ବ୍ରହ୍ମପୁରରେ ନକଲି ସାମଗ୍ରୀ ସାମ୍ରାଜ୍ୟ; ଖୋଳିଲେ ଆହୁରି ବାହାରିବ, ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ଚେର

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ବଡ଼ ବଜାର। ଏହି ବଜାରକୁ ପ୍ରତିଦିନ ହଜାର ହଜାର ବ୍ୟବସାୟୀ ବେପାର ବଣିଜ ପାଇଁ ଆସିଥାନ୍ତି। ରାଜ୍ୟ ବାହାରୁ ବିଭିନ୍ନ ସାମଗ୍ରୀ ବଡ଼ ବଜାରକୁ ଆମଦାନି ହେଉଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏଠାରୁ ମାଲ୍‌ ରପ୍ତାନି ହୋଇଥାଏ। ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ସୁନା ଗହଣା, ଲୁଗାପଟା ସହିତ ବିଭିନ୍ନ ଘରକରଣା ସାମଗ୍ରୀ ଏଠାରେ ଉପଲବ୍ଧ। ବଡ଼ ବଜାରର ସାମଗ୍ରୀ ଉପରେ ଲୋକଙ୍କ ଅତୁଟ ବିଶ୍ବାସ ରହିଛି। କିନ୍ତୁ କିଛି ଅସାଧୁ ଲୋକ ଲୋକଙ୍କ ବିଶ୍ବାସରେ ବିଷ ଦେଇ ଅପମିଶ୍ରିତ ଓ ନକଲି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିବା ନଜିର ରହିଛି। ଯାହାକି ବିଗତ ଦିନରେ ପୁଲିସର ଚଢ଼ଉ ସମୟରେ ସ୍ପଷ୍ଟ ହୋଇଛି। ପୁଲିସ ବିଗତ ବର୍ଷରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବହୁ ଅପମିଶ୍ରିତ ଓ ଭେଜାଲ୍‌ ଖାଦ୍ୟ ସାମଗ୍ରୀ ଜବତ କରିଛି। ତେଲ, ଘିଅ, ମସଲା ଠାରୁ ଆରମ୍ଭ କରି ବିଭିନ୍ନ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହୋଇଛି। ଏପରିକି ପୁଲିସ ଓ ଅବକାରୀ ମଧ୍ୟ ବିଗତ ଦିନରେ ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରିଛି। ଗତକାଲି ଟାଉନ୍ ଥାନା ପୁଲିସ ନକଲି ଇଂଜିନ୍‌ ଅଏଲ୍‌ ତିଆରି କାରଖାନା ଠାବ କରିଥିଲା। ବ୍ରହ୍ମପୁର ସହର ଏବେ ନକଲି ସାମଗ୍ରୀ ସାମ୍ରାଜ୍ୟ ପାଲଟିଛି। ଗତ କିଛିଦିନ ତଳେ ଭୁବନେଶ୍ବରରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଭେଜାଲ୍‌ ଖାଦ୍ୟ ସାମଗ୍ରୀ ଉପରେ ଅଂକୁଶ ଲଗାଇବା ନେଇ ଆଲୋଚନା ହୋଇଥିଲା। ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଉପରେ ଚଢ଼ଉ କରିବା ପାଇଁ ମୁଖ୍ୟ ଶାସନ ସଚିବ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ଓ ପୁଲିସ ମିଳିତ ଭାବେ ଖୋଳତାଡ଼ କଲେ ଆହୁରି ନକଲି କାରବାର ପର୍ଦ୍ଦାଫାସ୍‌ ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

