ରାଉରକେଲା: ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ଥିବାବେଳେ ଏବେ ଚୋରା ମଦ କାରବାର ବଢ଼ିଥିବାର ଦେଖିବାକୁ ମିଳିଛି | କିଛି ବେପାରୀ ମଦର କଳାବଜାରୀ କରୁଥିବାବେଳେ ଆଉ କିଛି ନକଲି ମଦକୁ ଅସଲି ମୂଲ୍ୟରେ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି | ସ୍ଥିତି ଏମିତି ହୋଇଛି ଯେ ଝାଡ଼ଖଣ୍ଡ ସୀମାନ୍ତରୁ ଓଡିଶାକୁ ମଦ ଆସୁଛି | ଗତକାଲି ବିଳମ୍ବିତ ରାତିରେ ରାଉରକେଲାର ଧୋବିଘାଟ ଏବଂ ମାଲଗୋଦାମ ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତିନି ଜଣଙ୍କୁ ଗିରଫ କରାଯିବା ସହ ୧୨୦ ଲିଟର ମଦ ଜବତ କରାଯାଇଥିଲା |
ସେହିପରି ଆଜି ଲାଠିକଟା ଅଞ୍ଚଳ ଅନ୍ତର୍ଗତ ମୁଙ୍କୋ ଠାରେ ଅବକାରୀ ବିଭାଗ ପକ୍ଷରୁ ବଡ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୨୦୦ କିଲୋଗ୍ରାମ ମହୁଲ ପୋଚ ଏବଂ ୨୦୦ ଲିଟର ମଦ ନଷ୍ଟ କରାଯାଇଛି | ଏହା ସହ ଅବକାରୀ ବିଭାଗ ପକ୍ଷରୁ ମଦ ପ୍ରସ୍ତୁତିରେ ଉପକରଣ ମଧ୍ୟ ଜବତ କରାଯାଇଛି |
ମିଳିଥିବା ସୂଚନା ମୁତାବକ ଓଡିଶା ଝାଡ଼ଖଣ୍ଡ ସୀମାନ୍ତ କଡ଼ିଛାପଲ ଓ କୁଶେଇତାରେ ବିପୁଳ ପରିମାଣର ଦେଶୀ ମଦ ଓ ନକଲି ବିଦେଶୀ ପ୍ରସ୍ତୁତ କରାଯାଉଛି | ଓଡ଼ିଶାର ଚୋରା ମଦ ବେପାରୀ କୋଏଲ ଘାଟ, ସେକ୍ଟର ୧୬ର ଧୋବୀ ଘାଟ ଓ ତୁମକେଲା ଘାଟ ଦେଇ ରାଉରକେଲା ସହରକୁ ନକଲି ମଦ ଲଗାତାର ଆଣୁଛନ୍ତି | ସପ୍ତାହକ ମଧ୍ୟରେ ତିନି ଥର ମଦ ଧରାପଡ଼ିଥିଲେ ବି ବେପାରୀମାନେ ଫେରାର ହୋଇଯାଇଛନ୍ତି |