ଭୁବନେଶ୍ୱର: ଗତକାଲି ଦଶହରାର ଅନ୍ତିମ ଦିନରେ ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି । କରୋନା ଯୋଗୁଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ମଧ୍ୟରେ ନିରାଡମ୍ବର ଭାବେ ରାଜ୍ୟର ବିଭିନ୍ନ ଭାଗରେ ଦଶମୀ ପୂଜା ଶେଷ ହୋଇଛି। ଆଜି ଭଷାଣୀ। ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା।
ଚଳିତ ବର୍ଷ ମହାମାରୀ ପାଇଁ ଲୋକଙ୍କ ଗହଳି ଚହଳି, ପୂଜା ମଣ୍ଡପରେ ସାଜସଜା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକଙ୍କ ମନରେ ଭକ୍ତି ଭାବ ରହିଥିଲେ ମଧ୍ୟ କଟକଣା ପାଇଁ ଦେବୀଙ୍କ ଦର୍ଶନରୁ ସେମାନେ ବଞ୍ଚିତ ହୋଇଛନ୍ତି। ଆଜି ଭଷାଣୀ। ବିଦାୟ ନେବେ ମା’ ଦୁର୍ଗା। ପୁଣି ବର୍ଷକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଧରାପୃଷ୍ଠକୁ ଆସିବେ ଜଗତଜନନୀ ଦେବୀ ଦୁର୍ଗା । ରୀତିନୀତି ଅନୁୟାୟୀ ମାଙ୍କର ପୂଜାର୍ଚ୍ଚନା ହେଲା କିନ୍ତୁ ନଥିଲା ପୂର୍ବ ଭଳି ଉତ୍ସାହ। ମନର କୋହକୁ ମନରେ ମାରି ପରଦା ପଛପଟୁ ଦୁରରେ ଥାଇ ଦେବୀଙ୍କୁ ଆରାଧନା କଲେ ଭକ୍ତ । ମାଙ୍କୁ ଦେଖିପାରିନଥିବାରୁ ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ ।
ଆଜି ଭଷାଣୀ ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି। କୁଆଖାଇ ନଦୀରେ ଦୁଇଟି ଓ ଦୟୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରୀ କରିଛି ପ୍ରଶାସନ । ନା ବାଜିବ ବାଜା ନା ହେବ ରୋଷଣୀ । ଶାନ୍ତି ଶୃଙ୍ଖଳା ସହ ବିସର୍ଜନ କରିବା ପାଇଁ ଭୁବନେଶ୍ୱର ଶାନ୍ତି କମିଟି ସମସ୍ତ ପୂଜା କମିଟିକୁ ଜଣାଇଦେଇଛି ।