ଅନୁଗୁଳରେ ନକଲି ତେଲ କାରଖାନା ଠାବ, ୪ ଅଟକ

ଅନୁଗୁଳ: କଟକ, ବ୍ରହ୍ମପୁର ଓ ସମ୍ବଲପୁର ପରେ ଅନୁୁଗୁଳରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହୋଇଛି।  ଅନୁଗୁଳ ଜିଲ୍ଲା ସଦର ମହକୁମାର ଅତି ନିକଟରେ ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି । ଆଜି ଅନୁଗୁଳ ପୁଲିସର ସ୍ପେସିଆଲ ସ୍କ୍ବାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ଏଠାରେ ନକଲି ପାମୋଲିନ ତେଲ ବିଭିନ୍ନ କମ୍ପାନିର ବ୍ରାଣ୍ଡରେ ପ୍ୟାକିଂ ହୋଇ ବଜାରକୁ ଛଡା ଯାଉଥିଲା। ଚଢ଼ାଉ ବେଳେ ବିପୁଳ ପରିମାଣ ତେଲ, ଟିଣ, ପ୍ୟାକିଂ ଓ ଠିପି ଜବତ କରାଯାଇଛି । ଏହା ସହ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତ ବେଳେ ଏହି ତେଲ କୋଲକାତାର ହଳଦିଆରୁ ଟ୍ୟାଙ୍କର ଯୋଗେ ଆସିବା ପରେ ଏଠାରେ ଟିଣ ଡବାରେ ପ୍ୟାକିଂ ହେଉଥିଲା ।

ପରେ ବିଭିନ୍ନ କମ୍ପାନିର ଠିପି ଓ ଲୋଗୋ ଲଗାଇ ବଜାରରେ ବିକ୍ରି କରାଯାଉଥିଲା । ଏହି କମ୍ପାନିର କୌଣସି ପ୍ରକାର ସ୍ୱୀକୃତି ନଥିବା କିମ୍ବା ଫୁଡ଼ ଲାଇସେନ୍ସ ମଧ୍ୟ ନଥିଲା । ପ୍ରାୟ ଏକ ବର୍ଷ ପୂର୍ବରୁ ଏହି ତେଲ କାରଖାନା ବେଆଇନ ଭାବେ ଚାଲୁଥିବା ଜାଣି ପ୍ରଶାସନ ସିଲ କରିଥିଲା । ପରେ ପୁଣି ଏହି କମ୍ପାନି ବିନା କୌଣସି ଲାଇସେନ୍ସରେ ଅବାଧ ଭାବେ ତେଲ ଟିଣ ପ୍ରସ୍ତୁତ କରି ବିକ୍ରି କରୁଥିଲା । ପୁଲିସ ୪ ଜଣଙ୍କୁ ଅଟକ ରଖିବା ସହ ଅନୁଗୁଳ ବଜାରପଡ଼ାରେ ଥିବା ଅନ୍ୟ ଏକ ଗୋଦାମରେ ମଧ୍ୟ ଚଢ଼ାଉ ଜାରି ରଖିଛି । ସେପଟେ ତେଲକୁ ଟେଷ୍ଟିଂ ପାଇଁ ଭୁବନେଶ୍ବର ଲାବୋଟାରିକୁ ପଠାଇ ଅଧିକ ତଦନ୍ତ କରା ଯାଉଛି । ଆଜିର ଏହି ଚଢାଉବେଳେ ଅନୁଗୁଳ ଏସଡିପିଓ ଅଶ୍ଵିନୀ ସାହୁ, ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ, ସ୍ପେଶାଲ ସ୍କ୍ବାର୍ଡ ଅଫିସର ଦୀନକୃଷ୍ଣ ମିଶ୍ର, ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ଫୁଡ ଇନ୍ସିପେକ୍ଟର ହରପ୍ରିୟା ବେହେରା ସଦଳବଳ ଚଢାଉ କରିଥିଲେ ।

ସମ୍ବନ୍ଧିତ ଖବର