକ୍ସି ଅଞ୍ଚଳରେ ରହୁଛି। ପ୍ରଥମ ସ୍ତ୍ରୀକୁ ଛିଡ଼ାବାପରେ ତା’ର ଦ୍ବିତୀୟ ସ୍ତ୍ରୀ ଗୋପବନ୍ଧୁପଲ୍ଲୀ ଅଞ୍ଚଳରେ ଏକ ଘରେ ରହୁଛନ୍ତି। ତେବେ ଲହୁଣୀପଡ଼ା, ରାଉରକେଲାରେ ସେ ବେଧଡ଼କ ନକଲି ବିଦେଶୀ ମଦ କାରବାର ଜାରି ରଖିଛି। ଦୀର୍ଘ ବର୍ଷ ହେଲା ସେ ଏକାଧିକ ବେପାରୀଙ୍କ ସହ ମିଶି ନକଲି ବିଦେଶୀ ମଦ ତିଆରି କରୁଛି। ପୂର୍ବରୁ ତା’ର ଅନ୍ୟତମ ସହଯୋଗୀ ଗିରଫ ହୋଇ ଜେଲ୍‌ ବି ଯାଇଥିଲେ; ସେତେବେଳେ ମଧ୍ୟ ହମିଦ କୌଶଳକ୍ରମେ ଫେରାର ହୋଇଯାଇଥିଲା। ତେବେ ଏଥର ତାକୁ ଗିରଫ କରିବାକୁ ପୁଲିସ ଛାନ୍‌ଭିନ୍‌ ବ୍ୟାପକ କରିଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ରମାକାନ୍ତ ଚାନ୍ଦ, ଏଏସ୍‌ଆଇ ତନୁକିଶୋର ପାତ୍ର, ସଞ୍ଜୟ ଭୁକ୍ତା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର