ଆଉ କେଇ ଘଣ୍ଟାର ପ୍ରତୀକ୍ଷା, ମେଲାଣି ନେବେ ମାଆ ! ଏଥର ମନପୂରାଇ ଦେଖିପାରିନି ଭକ୍ତ, ମନରେ ଅନେକ ଅବସୋସ

କଟକ/ଭୁବନେଶ୍ବର: ଆଉ କେଇ ଘଣ୍ଟାର ଅପେକ୍ଷା, ମେଲାଣି ନେବେ ମାଆ । କରୋନା କଟକଣା ଭିତରେ ସରିଛି ମାଆ ଦଶଭୂଜାଙ୍କ ଦଶମୀପୂଜା । ଆଉ କିଛି ସମୟ ପରେ ମଣ୍ଡପରୁ ମାଆଙ୍କୁ ମେଲାଣି ଦିଆଯିବ ।  ଆଜି ଓ ଆସନ୍ତାକାଲି ସଂଧ୍ୟା ୬ଟା ସୁଦ୍ଧା ସରିବ ଭସାଣ ଉତ୍ସବ । ମା’ଙ୍କୁ ମନପୂରାଇ ଦେଖିପାରିନି ଭକ୍ତ, ମନରେ ଅନେକ ଅବସୋସ। ଏଥର କିନ୍ତୁ ମା’ ବାଜଣା ଓ ରୋଶଣୀ ଭିତରେ ନୁହେଁ ବରଂ ଅତ୍ୟନ୍ତ ନିରାଡମ୍ବର ଭାବେ ମଣ୍ଡପରୁ ଯିବେ ଦେବୀଗଡ଼ା। ବାଜା ବାଜିବ ନାହିଁ କି ଗାଚଗୀତ ହେବ ନାହିଁ, କେବଳ ଘଣ୍ଟଘଣ୍ଟା ନାଦ ଭିତରେ ମା’ଙ୍କର ବିସର୍ଜନ ହେବ। ଭିଡକୁ ନିୟନ୍ତ୍ରଣ କରିବା ଲାଗି କଟକରେ ୧୪ଟି ଭିନ୍ନ ଭିନ୍ନ ସ୍ଥାନରେ କରାଯିବ ବିସର୍ଜନ। ଏଥିଲାଗି କୃତ୍ରିମ ପୁଷ୍କରିଣୀ ମଧ୍ୟ ନିର୍ମାଣ କରାଯାଇଛି।

ଶରଦ କାଳରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିଷା ମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଯାଉଛି । ପୀଠରେ ଦଶମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ମଣ୍ଡପରେ ଆଜି ମୃଣମୟୀଙ୍କ ମହାଦଶମୀ ନୀତି ଅନୁଷ୍ଠିତ ହୋଇଛି । ତେବେ କରୋନା କଟକଣା ପାଇଁ ଫିକା ପଡିଛି ଚଳିତ ବର୍ଷର ଦୁର୍ଗାପୂଜା । ବିନା ଭକ୍ତରେ ପରଦା ପଛରେ ସଂପନ୍ନ ହେଉଛି ପୂଜା ନୀତି । ମଣ୍ଡପରେ ମାତ୍ର ୭ ଜଣ ରହିବା ବ୍ୟବସ୍ଥା ରହିଥିବାରୁ ଆୟୋଜନ କମିଟିର ସମସ୍ତ ସଦସ୍ୟ ମଧ୍ୟ ମଣ୍ଡପ ପାଖରେ ରହି ପାରୁନାହାନ୍ତି । ଅନ୍ୟପଟେ କେତେକ ସ୍ଥାନରେ ଅନ୍ଲାଇନ୍ ମାଆଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ମଣ୍ଡପରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରୁ ବଂଚିତ ହେଉଛନ୍ତି ଶ୍ରଦ୍ଧାଳୁ ।

ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ବିଜୟା ଦଶମୀ । ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଶୋଭା ପାଉଛନ୍ତି ମହାପ୍ରଭୁ । ହେଲେ କାଭିଡ୍ କଟକଣା ଯୋଗୁଁ ଏହି ଦୁଲର୍ଭ ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରତ୍ୟକ ବର୍ଷ ବିଜୟାଦଶମୀରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱରୀ ବେଶ ହୋଇଥାନ୍ତି । ସେପଟେ ଆଜିଠାରୁ ଆରମ୍ଭ ହେଉଛି ନାଗାର୍ଜୁନ ବେଶ ପ୍ରସ୍ତୁତି ।

ନଭେମ୍ବର ୨୭ରେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ । ସେପଟେ ପୁରୀର ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି । ଆଜି ମାଆଙ୍କର ଭସାଣୀ ଉତ୍ସବ । ରାତି ୧୨ଟାରୁ ସାଢେ ୧୨ଟା ଭିତରେ ବିସର୍ଜନ କରାଯିବ ଏବଂ ରାତି ୨ଟାରୁ ୩ଟା ଭିତରେ ମାଆଙ୍କୁ ମେଲାଣି ଦିଆଯିବ ।

ସମ୍ବନ୍ଧିତ ଖବର