କୃଷି ବିଭାଗ ସମୀକ୍ଷା: ୧୧ଟି କମ୍ପାନି କଳା ତାଲିକା ଭୁକ୍ତ

ଭୁବନେଶ୍ୱର: ନକଲି କୀଟନାଶକ ବ୍ୟବହାର ଫଳରେ ଫସଲ କ୍ଷୟକ୍ଷତି ନେଇ ଚାଷୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ କୃଷି ବିଭାଗ ଏହାର ସମୀକ୍ଷା ଆରମ୍ଭ କରିଥିଲା। କୃଷି ବିଭାଗ କୀଟନାଶକ ପରୀକ୍ଷଣ ପରେ ୧୧ଟି ନମୁନା ନିମ୍ନମାନର ବାହାରିଥିଲା। ଏହି ନିମ୍ନମାନର କୀଟନାଶକ ପ୍ରସ୍ତୁତ କରିଥିବା କମ୍ପାନିଗୁଡ଼ିକର ବିକ୍ରି ଉପରେ କଟକଣା ଲଗାଇବା ସହ ରିପୋର୍ଟ ମାଗାଯାଇଛି। ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ୫୮ଟି କୀଟନାଶକ ନମୁନା ଓ ନଭେମ୍ବରରେ ୧୦୦ଟି ନମୁନା ଯାଞ୍ଚ କରାଯାଇଥିଲା । ଲଘୁଚାପ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଥିଲେ ମଧ୍ୟ ଫସଲରେ କୌଣସି ପ୍ରଭାବ ପଡ଼ିବନାହିଁ ବୋଲି କହିଛନ୍ତି କୃଷି ସଚିବ । ସେଥିପାଇଁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କୃଷି ସୌରଭ ଗର୍ଗ ।

ଅନ୍ୟପଟେ ଚାଷୀଙ୍କୁ କ୍ଷୟକ୍ଷତି ଜନିତ ସହାୟତା ଓ ଚକଡା ପୋକ ପ୍ରଭାବିତ ଚାଷୀଙ୍କୁ ସବସିଡି ମିଳିବା ସହ ଅନଲାଇନ୍‌ ମାଧ୍ୟମରେ ସହାୟତା ଏବଂ ଗାଇଡଲାଇନ୍‌ ଅନୁସାରେ ୭ ଦିନ ଭିତରେ ସବସିଡି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା କେତେ ଚାଷୀ ସବସିଡି ପାଇଲେ ତାହାର ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ବିଷ୍ଣପଦ ସେଠୀ ।

ତେବେ ଚକଡା ପୋକ ଜନିତ କ୍ଷୟକ୍ଷତି ପାଇଁ କେନ୍ଦ୍ରକୁ କୌଣସି ସହାୟତା ମଗାଯିବ ନାହିଁ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ସବସିଡି ପ୍ରଦାନ କରାଯିବ ଏବଂ ଏସଡିଆରଏଫ୍‌ର ଗାଇଡ୍ଲାଇନ ପରିବର୍ତନ ପାଇଁ କୁହାଯିବ ବୋଲି କହିଛନ୍ତି ଏସଆରସି ।

ସେପଟେ ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା । ସମ୍ବଲପୁରର ବରେଇପାଲି ଧାନ ମଣ୍ଡିରେ ସରକାରଙ୍କୁ ଚାଷୀ ଧାନ ବିକ୍ରି କରୁଛନ୍ତି । ଧାନ କିଣା ପୂର୍ବରୁ ଚାଷୀଙ୍କ ସହ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଧାନ ବିକ୍ରି ପୂର୍ବରୁ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ବାବଦରେ ଆଲୋଚନା କରାଯାଇଥିଲା।

 

ସମ୍ବନ୍ଧିତ ଖବର