ରାଉରକେଲା: ରାଜ୍ୟରେ ଗୋଟିଏ ପରେ ଗୋଟିଏ ପ୍ରମୁଖ ସହରରେ ଠାବ ହେଉଛି ଭେଜାଲ୍ ଖାଦ୍ୟ କାରଖାନା। ସେ ତାଲିକାରେ ସାମିଲ ରାଉରକେଲା। ଏ ସହରରେ ମୁଖ୍ୟତଃ ସସ୍ରେ ବ୍ୟାପକ ରୂପେ ଭେଜାଲ ହେଉଛି। ବସ୍ତି ଭିତରେ, ରାସ୍ତାକଡ଼ରେ ଭେଜାଲ ସସ୍ ତିଆରି ବୋତଲ ଉପରେ ନାମୀ କମ୍ପାନୀର ଷ୍ଟିକର ମାରି ତାହାକୁ ବଜାରକୁ ଛଡା ଯାଉଛି। ସହରର ଅଧିକାଂଶ ଫାଷ୍ଟଫୁଡ୍ ଦୋକାନରେ ବ୍ୟବହାର ହେଉଛି ସେହି ସସ୍। ମଞ୍ଚୁରିଆନ୍, ଚାଉମିନ୍, ଅଣ୍ଡା, ଚିକେଟ୍ ରୋଲ୍, ଏଗ୍ ରୋଲ୍, ଚିକେନ୍ ଚିଲ୍ଲି ଆଦିରେ ବହୁଳ ମାତ୍ରାରେ ଏହା ବ୍ୟବହାର ହେଉଛି। ସହରବାସୀଙ୍କୁ ଖାଦ୍ୟ ନାଁରେ ପରସା ଯାଉଛି ବିଷ। ଟମୋଟା ଓ ଚିଲ୍ଲି ସସ୍ରେ ତିଆରି ଯେଉଁ ସବୁ ସାମଗ୍ରୀ ବ୍ୟବହାର କରା ଯାଉଛି, ଭାବି ହେବନାହିଁ। ବଜାରରୁ ସ୍ବଳ୍ପ ଦରରେ ପଚାସଢ଼ା ପନିପରିବା ନେଇ ସସ୍ ତିଆରି କରା ଯାଉଛି।
ଟମାଟୋ ସସ୍ରେ ଟମାଟୋ ପରିବର୍ତ୍ତେ ପଚା କଖାରୁ, ଆଳୁ, ଅମୃତଭଣ୍ଡା, ଲାଊ ବ୍ୟବହାର ହେଉଛି। ଚିଲ୍ଲି ସସ୍ରେ ପଚା କଖାରୁ, ଲାଉ ଓ କଞ୍ଚା ଲଙ୍କା ଆଦି ବ୍ୟବହାର କରାଯାଉଛି। ସେଥିରେ ଫ୍ଲେବର ମିଶାଯାଇ ଗ୍ରାହକମାନଙ୍କୁ ଭୁ୍ଆଁ ବୁଲା ଯାଉଛି। ଏହାକୁ ଖାଇ ଲୋକେ ନିଜ ପେଟକୁ ବିଭିନ୍ନ ପ୍ରକାର ରୋଗ ଆଣୁଛନ୍ତି। ଏକ ହିସାବ ଅନୁସାରେ, ରାଉରକେଲାରେ ଦୈନିକ ପାଖାପାଖି ୧୦ କ୍ବିଣ୍ଟାଲରୁ ଅଧିକ ଭେଜାଲ୍ ସସ୍ ଫାଷ୍ଟଫୁଡ୍ ଦୋକାନ, ଛୋଟ ହୋଟେଲ ଓ ଢ଼ାବାଗୁଡ଼ିକରେ ବ୍ୟବହାର ହେଉଛି। ଇସ୍ପାତ ହରରର ୧୫ରୁ ଅଧିକ ଜାଗାରେ ଚାଲିଛି ଭେଜାଲ୍ ସସ୍ ତିଆରିର କୁଟୀର ଶିଳ୍ପ। ବନ୍ଧମୁଣ୍ଡା, ଜଲଦା, ବାଲୁଘାଟ, ଲୋଟିଆପଡା, ବେଦବ୍ୟାସ, ସେକ୍ଟର-୧୮ ବସ୍ତି, ରେଲୱେ କଲୋନି ମଧୁସୂଦନପାଲୀ, ଜଗଦା ରେଡିଓ ଷ୍ଟେସନ ନିକଟ, ମହତାବ ରୋଡ ଆର୍ଡିଏ ବିଲ୍ଡିଂ ପଛ ପାର୍ଶ୍ବ ବସ୍ତି ଓ ସାରନଗରୀ ସମେତ ଅନେକ ସ୍ଥାନରେ ଏହା ତିଆରି ହେଉଛି। ଏସବୁ ଏପରି ଅସ୍ବାସ୍ଥ୍ୟକର ସ୍ଥାନରେ ତିଆରି କରା ଯାଉଛି ଯେ ତା’କୁ ଦେଖିଲେ ସାଧାରଣ ଲୋକଟିଏ ଜୀବନରେ ଆଉ ସସ୍ ଖାଇବନି ବୋଲି ଶପଥ କରିପାରେ! ନାମୀ କମ୍ପାନୀର ସସ୍ ବୋତଲ୍ ବୋତଲ ପିଛା ୮୦ ଟଙ୍କାରୁ ଆରମ୍ଭ କରି ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ସେହି ସମାନ ବୋତଲ ଭେଜାଲ୍ ସସ୍ ବୋତଲ ପିଛା ମାତ୍ର ୩୦ରୁ ୪୦ ଟଙ୍କା ବିକ୍ରି କରାଯାଉଛି। କେତେକ ସ୍ଥାନରେ ମାତ୍ର ୨୦ରୁ ୨୫ ଟଙ୍କାରେ ମଧ୍ୟ ବିକାଯାଉଛି। ଦୋକାନୀମାନେ ଦର କମ୍ ଥିବାରୁ ତାହା କିଣୁଛନ୍ତି। ଜଣେ ଡାକ୍ତରଙ୍କ କହିବାନୁଯାୟୀ, ସହରର ଅଧିକାଂଶ ଫାଷ୍ଟଫୁଡ୍ ଦୋକାନରେ ଯେଉଁ ସସ୍ ବ୍ୟବହାର ହେଉଛି ତାହା ସମ୍ପୂର୍ଣ୍ଣ ଅଖାଦ୍ୟ। ଏହି ସବୁ ସସ୍ ବୋତଲଗୁଡ଼ିକୁ ୧୦ରୁ ୧୫ ଦିନ ରଖିଲେ ବିଷ ହୋଇଯିବାର ଆଶଙ୍କା ରହିଛି। ଭେଜାଲ୍ ସସ୍ ବ୍ୟବହାର ହେଉଥିବା ଏହିସବୁ ଫାଷ୍ଟଫୁଡ୍ ଖାଇଲେ ଯାବତୀୟ ପେଟ ରୋଗ ସୃଷ୍ଟି ହେବ। ଏପରିକି କ୍ୟାନ୍ସନର ହେବାର ସମ୍ଭାବନା ମଧ୍ୟ ରହିଛି। ରାସ୍ତାକଡରେ ପରସା ଯାଉଥିବାର ଏସବୁ ଫାଷ୍ଟଫୁଡ୍ରୁ ସର୍ବଦା ଦୂରେଇ ରହିବା ଦରକାର।
ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ଏହି ଭେଜାଲ୍ ସସ୍ କାରଖାନାଗୁଡ଼ିକର ଫୁଡ୍ ଲାଇସେନ୍ସ ନାହିଁ। କେବଳ ଫୁଡ୍ ଲାଇସେନ୍ସ ନୁହେଁ, ଟ୍ରେଡ୍ ଲାଇସେନ୍ସ ଅଛି କି ନାହିଁ ସନ୍ଦେହ। ବର୍ଷ ବର୍ଷ ଧରି ଏସବୁ କାରଖାନା ଚାଲିଥିଲେ ହେଁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ର ବିଭାଗୀୟ ଅଧିକାରୀ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନାହାନ୍ତି। ଖାଦ୍ୟ ନିରୀକ୍ଷିକ କାଁ ଭାଁ ଚଢ଼ଉ କରି ନିଜର କାମ ସାରି ଦେଉଛନ୍ତି। ନିୟମିତ ବ୍ୟବଧାନରେ ଏସବୁ କାରଖାନାକୁ ଯାଞ୍ଚ ନ କରି କେତେକଙ୍କ ଲାଇସେନ୍ସକୁ ପୁନଃନବୀକରଣ କରି ଦିଆଯାଉଛି। ସାରା ରାଜ୍ୟରେ ଭେଜାଲ୍ ଖାଦ୍ୟକୁ ନେଇ ଚଢ଼ଉ ଜାରି ରହିଥିଲା ବେଳେ ସ୍ମାର୍ଟସିଟିରେ ଆର୍ଏମ୍ସିର ବିଭାଗୀୟ ଅଧିକାରୀ ଚୁପ୍ ବସିଛନ୍ତି। ତେବେ ରାସ୍ତାକଡ, ଫୁଡ୍କୋଟ୍ ସମେତ ହୋଟେଲ, ରେସ୍ତୋରାଁରେ ବ୍ୟବହାର ହେଉଥିବା ଭେଜାଲ୍ ସସ୍କୁ ଯାଞ୍ଚ ସହ ପ୍ରସ୍ତୁତିକାରୀ କମ୍ପାନୀର ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।