ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଗିରଫ

ଛତିଆ: ଯାଜପୁର ଜିଲ୍ଲାର ଛତିଆ ଅଞ୍ଚଳ ଏବେ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଛି। ଏହି ଅଞ୍ଚଳରେ ବ୍ରାଉନ ସୁଗାର, ଗଞ୍ଜେଇ ଓ ନକଲି ଜର୍ଦ୍ଦା ବେପାର ବଢ଼ି ଚାଲିଥିବା ବ‌େଳେ ପୁଲିସ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଉଛି। ଗତକାଲି ରାତିରେ ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଚଢ଼ଉ କରାଯାଇ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିବା ସହ ପୁଲିସ ବହୁ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି। ଏହି ବେପାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଏହି ଗ୍ରାମର ଜଟିଆ ପାତ୍ର(୪୫)। ଗତକାଲି ବିଳମ୍ବିତ ରାତିରେ ବୈରୀ ଥାନା ଅଧିକାରିଣୀ ସଂଘମିତ୍ରା ନାୟକ, ଛତିଆ ଫାଣ୍ତି ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳ ବିଦ୍ୟାଧରପୁର ଗ୍ରାମର ଜଟିଆ ପାତ୍ର ଘରେ ଚଢ଼ଉ କରିଥିଲେ।

ଅଭିଯୁକ୍ତର ଘରୁ ବହୁ ପରିମାଣର ନକଲି ଜର୍ଦ୍ଦା, କଞ୍ଚା ମସଲା, ଜର୍ଦ୍ଦା ତିଆରି ପାଇଁ ବ୍ୟବହାର ହେଉଥିବା ବହୁ ଉପକରଣ ଓ ଅନ୍ୟାନ୍ୟ ଜିନିଷ ପତ୍ର ଜବତ କରାଯାଇଥିଲା। ସାରାରାତି ଖାନତଲାସ କରିବା ପରେ ପୁଲିସ ଜଟିଆ ପାତ୍ର ଘରୁ ୯ଟି ବସ୍ତାରେ ଭର୍ତ୍ତି ହୋଇଥିବା ପ୍ରାୟ ୨.୪୧ କୁଇଣ୍ଟାଲ କଞ୍ଚା ଜର୍ଦ୍ଦା ମସଲା, ୫ଶହ ଗ୍ରାମ୍‌ ବାଲା ୬୦/୬୦ ଗୋପାଳ ମସଲାର ଶହେଟି ଡବା। ବାବା ମସଲାର ୨୫୦ ଗ୍ରାମ ବାଲା ୧୧୫ଟି ଡବା, ଶିବ ମସଲାର ୯୦ଟି ଡବା, କନକ ମସଲାର ୬୦ଟି ଡବା, ଗୋପାଳ ଜର୍ଦ୍ଦା ୫ଶହ ଗ୍ରାମ ବାଲା ୧୪ଟି ଡବା, ୫ ଶହ ଗ୍ରାମ ସିଲିଭର ଜରି ପ୍ୟାକେଟର ୫୦ ପକେଟ୍ ମସଲା, ୨. ୫ କୁଇଣ୍ଟାଲ ଗ୍ଳିସେରିନ୍, ୨୦ କେଜି କେମିକାଲ, ଗୋଟିଏ ପଞ୍ଚିଂ ମେସିନ, ଗୋଟିଏ ଓଜନ କଣ୍ଟା ଓ ୫ଶହ ଖାଲି ଡବା ଜବତ କରିଥିଲା। ଥାନା କେସ୍‌ ନମ୍ବର ୧୫୧/୨୧ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜଟିଆ ପାତ୍ରକୁ ଗିରଫ କରାଯାଇଛି। ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର