ଦୁର୍ଗା ଏଜେନ୍ସି ଠକେଇ ଘଟଣା : ଦୋକାନରୁ ଜିନିଷ ଜବତ ବେଳେ ପୁଲିସ-ଜନତା ଧସ୍ତାଧସ୍ତି

ଟାୟାର ଜାଳି ରାସ୍ତାରୋକ, ୫ ଅଟକ, ଫୋର୍ସ ମୁତୟନ

ବାସୁଦେବପୁର : ଲୋକଙ୍କଠୁ ପାଖପାଖି ୨ କୋଟିରୁ ଅଧିକ ଟଙ୍କା ଠକି ନେଇ ଚମ୍ପଟ୍‌ ମାରିଥିବା ଦୁର୍ଗା ଏଜେନ୍ସିର ସିଲ୍‌ ଦୋକାନ ଘରୁ ଆଜି ଜିନିଷ ଜବତ କରାଯିବା ବେଳେ ପୁଲିସ ଓ ଗ୍ରାହକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଅର୍ଥ ଫେରି ନ ପାଇଲେ କମ୍ପାନିର ଗୋଟିଏ ଜିନିଷ ବି ଛାଡ଼ିବୁନି ବୋଲି କହି ଲୋକମାନେ ବାସୁଦେବପୁର ବ୍ଲକ୍‌ ରୋଡ୍‌ରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଉତ୍ତେଜନା ବଢ଼ିବାରୁ ପୁଲିସ ଲୋକମାନଙ୍କୁ ଘଉଢ଼ାଇବା ସହ ୫ ଜଣଙ୍କୁ ଥାନାରେ ଅଟକ ରଖିଛି।

ମାସକ ତଳେ ଜଣେ ଅଣଓଡିଆ ବ୍ୟକ୍ତି ଏଠାରେ ଦୁର୍ଗା ଏଜେନ୍ସି ନାମରେ ଏକ ସ˚ସ୍ଥା ଖୋଲିଥିଲେ। ଅଧାଦାମରେ ଜିନିଷ ଦେବାର ଲୋଭ ଦେଖାଇ ସେ ଲୋକଙ୍କଠାରୁ ଅଗ୍ରିମ ଅର୍ଥ ସଂଗ୍ରହ କରିବା ସହ ବିଶ୍ବାସଭାଜନ ହେବାକୁ ଜିନିଷ ମଧ୍ୟ ଦେଇଥିଲେ। ସଂସ୍ଥା ସଂପର୍କରେ ପ୍ରଚାର ହେବାରୁ ଜିନିଷ ନେବା ପାଇଁ ବହୁ ଲୋକ ଆଗୁଆ ଟଙ୍କା ପୈଠ କରିଥିଲେ। ଏହାର ସୁଯୋଗ ନେଇ ଗତ ୨୧ ତାରିଖ ରାତିରେ ସଂସ୍ଥାର ମୁଖ୍ୟ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ନେଇ ବାସୁଦେବପୁରରୁ ଚମ୍ପଟ ମାରିଥିଲା। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଦୁର୍ଗା ଏଜେନ୍ସି ଆଗରେ ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ସମସ୍ତଙ୍କୁ ବୁଝାସୁଝା କରିବା ସହ ଦୋକାନ ଘରକୁ ସିଲ୍‌ କରିଥିଲା। ସେହିଦିନଠାରୁ ଦୋକାନ ଆଗରେ ପୁଲିସ ମୁତୟନ ହୋଇଥିଲେ। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୋକାନରେ ମହଜୁଦ ଥିବା ସାମଗ୍ରୀକୁ ଜବତ କରାଯିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅର୍ଥ ଫେରି ନ ପାଇଲେ କମ୍ପାନି ଜିନିଷକୁ ଛାଡ଼ିବୁନି କହି ଲୋକମାନେ ରାସ୍ତାରେ ବସି ଯାଇଥିଲେ। ପରିସ୍ଥିତି ଉତ୍ତେଜନାପୂ୍ର୍ଣ୍ଣ ହେବାରୁ ପୁଲିସ ଲୋକଙ୍କୁ ଘଉଡ଼ାଇବା ସହ ୫ ଜଣଙ୍କୁ ଥାନାରେ ଅଟକ ରଖିଛି। ଦୋକାନରେ ଥିବା ସାମଗ୍ରୀକୁ ଜବତ କରାଯାଇ ଥାନାରେ ରଖାଯାଇଛି।

ସମ୍ବନ୍ଧିତ ଖବର