ନରସିଂହପୁରରେ ନକଲି ବନ୍ଧୁକ କାରଖାନା: ଦୁର୍ଦାନ୍ତ ବାବୁଲିଠୁ ମିଳିଲା ବିସ୍ଫୋରକ ତଥ୍ୟ, ହାତୀକୁ ଗୁଳିମାରିଲେ ୩୦ ହଜାର ଟଙ୍କା

୫ଲକ୍ଷରୁ ଆରମ୍ଭ ହୋଇଥାଏ ଦାନ୍ତ କାରବାର, ଚାରିଟି ବଡ଼ ଜଙ୍ଗଲରେ ଚାଲେ ବାବୁଲି ରାଜ୍

ଭୁବନେଶ୍ବର: ରାଜ୍ୟରେ ୨୦ରୁ ଅଧିକ ଦନ୍ତା ଶିକାର ଘଟଣାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ବାବୁଲି ମହାଳିକ (୪୫) ଗିରଫ ହେବା ପରେ ବିସ୍ଫୋରକ ତଥ୍ୟ ଦେଇଛି। ବାବୁଲିକୁ ବନ ବିଭାଗ ଜେରା କରିବା ବେଳେ ଯେଉଁ ତଥ୍ୟ ମିଳିଛି, ତାହା ଆଖି ଖୋସି ହୋଇଗଲା ଭଳି। ତଦନ୍ତ ବ୍ୟାହତ ହେବା ଆଳରେ ଆଠଗଡ ଡିଏଫ୍ଓ ସସ୍ମିତା ଲେଙ୍କା ଘଟଣା ସଂପର୍କରେ ଉଁ କି ଚୁଁ ମୁହଁ ଖୋଲୁନାହାନ୍ତି। ହେଲେ ଅତିବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାବୁଲି ନରସିଂହପୁର ଅଞ୍ଚଳରେ ନକଲି ବନ୍ଧୁକ କାରଖାନା ଥିବା ବନ ବିଭାଗକୁ ଜଣାଇଛି। ନିୟମିତ ବ୍ୟବଧାନରେ ଏହିଠାରୁ ଗୁଳି ଆଦି ନେଇ ସେ ଶିକାର କରିଥାଏ ବୋଲି କହିଛି। କେବଳ ସେତିକି ନୁହେଁ, ତାର ଗ୍ୟାଙ୍ଗ୍‌ର ଲମ୍ବା ତାଲିକା, ସେମାନଙ୍କ ଘର ଠିକଣା ଆଦି ମଧ୍ୟ ଜଣାଇଛି। ମିଳିଥିବା ଖବର ଅନୁସାରେ, ବାବୁଲି ମାଫିଆ ଜଗତରେ ଜଣେ ସାର୍ପ ସୁଟର ଭାବେ ଜଣାଶୁଣା। ହାତୀଦାନ୍ତ ବ୍ୟବସାୟ କରୁଥିବା ମାଫିଆମାନେ ତାକୁ ଏ କାମରେ ନିୟୋଜିତ କରିଥାନ୍ତି ଓ ଗୋଟିଏ ହାତୀକୁ ଗୁଳି କଲେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ତାକୁ ମିଳିଥାଏ।

