ସୁନ୍ଦରଗଡ଼: ବିଶ୍ବ କନ୍ୟା ଦିବସ ଅବସରରେ ସୁନ୍ଦରଗଡ଼ ପୁଲିସ ପକ୍ଷରୁ ଭବାନୀଭବନ ପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ‘ ସଶକ୍ତ ସୁନ୍ଦରଗଡ଼, ସୁରକ୍ଷିତ ସୁନ୍ଦରଗଡ଼’ର ଅଭିଯାନ ପ୍ରୋଜେକ୍ଟ ‘ଦୁର୍ଗା’ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ସୁନ୍ଦରଗଡ଼ର ସିଦ୍ଧି ବିନାୟକ ଏକାଡେମି, ଲାଞ୍ଜିବେର୍ଣ୍ଣା ବିହାବନ୍ଧ ଆଦର୍ଶ ବିଦ୍ୟାଳୟ, କୁତ୍ରା ଓପିଇସି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନୃତ୍ୟ ଓ କରାଟେ ସଂଘର ଆତ୍ମସୁରକ୍ଷା କୌଶଳ ଆକର୍ଷଣୀୟ ହୋଇଥିଲା। ସକାଳ ସାଢ଼େ ୧୦ଟାରେ ବିକାଶ ଭବନରେ ମହିଳାମାନଙ୍କ ବିଭିନ୍ନ ବୃତ୍ତିଗତ ସୁଯୋଗ ଉପରେ ଚର୍ଚ୍ଚା ପାଇଁ ‘କିଛି ବି ପଚାରନ୍ତୁ’ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
/sambad/media/post_attachments/wp-content/uploads/2022/09/25-26.jpg)
ଏଥିରେ ବୃତ୍ତି ବିଶାରଦ ଭାବେ ଶାସକୀୟ ସେବାରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ନ୍ୟାୟାଳୟରେ ମୁଖ୍ୟ ଦୌରା ଜଜ ସରୋଜିନୀ ପତି, ଡାକ୍ତରୀରେ ଡାକ୍ତର ପ୍ରିୟଙ୍କା, କ୍ରୀଡ଼ାରେ ଅନ୍ତର୍ଜାତୀୟ ହକି ଖେଳାଳି ବିନିତା ଟପ୍ପୋ, ମଡେଲିଂରେ ମିସେନ ଇଣ୍ଡିଆ ନବଦୀପ କୌର, ସମାଜ ସେବାରେ ସମାଜସେବୀ ସ୍ନେହଲତା ପଟେଲ ଝିଅମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଆଗକୁ ବଢ଼ିବାର ବାଟ ଦେଖାଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଯୋଗ ଦେଇ ସୁନ୍ଦରଗଡ଼ ପୁଲିସ ଆରମ୍ଭ କରିଥିବା ଏହି ଅଭିନବ କାର୍ଯ୍ୟକ୍ରମ ଝିଅମାନଙ୍କ ମନୋବଳ ବୃଦ୍ଧି କରି ଆଗକୁ ବଢ଼ିବା ପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି କହିଥିଲେ।
ଅନ୍ୟ ବିଶିଷ୍ଟ ଅତିଥି ଭାବେ ହକି ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ, ରାଉରକେଲା ଓଏସଏପି ଚତୁର୍ଥ ବାଟାଲିୟନ କମାଣ୍ଡାଣ୍ଟ ବ୍ରଜ କିଶୋର ମିଶ୍ର, ଡୁଲୁଙ୍ଗା କୋଇଲା ପ୍ରକଳ୍ପ ଅତିରିକ୍ତ ମହାପ୍ରବନ୍ଧକ ନୀଳମାଧବ ସ୍ବାଇଁ, ଏଏସପି ସୁରେନ୍ଦ୍ର ମାଝୀ ଯୋଗ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପ୍ରିୟଙ୍କା ଜେନା ସଂଯୋଜନା କରିଥିଲେ। ଝିଅମାନଙ୍କ ଉପରେ ବୃଦ୍ଧି ପାଉଥିବା ନିର୍ଯାତନା, ଅଶ୍ଳୀଳ ଇଙ୍ଗିତର ମୁକାବିଲା ପାଇଁ କନ୍ୟା ଶକ୍ତିର ସାମର୍ଥ୍ୟ ଓ ଆତ୍ମବିଶ୍ବାସର ବୃଦ୍ଧି ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟ ନେଇ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥଙ୍କ ତତ୍ତ୍ବାବଧାନରେ ଓଡ଼ିଶାରେ ପ୍ରଥମ କରି ଅଭିଯାନ ‘ଦୁର୍ଗା’ ଆରମ୍ଭ କରାଯାଇଥିବା ବେଳେ ଏଥିରେ ୨୦ଟି ବିଦ୍ୟାଳୟର ୩ ଶହ ଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆଗାମୀ ଦିନରେ ଏହାକୁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ ପ୍ରକାଶ କରିଥିଲେ। ଅଭିଯାନରେ ଝିଅମାନଙ୍କ ଉତ୍ପୀଡ଼ନ ଓ ଅଶ୍ଲୀଳ ଇଙ୍ଗିତ ମାମଲାର ରିପୋର୍ଟ କରିବା ପାଇଁ ଏକ ନିର୍ଭରଯୋଗ୍ୟ ଅହୋଦିବାରାତ୍ର ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଯୌନ ଉତ୍ପୀଡ଼ନ, ଗାଳି, ଅସଦାଚରଣ, ଅନୈତିକ ଫଟେଳ ବା ଭିଡିଓ ପ୍ରଘଟ ଆଦି ଅଭିଯୋଗ ପାଇଁ ବାଳିକାମାୀନେ ହେଲ୍ପ ଲାଇନରେ ସାହାଯ୍ୟ ନେଇ ମାମଲା ରୁଜୁ କରିପାରିବେ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସଡିପିଓ ହିମାଂଶୁ ବେହେରା, ବୀରମିତ୍ରପୁର ଏସଡିପିଓ ମାନସ ପ୍ରଧାନ, ରାଜଗାଙ୍ଗପୁର ଏସଡିପିଓ ଏ. ବେହେରା, ଟାଉନ ଥାନାଧିକାରୀ ଜଗଦୀଶ ବାରା, ରାଜଗାଙ୍ଗପୁର ଥାନାଧିକାରୀ ବିବତ୍ସ କୁମାର ପ୍ରଧାନ, ସଦର ଥାନାଧିକାରୀ ରମେଶଚନ୍ଦ୍ର ମାହାନାଙ୍କ ସମେସ୍ତ ଅନ୍ୟ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/24-24.jpg)