ନକଲି ମସଲା, ଘିଅ, ଚା’ ପତି

୨୦୧୬ ଜୁଲାଇ ୨୮ତାରିଖରେ ବଡ଼ ବଜାର ଥାନା ପୁଲିସ ଜାମୁଲା କଲୋନିରୁ ଏକ ବଡ଼ ଧରଣର ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ କରିଥିଲା। ସେଠାରୁ ପୁଲିସ ଦୁଇଟି ମସଲା ତିଆରି ମେସିନ୍‌, ଏଭରେଷ୍ଟ୍‌ ମସଲା ତିଆରି ପାଇଁ ଥିବା ୬ବସ୍ତା କଞ୍ଚାମାଲ, ୧୨ଶହ ପାଉଚ୍‌ ଏଭରେଷ୍ଟ ମସଲା, ଗୁଟ୍‌ଖା ତିଆରି ପାଇଁ ଥିବା ସୁପାରି, ୨୨ବଣ୍ତଲ ଏଭିଟି ବ୍ରାଣ୍ତ ଚା’ ଲେବୁଲ୍‌, ୫୦କେଜି ଓଜନର ଚା’ ପତି, ଓଜନ କରିବା ମେସିନ୍‌, ଗୁଟ୍‌ଖା ପ୍ୟାକି˚ ଲେବୁଲ୍‌ ପ୍ରଭୃତି ଜବତ କରିଥିଲା। ସେହିପରି ଭୂତସାହି ମଦନମୋହନ ନଗର ସ୍ଥିତ ଏକ ଘରେ ଚଢ଼ାଉ କରି ଉପର ମହଲାରେ ଥିବା ଏକ ଗୋଦାମ ଠାବ କରିଥିଲା। ସେଠାରୁ ୩ଟି ପ୍ୟାକି˚ ମେସିନ୍‌, ୧କେଜି ବୋତଲ ଥିବା ୨୨ଟି ମା’ ଦୁର୍ଗା ଘିଅ ପେଟି, ୨ଗ୍ରାମ ପ୍ଲାଷ୍ଟିକ୍‌ ବୋତଲ୍‌ ଥିବା ୨୮ଟି ପେଟି, ୧କେଜି ପଲିଥିନ୍‌ ପ୍ୟାକେଟ୍‌ ଥିବା ୨୪ଟି ପେଟି, ୧୫କେଜିର ୪ଟି ଡାଲ୍‌ଡ଼ା ଘିଅ ପ୍ୟାକେଟ୍‌, ୧୨ଲିଟର‌୍‌ ଥିବା ୬ଟି ଟିଣ ଡ଼ବା, ଗୋଟିଏ ବଡ଼ କନ୍‌ଟେନର‌୍‌ ଓ ୨ଟି ଛୋଟ କନ୍‌ଟେନର‌୍‌, ୨୦୦ଟି ଖାଲି ଟିଣ ଡ଼ବା ଏବ˚ ୩ଶହ ପ୍ୟାକେଟ ଗୁଟ୍‌ଖା ଥିବା ୫ଟି ବସ୍ତା ଜବତ କରିଥିଲା। ଏ ସଂକ୍ରାନ୍ତରେ ପୁଲିସ ଇ. କୋଟେଶ୍ବର ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଥିଲା।

ଭଡ଼ାଘରେ ନକଲି ମଦ କାରଖାନା

ବ୍ରହ୍ମପୁର ସହରରେ ବିଭିନ୍ନ ସମୟରେ ନକଲି ମଦ ଜବତ କରିଛି ଅବକାରୀ ବିଭାଗ। ଗତ ୨୦୧୯ ଡିସେମ୍ବର ୫ତାରିଖରେ ବଡ଼ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀପେଣ୍ଠ ଖଣ୍ଡିଆକୁମୁଟି ସାହି ସ୍ଥିତ ଏକ ଭଡ଼ାଘରେ ଚାଲିଥିବା ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରିଥିଲା ଅବକାରୀ ବିଭାଗ। ଏହି ଘଟଣାରେ ବାପ, ପୁଅ ସମେତ ୪ଜଣ ଗିରଫ ହୋଇଥିଲେ। ଏମାନଙ୍କ ନିକଟରୁ ୧୦୭ ଲିଟର୍‌ ସ୍ପିରିଟ୍‌, ୧୭୪ ଲିଟର୍‌ ଅପମିଶ୍ରିତ ମଦ, ଡାଲା ଅଟୋ, ଦୁଇଟି ବାଇକ୍‌, ୯୫୦ଟି କାଚ ବୋତଲ, ବିଭିନ୍ନ କମ୍ପାନିର ଲେବଲ୍‌, ଠିପି ଏବଂ ଏକ ମେସିନ୍‌ ଜବତ ହୋଇଥିଲା। ସେହିଭଳି ୨୦୧୮ ଡିସେମ୍ବର ୭ତାରିଖରେ ସଦର ଥାନା ପୁଲିସ ବୋରିଗାଁରେ ଚଢ଼ଉ କରି ଏକ ନକଲି ମଦ ତିଆରି କାରଖାନା ଠାବ କରିଥିଲା। ପୁଲିସ ଏ ସଂକ୍ରାନ୍ତରେ ୩ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ହୋମିଓପାଥିକ୍‌ ଔଷଧ ଡାଇଲୁସନ୍‌, ଇଥାଇଲ୍‌ ସ୍ପିରିଟ୍‌, ପାଣି, ରଙ୍ଗ ଓ ଆସେନ୍ସ(ସେଣ୍ଟ୍‌) ଜବତ ହୋଇଥିଲା। ସେହିପରି ୪୮ବୋତଲ ମଦ ଜବତ ହୋଇଥିବା ବେଳେ ୩ବସ୍ତା ଖାଲି ବୋତଲ, ଠିପି, ଷ୍ଟିକର‌୍‌, ଲେବଲ୍‌ ପ୍ରଭୃତି ଜବତ ହୋଇଥିଲା।

ଇଂଜିନ୍‌ ଅଏଲ୍‌ ବି ନକଲି

ଟାଉନ୍ ଥାନା ପୁଲିସ ଗତକାଲି ଆସିକା ରୋଡ଼ରେ ଯାଞ୍ଚ ବେଳେ ଏକ କାର୍‌ରୁ ୩ପେଟି ଇଂଜିନ୍‌ ଅଏଲ୍‌ ଜବତ କରିଥିଲା। ଏହାର କୌଣସି କାଗଜପତ୍ର ନଥିବାରୁ ତାହା ନକଲି ବୋଲି ଜଣାପଡ଼ିଥିଲା। ପରେ ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ପୁଲିସ ଟିମ୍‌ ନୀଳାଦ୍ରିବିହାରରେ ଚଢ଼ଉ କରି ନକଲି ଇଂଜିନ୍‌ ଅଏଲ୍‌ ତିଆରି କାରଖାନା ଠାବ କରିଥିଲା। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାଞ୍ଚ ପରେ ସେହି ଘରୁ ବିପୁଳ ପରିମାଣ ନକଲି ତେଲ, ବିଭିନ୍ନ କମ୍ପାନିର ଲେବଲ୍‌, ‌ମେସିନ୍‌, ପ୍ଲାଷ୍ଟିକ୍‌ ବୋତଲ ଓ ଠିପି ଜବତ ହୋଇଥିଲା। ସେଠାରୁ ୩୭୪ଲିଟର୍‌ ଇଂଜିନ୍‌ ଅଏଲ୍‌ ଓ ବହୁ କଞ୍ଚାମାଲ ଜବତ ହୋଇଥିଲା। ଏହି କଞ୍ଚାମାଲ କୋଲକାତାରୁ ଆସିଥିବା ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ମହମ୍ମଦ ଇଜାଜ୍‌ ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଭେଜାଲ୍‌ ଖାଦ୍ୟ ସାମଗ୍ରୀ, ମଦ ପରେ ଏବେ ଇଂଜିନ୍‌ ଅଏଲ୍‌ ବି ନକଲି। ତେବେ ବ୍ରହ୍ମପୁର ସହରରେ ଏଭଳି ବିଭିନ୍ନ ପ୍ରକାର ନକଲି ଓ ଅପମିଶ୍ରିତ ସାମଗ୍ରୀ ମିଳୁଥିବା ସନ୍ଦେହ କରାଯାଉଛି। ଏହା ଉପରେ ଅଂକୁଶ ଲଗାଇବା ଅତ୍ୟନ୍ତ ଜରୁରି ହୋଇ ପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର