ରାଉରକେଲାରେ ନକଲି ‘ଗୁଡ୍‌ନାଇଟ୍‌’, ଦୁଇ ଦୋକାନରୁ ୯୦ ପ୍ୟାକେଟ୍‌ ଲିକ୍ୟୁଇଡ୍‌ ଜବତ

ରାକେଟ୍‌କୁ ଖୋଜୁଛି ପୁଲିସ

ରାଉରକେଲା: ଜଗତପୁର, କଟକ ପରେ ନକଲି ସାମଗ୍ରୀ ହବ୍‌ ପାଲଟିଛି ଷ୍ଟିଲ୍‌ସିଟି ରାଉରକେଲା। ଘିଅ, ତେଲ, ଗୁଟ୍‌ଖା ଠାରୁ ଆରମ୍ଭ କରି ନକଲି ରୋଷେଇ ମସଲା ମଧ୍ୟ ଏଠାରେ ବିକ୍ରି ହେଉଛି। ଏବେ ଏହି ତାଲିକାରେ ଯୋଡି ହୋଇଛି ନକଲି ମଶାମରା ତେଲ ‘ ଗୁଡ୍‌ନାଇଟ୍‌’। ବ୍ରାଣ୍ଡ କମ୍ପାନିର ଲୋଗୋ ଓ ପ୍ୟାକେଟ୍‌ ବ୍ୟବହାର କରି ନକଲି ମାଲ୍‌ ବଜାରରେ ବିକ୍ରି ହେଉଛି। ଗତକାଲି ଓ ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ପ୍ଲାଣ୍ଟସାଇଟ୍‌ର ହୋଲ୍‌ସେଲ୍‌ ରାସନ ଦୋକାନରେ ଚଢ଼ଉ କରି ୯୦ ପ୍ୟାକେଟ୍‌ରୁ ଅଧିକ ନକଲି ଗୁଡ୍‌ନାଇଟ୍‌ ଜବତ କରିଛି।

ନକଲି ସାମଗ୍ରୀ ବିକୁଥିବା ଦୁଇ ବ୍ୟବସାୟୀଙ୍କୁ ଥାନାକୁ ଡାକି ପଚରାଉଚୁରା କରୁଛି। ଗତକାଲି ଗଡ୍‌ରେଜ୍‌ କମ୍ପାନିର କିଛି ମାର୍କେଟିଂ ପିଲା ପ୍ଲାଣ୍ଟସାଇଟ୍‌ ‌ହୋଲ୍‌ସେଲ୍‌ ଦୋକାନରେ ଗୁଡ଼୍‌ନାଇଟ୍‌ର ଅର୍ଡର ନେଉଥିଲେ। ଅର୍ଡର ନେବା ବେଳେ ଦୁଇଟି ଦୋକାନରେ ଗୁଡ଼୍‌ନାଇଟ୍‌ର ଅବିକଳ ନକଲି ଗୁଡ୍‌ନାଇଟ୍‌ ବିକ୍ରି ହେଉଥିବା ଦେଖି ପ୍ଲାଣ୍ଟସାଇଟ୍‌ ଥାନାକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଦୁଇଟି ଦୋକାନରୁ ବିକ୍ରି ହେଉଥିବା ନକଲି ଗୁଡ୍‌ନାଇଟ୍‌କୁ ଜବତ କରିଥିଲେ।

ଜବତ ନକଲି ଗୁଡ୍‌ନାଇଟ୍‌ ଉତ୍ପାଦନ ସ୍ଥାନ ଆସାମର ଗୌହାଟି ଲେଖାଯାଇଛି। ‌ କେବେ ଠାରୁ ଏଭଳି ନକଲି ଗୁଡ଼୍‌ ନାଇଟ୍‌ ରାଉରକେଲା ସହରକୁ ଆସୁଥିଲା ? ନକଲି ସାମଗ୍ରୀ କାରବାର ରାକେଟ୍‌ରେ କେଉଁମାନେ ଅଛନ୍ତି ? ପ୍ଲାଣ୍ଟସାଇଟ୍‌ ‌ହୋଲ୍‌ସେଲ୍‌ ମାର୍କେଟରେ କେଉଁ କେଉଁ ବ୍ୟବସାୟୀ ଏଭଳି ନକଲି ଜିନିଷ କିଣି ବିକୁଥିଲେ ? ଏମିତି ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି। ତେବେ ଆଗାମୀ ଦିନରେ ନକଲି ସାମଗ୍ରୀ ଯୋଗାଣ ରାକେଟ୍‌କୁ ପୁଲିସ ଧରିବାରେ କେତେଦୂର ସଫଳ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର