ପୁଣି ପଦାକୁ ଆସିଲା ଜାଲ୍‌ ନୋଟ କାରବାର, ୯ଟି ଜାଲ୍ ୨୦୦ ଟଙ୍କିଆ ନୋଟ୍‌ ଜବତ

ତିହିଡ଼ି: ବିମୁଦ୍ରାକରଣ ପରେ ଦେଶରୁ ଜାଲ୍ ନୋଟ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ଘୋଷଣା କରିଥିଲେ। ମାତ୍ର ନୂଆ ୨୦୦, ୫୦୦ ଓ ୨ ହଜାର ଟଙ୍କିଆ ନୋଟ୍ ଆସିବାର ଅଳ୍ପ ଦିନ ମଧ୍ୟରେ ବଜାରକୁ ନକଲି ନୋଟ ମଧ୍ୟ ଆସିବା ଆରମ୍ଭ ହୋଇ ଯାଇଥିଲା। ସାରା ଦେଶରେ ଏବେ ଜାଲ୍ ନୋଟ କାରବାର ବୃଦ୍ଧି ପାଇଥିବାବେଳେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକାଧିକ ଜାଲ ନୋଟ ରୢାକେଟ୍ ସକ୍ରିୟ ଥିବା ଦେଖିବାକୁ ମିଳିଛି। ଗୁରୁବାର ପୂର୍ବାହ୍ନରେ ତିହିଡ଼ି ଥାନା ଅଧୀନ ପୀରହାଟ ବଜାରରେ ୯ଟି ୨ ଶହ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ ହୋଇଛି। ଜଣେ ନବମ ଶ୍ରେଣୀ ଛାତ୍ର ମାଧୢମରେ ସ୍ଥାନୀୟ ମାଲପୁର ଗ୍ରାମର ୨ ଜଣ ଯୁବକ ଏହି ଜାଲ୍‌ ନୋଟ୍‌ କାରବାର କରିଥିଲେ ବୋଲି ଜଣାପଡ଼ିଛି। ତେଣୁ ଏହି କାରବାର ମାଷ୍ଟରମାଇଣ୍ଡକୁ ଧରିବା ଲାଗି ପୁଲିସ ତନାଘନା ତଦନ୍ତ ଚଳାଇଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ୩ ଦିନ ତଳେ ଅଭିଯୁକ୍ତମାନେ ସଂପୃକ୍ତ ଛାତ୍ରଙ୍କ ଜରିଆରେ ପୀରହାଟ ବଜାରସ୍ଥିତ ଜଣେ ମହିଳା ଦୋକାନୀଙ୍କୁ ୧୮ଟି ଜାଲ୍‌ ନୋଟ୍ ଦେଇ ସଉଦା କିଣାକିଣି କରିଥିଲେ। ମହିଳା ଜଣକ ଗୁରୁବାର ତାଙ୍କ ମହାଜନକୁ ଉକ୍ତ ଟଙ୍କା ଦେବା ପରେ ତାହା ନକଲି ବୋଲି ଜଣାପଡିଥିଲା। ପରେ ମହିଳା ମାଲପୁର ଗ୍ରାମର ଉକ୍ତ ନବମ ଶ୍ରେଣୀ ଛାତ୍ରଙ୍କୁ ଚିହ୍ନିବା ସହ ତାଙ୍କ ପରିବାର ଲୋକଙ୍କୁ ଉକ୍ତ ଟଙ୍କା ଫେରାଇ ନେବା ଲାଗି ଦାବି କରିଥିଲେ। ଯାହାକୁ ନେଇ ଛାତ୍ରଙ୍କ ପରିବାର ସହିତ ତାଙ୍କର ବଚସା ହୋଇଥିଲା। ଖବର ପାଇ ଥାନାଧିକାରୀ ପ୍ରଭା˚ଶୁ ଶେଖର ମିଶ୍ର ସଂପୃକ୍ତ ଛାତ୍ରଙ୍କୁ ପୀରହାଟ ଫାଣ୍ତିକୁ ଡକାଇ ପଚରାଉଚୁରା କରିଥିଲେ। ମାଲପୁର ଗ୍ରାମର ଅପୂର୍ବ ମହାନ୍ତି ଓ ସୁଦାମ ମୁଦୁଲି ଏହି ଜାଲ ନୋଟ୍‌ କାରବାର ମୁଖ୍ୟ ଅଭିଯୁକ୍ତ ବୋଲି ଛାତ୍ର ଜଣକ ସୂଚନା ଦେବା ପରେ ପୁଲିସ ତତ୍ପର ହୋଇ ଉଠିଛି। ମହିଳା ଦୋକାନୀ ବିଜୟିନୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାଲପୁର ଗ୍ରାମର ଅପୁର୍ବ ମହାନ୍ତି ଓ ସୁଦାମ ମୁଦୁଲିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିବା ବେଳେ ଛାତ୍ରଙ୍କୁ ସାକ୍ଷୀ ଭାବେ ନେଇ ତାଙ୍କ ବୟାନ୍‌ ରେକର୍ଡ କରିଛି।

ସମ୍ବନ୍ଧିତ ଖବର