ଅପରେସନ୍ ସଂପର୍କରେ ସୂଚନା ଦେଇ ବାବୁଲି ବନ ବିଭାଗକୁ କହିଛି, ସେ ଓ ତାର ସହଯୋଗୀମାନେ ପ୍ରଥମେ ହାତୀ ଗୋଠରୁ ଦନ୍ତା ହାତୀକୁ ଏକୁଟିଆ କରିବାକୁ ଚେଷ୍ଟା କରନ୍ତି। ତାକୁ ବାରମ୍ବାର ଘଉଡାଇଥାନ୍ତି। ଆଉ ଦନ୍ତା ଏକୁଟିଆ ହୋଇଗଲା ପରେ ସେ ତାର ମୁଣ୍ଡକୁ ଗୁଳି ମାରିଥାଏ। ଦୁଇରୁ ତିନିଟି ଗୁଳି ବାଜିବା ପରେ ହାତୀର ଗତି ଧୀର ହୋଇଯାଏ ଓ କିଛି ସମୟ ପରେ ଟଳିପଡେ। ଏହି ମଉକାରେ ମାଫିଆମାନେ ପାଵାର କଟର ସାହାଯ୍ୟରେ ଦନ୍ତାର ମୁଣ୍ଡ ଓ ଦାନ୍ତ କାଟି ନେଇଥାନ୍ତି। ଏସବୁକୁ ଅଳ୍ପ ଦୂରରେ ମାଟି ତଳେ ଲୁଚାଇ ରଖିଥାନ୍ତି। ବନ୍ଧୁକ ବି ସାଙ୍ଗରେ ନ ନେଇ ବୁଦା ଭିତରେ ଜଙ୍ଗଲରେ ଲୁଚାଇ ରଖାଯାଏ। ପରବର୍ତୀ ସମୟରେ ଏହି ପ୍ରସଙ୍ଗଟି ଶିଥିଳ ପଡିଗଲେ, ମୂଲଚାଲ ଓ ବ୍ୟବସାୟ ହୋଇଥାଏ।ବାବୁଲି ଜେରା ବେଳେ ଆହୁରି କହିଛି ଯେ ହାତୀର ଦାନ୍ତ ଆକାର ନେଇ ତାର ମୂଲ୍ୟ ନିର୍ଧାରଣ ହୋଇଥାଏ। ୫-୭ଲକ୍ଷରୁ ମୂଲଚାଲ ଆରମ୍ଭ େହାଇଥାଏ। ବୌଦ୍ଧ ଠାରୁ ଆରମ୍ଭ କରି ନୟାଗଡ, ନରସିଂହପୁର, ଢେଙ୍କାନାଳ ଜଙ୍ଗଲ ପର୍ଯ୍ୟନ୍ତ ତାର ଇଲାକା ବା ଅଞ୍ଚଳ ବୋଲି ବାବୁଲି ଜେରା ବେଳେ ସୂଚନା ଦେଇଛି। କେବଳ ସେତିକି ନୁହେଁ, କେଉଁ ପରିସ୍ଥିତିରେ ସେ ବୌଦ୍ଧରେ ହାତୀ ମାରିଥିଲା, କିଭଳି ୨୦୧୮ ଫେବ୍ରୁଆରି ୧୧ ତାରିଖରେ ବଡ଼ମ୍ବା ରେଞ୍ଜ ଅଧୀନ ମାଣିଆବନ୍ଧ ବିଟ୍‌ର ହଳଦିଆଶେଣି ସଂରକ୍ଷିତ ଜଙ୍ଗଲରେ ଦୁଇଟି ହାତୀଙ୍କୁ ମାରିଥିଲା, ସେ କଥା ବୀରତ୍ବର ସହ ଗପିଥିଲା। ନାମ ଗୋପନ ସର୍ତରେ ଜଙ୍ଗଲ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବାବୁଲି ମନରେ ସାମାନ୍ୟତମ ଅନୁତାପର ଚିହ୍ନ ନାହିଁ। ବରଂ ସେ ଖୋଲାଖୋଲି ତାର ଗ୍ୟାଙ୍ଗ୍ ବିଷୟରେ ସୂଚନା ଦେଇଛି ଓ କିଭଳି ସେ ଅପରେସନ୍ କରିଥାଏ, ନକଲି ବନ୍ଧୁକ କାରଖାନା ବିଷୟରେ ସମସ୍ତେ ଜାଣି ବି କିଭଳି ନିରବ ଅଛନ୍ତି, ସେ ସଂପର୍କରେ ବିଶଦ ବଖାଣିଛି। ଖାଲି ସମୟରେ ସେ ହରିଣ ଶିକାର ମଧ୍ୟ କରିଥାଏ ଓ ଚମଡା ମାଫିଆଙ୍କ ସହିତ ତାର ଯୋଗାଯୋଗ ଥିବା ଦର୍ଶାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନକଲି ବନ୍ଧୁକ କାରଖାନା ସଂପର୍କରେ କେମିତି ପୁଲିସ ଖବର ପାଉନି, ତାହା ଏବେ ଆଶ୍ଚର୍ଯ୍ୟ କଲାଣି। ଏ ନେଇ ବନ ବିଭାଗ ଓ ପୁଲିସ ମିଳିତ ଚଢଉର ଆବଶ୍ୟକତା ଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦିନକ ପୂର୍ବରୁ ବାବୁଲିକୁ ଆଠଗଡ ବନ ବିଭାଗ ଅଧିକାରୀମାନେ ଗିରଫ କରିବା ସହିତ ତା ନିକଟରୁ ହରିଣ ଚମଡ଼ା, ଶିଙ୍ଗ, ‌ବନ୍ଧୁକ ଆଦି ଜବତ କରିଛି। କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମରେ ତାର ଘର। ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଦନ୍ତା ଶିକାର ଘଟଣାରେ ସମ୍ପୃକ୍ତ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର